ADR ରିପୋର୍ଟ; ୭ମ ପର୍ଯ୍ୟାୟରେ ୯୦୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୯୯ ଦାଗୀ, ୨୯୯ କୋଟିପତି

Published By : Prameya-News7 Bureau | May 23, 2024 IST

ନୂଆଦିଲ୍ଲୀ, ୨୩/୫: ୨୦୨୪ ଲୋକସଭା ନିର୍ବାଚନରେ ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ  ସରିଛି । ବାକି ରହିଥିବା ଦୁଇ ପର୍ଯ୍ୟାୟ ମତଦାନ ମେ’ ୨୫ ଏବଂ ଜୁନ୍‌ ୧ ତାରିଖରେ ହେବ ।  ଏହା ଭିତରେ ଆସୋସିଏସନ ଫର୍‌  ଡେମୋକ୍ରାଟିକ୍‌ ରିଫର୍ମସ ବା ଏଡିଆର୍‌  ସପ୍ତମ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଛି । ଏହି ପର୍ଯ୍ୟାୟରେ ମୋଟ ୯୦୪ ପ୍ରାର୍ଥୀ  ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୯୯  ଜଣଙ୍କ ବିରୋଧରେ ଅପରାଧିକ  ମାମଲା ରହିଛି । ସେହିପରି ୨୯୯ ପ୍ରାର୍ଥୀ କୋଟିପତି ।  

ଏଡିଆର୍‌ ରିପୋର୍ଟ ଅନୁସାରେ,   ଚଳିତ ଲୋକସଭା ନିର୍ବାଚନରେ  ଥିବା ସର୍ବମୋଟ୍ ୮,୩୩୭ ପ୍ରାର୍ଥୀଙ୍କ ମଧ୍ୟରେ ୧,୬୪୪ ଜଣଙ୍କ ବିରୋଧରେ  ଅପରାଧିକ ମାମଲା ରହିଛି । ସେଥିରୁ  ୧,୧୮୮ ଜଣଙ୍କ ବିରୋଧରେ ହତ୍ୟା,  ହତ୍ୟା ଉଦ୍ୟମ, ମହିଳା ବିରୋଧୀ  ଅପରାଧ, ଘୃଣା ଭାଷଣ ଭଳି ସଙ୍ଗିନ   ଅପରାଧିକ ମାମଲା ରହିଛି । ସପ୍ତମ ପର୍ଯ୍ୟାୟରେ ଥିବା ପ୍ରାର୍ଥୀଙ୍କ ମଧ୍ୟରୁ  ୨୨% ବା ୧୯୯ ଜଣଙ୍କ ବିରୋଧରେ  କ୍ରିମିନାଲ କେସ୍‌ ରୁଜୁ ହୋଇଛି । ୧୫୧ ଜଣଙ୍କ ନାଁରେ ସଙ୍ଗିନ ଅପରାଧିକ ମାମଲା ରହିଛି । ୧୩ ଜଣ ଦୋଷୀସିଦ୍ଧ ହୋଇଛନ୍ତି । ୪ ଜଣଙ୍କ ବିରୋଧରେ  ହତ୍ୟା ଏବଂ ୨୭ ଜଣଙ୍କ ବିରୋଧରେ  ହତ୍ୟା ଉଦ୍ୟମ ମାମଲାରେ ଦୋଷୀସିଦ୍ଧ  ହୋଇଥିବା ସତ୍ୟପାଠରେ ଘୋଷଣା  କରିଛନ୍ତି । ୧୩ ଜଣଙ୍କ ବିରୋଧରେ  ବଳାତ୍କାର ମାମଲା ରହିଛି । ୨୫ ଜଣଙ୍କ  ବିରୋଧରେ ଘୃଣା ପ୍ରସାର କଲା ଭଳି  ଭାଷଣ ଦେଇଥିବା ମାମଲା ରହିଛି ।  

