ପୁଅକୁ ବିବାହ ବୟସ ହୋଇନଥିଲେ ବି ଏକାଠି ରହିପାରିବେ ପ୍ରାପ୍ତ ବୟସ୍କ ପ୍ରେମିକ-ପ୍ରମିକା

Published By : Prameya-News7 Bureau | December 30, 2020 IST

ନୂଆଦିଲ୍ଲୀ ୩୦/୧୨: ପୁଅକୁ ବିବାହ ବୟସ ​‌ହୋଇନଥିଲେ ବି ନିଜ ପ୍ରେମିକାଙ୍କ ସହ ଏକାଠି ରହିପାରିବେ। ପ୍ରାପ୍ତ ବୟସ୍କ ପ୍ରେମୀଯୁଗଳଙ୍କୁ କେବଳ ପୁଅର ବିବାହ ବୟସ ହୋଇନି ବୋଲି କେହି ଅଲଗା କରିପାରିବେ ନାହିଁ । ଏହି ରାୟ ଶୁଣାଇଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ।  ଦୁଇ ପ୍ରାପ୍ତ ବୟସ୍କ ପ୍ରେମୀଯୁଗଳ ଏକାଠି ରହିବାର ସବୁ ପ୍ରକାର ଅଧିକାର ରହିଛି ବୋଲି ଅଳକା ଶରିନଙ୍କ ଖଣ୍ଡପୀଠ କହିଛନ୍ତି।

ସାବାଳକ ବା ସାବାଳିକା କେମିତି ଜୀବନ ଅତିବାହିତ କରିବେ ସେନେଇ ଅନ୍ୟ କେହି ନିଷ୍ପତ୍ତି ନେଇପାରିବ ନାହିଁ। ସମ୍ବିଧାନ ସମସ୍ତଙ୍କ ବଞ୍ଚିବା ସୁନିଶ୍ଚିତ କରିଛି। ନିଜ ଜୀବନକୁ ସରଳ କରିବା ପାଇଁ ପ୍ରାପ୍ତ ବୟସ୍କ ବ୍ୟକ୍ତି ନିଜ ପାର୍ଟନର ଖୋଜିବାର ଅଧିକାର ରହିଛି। ତେବେ ଏହି ମାମଲାରେ ଯୁବତୀଙ୍କ ବାପା ସ୍ଥିର କରିପାରିବେ ନାହିଁ ଝିଅ କାହା ସହ ରହିବ। ପିଲାଙ୍କୁ କେମିତି ରହିବାକୁ ହେବ ସେନେଇ ପିତା-ମାତା ବାଧ୍ୟ କରିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ପ୍ରେମୀଯୁଗଳ ନିଜ ଜୀବନ ପ୍ରତି ବିପଦ ଥିବା ନେଇ ପୋଲିସକୁ ଜଣାଇଥିଲେ। ଝିଅକୁ ୧୯ ବର୍ଷ ହୋଇଥିବା ବେଳେ ପୁଅକୁ ୨୦ ବର୍ଷ। କିନ୍ତୁ ଏନେଇ ଯୁବତୀଙ୍କ ପରିବାର ଜାଣିପାରିବାରୁ ସେମାନଙ୍କୁ ବାରମ୍ବାର ଧମକ ମିଳୁଥିବା ମଧ୍ୟ ସେମାନେ କହିଛନ୍ତି। ଏନେଇ ପୋଲିସ ନଶୁଣିବାରୁ ସେମାନେ କୋର୍ଟର ଆଶ୍ରୟ ନେଇଥିଲେ। ଅଭିଯୋଗ ଉପରେ ଶୁଣାଣି କରି ସେମାନଙ୍କୁ ଯଥାଶୀଘ୍ର ସୁରକ୍ଷା ଯୋଗାଇ ଦେବାକୁ ଫତେଗଡ଼ ସାହେବ ଏସଏସପିଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।

ପ୍ରେମୀଯୁଗଳଙ୍କ ପରିବାର ମଧ୍ୟରେ ଝଗଡ଼ା ଉଗ୍ର ରୂପ ଧାରଣ କରିଥିବା ବେଳେ ଯୁବତୀଙ୍କୁ ମାଡ଼ପିଟ୍‌ ହୋଇଥିବା ମଧ୍ୟ ଜଣାପଡ଼ିଛି। ଡିସେମ୍ବର ୨୦ରେ  ଯୁବକ ଓ ଯୁବତୀ ଘର ଛାଡ଼ି ଏକାଠି ରହିଥିଲେ। ତେବେ ଯୁବତୀଙ୍କ ଅଧିକାର ଅଛି ସେ କାହା ସହ ରିହିବେ। ତାଙ୍କ ପାଇଁ କଣ ଠିକ୍‌ ସେ ମଧ୍ୟ ଜାଣିଛନ୍ତି ବୋଲି କୋର୍ଟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.