ଗଣତନ୍ତ୍ର ଦିବସରେ ସଚେତନତା ବାର୍ତ୍ତା ବାଣ୍ଟିଲା ଓସାକ୍ସର ପ୍ରଜ୍ଞାପନ ମେଢ଼; ୨୦୩୦ ସୁଦ୍ଧା ଓଡ଼ିଶା ହେବ HIV ମୁକ୍ତ ରାଜ୍ୟ
27/01/2023 at 5:28 PM

ଭୁବନେଶ୍ୱର ୨୭/୦୧: ସାଧାରଣତନ୍ତ୍ର ଦିବସରେ ଏଡସ୍ ସଂକ୍ରମଣ ଓ ନିରାକରଣ ବିଷୟରେ ପ୍ରଜ୍ଞାପନ ମେଢ଼ ମାଧ୍ୟମରେ ସମସ୍ତଙ୍କ ପାଖେ ସଚେତନତା ବାର୍ତ୍ତା ପହଞ୍ଚାଇଲା ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି (ଓସାକ୍ସ)। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ୭୪ତମ ଗଣତନ୍ତ୍ର ଦିବସ ରାଜ୍ୟସ୍ତରୀୟ ପରେଡରେ ପ୍ରଜ୍ଞାପନ ମେଢର ଆୟୋଜନ କରାଯାଇଥିଲା। ଏହି ମେଢ ଏଡସ୍ ବିଷୟରେ ସବିଶେଷ ତଥ୍ୟ ଜାଣିବାକୁ ୧୦୯୭ ନିଶୁଳ୍କ ନମ୍ବରରେ କଲ୍ କରି ସଚେତନ ହେବାକୁ ସମସ୍ତଙ୍କୁ ବାର୍ତ୍ତା ଦେଇଥିଲା। ରାଜ୍ୟସ୍ତରୀୟ ପରେଡ ପରେ ସାଧାରଣଙ୍କ ପାଇଁ ପ୍ରଜ୍ଞାପନ ମେଢ ଲୋକସେବା ଭବନରେ ରଖାଯାଇଥିଲା। ମେଢ ପରିଦର୍ଶନ କରୁଥିବା ଲୋକମାନଙ୍କୁ ପ୍ରଚାରପତ୍ର ଏବଂ ସଚେତନତା ପୁସ୍ତିକା ମଧ୍ୟ ବଣ୍ଟାଯାଇଥିଲା।

ଗଣତନ୍ତ୍ର ଦିବସ ଉପଲକ୍ଷେ ଓସାକ୍ସ କାର୍ଯ୍ୟାଳୟ ପରିସରରେ ପ୍ରକଳ୍ପ ନିର୍ଦ୍ଦେଶକ ଡକ୍ଟର ଉର୍ମିଳା ମିଶ୍ର, କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଦିବସର ମହତ୍ୱ ବିଷୟରେ ସ୍ମୃତିଚାରଣ କରାଯାଇଥିଲା।

ଏହି ଅବସରରେ ଡ. ମିଶ୍ର କହିଥିଲେ, ସାରା ଦେଶରେ ଓଡ଼ିଶା ଅତ୍ୟଧିକ ଆଶଙ୍କା ପ୍ରବଣ ରାଜ୍ୟ ଭାବେ ପରିଗଣିତ ହେଉ ନଥିଲେ ମଧ୍ୟ ଏଚ୍.ଆଇ.ଭି. ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ଆମ ରାଜ୍ୟରେ ସଂକ୍ରମିତ ବ୍ୟକ୍ତିମାନେ ବିଶେଷ କରି ଅଧିକାଂଶ ପ୍ରବାସୀ ଶ୍ରମିକ ଏବଂ ତାଙ୍କ ପରିବାର ଏହି ସଂକ୍ରମଣର ଶିକାର ହୋଇଥାନ୍ତି। ବିନା ମୂଲ୍ୟରେ ଉପଲବ୍ଧ ସ୍ୱାସ୍ଥ୍ୟ ସେବା ଏବଂ ସଚେତନତା ଦ୍ୱାରା ଏଚ.ଆଇ.ଭି. ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇ ପାରିବ। ସଂକ୍ରମିତ ବ୍ୟକ୍ତିମାନଙ୍କ ଦୀର୍ଘଦୀନ ଧରି ସୁସ୍ଥ ଭାବେ ବଞ୍ଚିବାକୁ ଏ.ଆର.ଟି (ଆଣ୍ଟି ରେଟ୍ରୋ ଭାଇରାଲ୍) ଔଷଧର ବ୍ୟବସ୍ଥା ରିହଛି।

ଡକ୍ଟର ମିଶ୍ର ଆହୁରି କହିଛନ୍ତି, ଆମ ରାଜ୍ୟରେ ସାମାଜିକ କ୍ଷେତ୍ରରେ ଏଚଆଇଭି ସଂକ୍ରମିତ ବ୍ୟକ୍ତିମାନଙ୍କ ପ୍ରତି ଘୃଣା ଓ ଭେଦଭାବ ବହୁ ପରିମାଣରେ ଦୂର ହୋଇପାରିଛି। ଏହା ସଂକ୍ରମିତ ବ୍ୟକ୍ତିମାନଙ୍କ ସଂଗଠନ ଏବଂ ଜନସାଧାରଣଙ୍କର ସକାରାତ୍ମକ ମନୋଭାବ ପାଇଁ ସମ୍ଭବ ହୋଇଛି। ଆମ ଦେଶ ଏକ ସମାଜ ମଙ୍ଗଳ ରାଷ୍ଟ୍ର। ସମସ୍ତଙ୍କର ସମ୍ମାନର ସହ ବଞ୍ଚିବାର ମୌଳିକ ଅଧିକାର ରହିଛି। ତେଣୁ ଆମେ ସମସ୍ତେ ଗୋଷ୍ଠୀଗତ ଭାବେ ପରିବର୍ତ୍ତନ ଓ ସଂସ୍କାର ଆଣିପାରିବା ଏବଂ ୨୦୩୦ ସୁଦ୍ଧା ଏଚ.ଆଇ.ଭି ମୁକ୍ତ ରାଜ୍ୟ ଗଠନ କରିପାରିବା।