ସେହିପରି ୩୩% ପ୍ରାର୍ଥୀ ବା ୨୯୯  ଜଣ କୋଟିପତି ରହିଛନ୍ତି । ବିଜେପିର ସର୍ବାଧିକ ୪୪ ପ୍ରାର୍ଥୀ କୋଟିପତି  ଥିବାବେଳେ ଦ୍ୱିତୀୟରେ କଂଗ୍ରେସର  ୩୦ କୋଟିପତି ପ୍ରାର୍ଥୀ ଅଛନ୍ତି । ସପ୍ତମ  ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ସମ୍ପତ୍ତି ହାରାହାରି ୩.୨୭ କୋଟି ଟଙ୍କା ରହିଛି । ୧୧୧ ଜଣଙ୍କ ସମ୍ପତ୍ତି ୫   କୋଟିରୁ ଉର୍ଦ୍ଧ୍ବ ରହିଥିବା ବେଳେ ୮୪ ଜଣଙ୍କ ସମ୍ପତ୍ତି ୨ରୁ ୫ କୋଟି,  ୨୨୪ ଜଣଙ୍କ ସମ୍ପତ୍ତି ୫୦ ଲକ୍ଷରୁ ୨ କୋଟି ମଧ୍ୟରେ ରହିଛି । ସପ୍ତମ  ପର୍ଯ୍ୟାୟରେ ଶିରୋମଣି ଅକାଳୀ ଦଳର ହରସିମ୍‌ରତ କୌର ସବୁଠୁ  ଧନୀ । ବଠିଣ୍ଡାରୁ ପ୍ରାର୍ଥୀ ହୋଇଥିବା ହର୍‌ସିମ୍‌ରତଙ୍କ ସମ୍ପତ୍ତି ୧୯୮  କୋଟି ଟଙ୍କା ଥିବା ସେ ଘୋଷଣା କରିଛନ୍ତି । ଦ୍ୱିତୀୟରେ ଅଛନ୍ତି ଓଡ଼ିଶାର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡ଼ା ଆସନରୁ ନିର୍ବାଚନ ଲଢ଼ୁଥିବା ବୈଜୟନ୍ତଙ୍କ ସମ୍ପତ୍ତି ୧୪୮ କୋଟି ଥିବା ସେ  ସତ୍ୟପାଠରେ ଦର୍ଶାଇଛନ୍ତି । ବିଜେପି ଟିକଟରେ ଚଣ୍ଡିଗଡ଼ରୁ ପ୍ରାର୍ଥୀ  ହୋଇଥିବା ସଞ୍ଜୟ ଟଣ୍ଡନ ୧୧୧ କୋଟି ଟଙ୍କାର ସମ୍ପତ୍ତି ସହ ତୃତୀୟ  ଧନୀ ପ୍ରାର୍ଥୀ ଅଛନ୍ତି । କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟଙ୍କ ସମ୍ପତ୍ତି ୧୦୦  କୋଟି ଏବଂ ଅଭିନେତ୍ରୀ ତଥା ବିଜେପି ପ୍ରାର୍ଥୀ କଙ୍ଗନା ରାଣାୱତଙ୍କ  ସମ୍ପତ୍ତି ୯୧ କୋଟି ଟଙ୍କା ବୋଲି ସେ ଘୋଷଣା କରିଛନ୍ତି । 

୪୪% ବା ୪୦୨ ଜଣଙ୍କ ଶିକ୍ଷାଗତ ଯୋଗ୍ୟତା ୫ମରୁ ଦ୍ୱାଦଶ ରହିଛି । ୪୩୦ ଜଣ ନିଜ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କିମ୍ବା ଏହାଠାରୁ ଅଧିକ ଥିବା ଦର୍ଶାଇଛନ୍ତି । ୨୦ ଜଣ ଡିପ୍ଲୋମାଧାରୀ ।  ୨୪ ଜଣ ନିରକ୍ଷର ରହିଛନ୍ତି । ୨୪୩ ଜଣଙ୍କ ବୟସ ୨୫ରୁ ୪୦ ବର୍ଷ   ରହିଛି । ୪୮୧ ଜଣଙ୍କ ବୟସ ୪୧ରୁ ୬୦ ବର୍ଷ ଏବଂ ୧୭୭ ଜଣ  ୬୧ରୁ ୮୦ ବର୍ଷ ଭିତରେ ଅଛନ୍ତି । ୩ ଜଣଙ୍କ ବୟସ ୮୦ ବର୍ଷରୁ  ଅଧିକ ରହିଛି । 

ଏଡିଆର୍‌ ରିପୋର୍ଟରେ ଆହୁରି କୁହାଯାଇଛି ଯେ,  ଲୋକସଭା ନିର୍ବାଚନରେ ମୋଟ ୮,୩୩୭ ଜଣଙ୍କ ମଧ୍ୟରୁ ମହିଳା  ପ୍ରାର୍ଥୀଙ୍କ ସଂଖ୍ୟା ୧୦%ରୁ ବି କମ୍‌ । ନିର୍ବାଚନରେ ମାତ୍ର ୭୯୭  ମହିଳା ପ୍ରାର୍ଥୀ ରହିଛନ୍ତି ଯାହା କି ମୋଟ୍ ପ୍ରାର୍ଥୀଙ୍କର ମାତ୍ର ୯.୫% ।  ପ୍ରଥମ ପର୍ଯ୍ୟାୟରେ ୧୩୫, ଦ୍ୱିତୀୟ ପର୍ଯ୍ୟାୟରେ ୧୦୦, ତୃତୀୟରେ  ୧୨୩, ଚତୁର୍ଥରେ ୧୭୦, ପଞ୍ଚମରେ ୮୨, ଷଷ୍ଠ ପର୍ଯ୍ୟାୟରେ ୯୨  ଏବଂ ସପ୍ତମ ପର୍ଯ୍ୟାୟରେ କେବଳ ୯୫ ମହିଳା ପ୍ରାର୍ଥୀ ରହିଛନ୍ତି ।

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.