ADR ରିପୋର୍ଟରେ ସତ୍ୟପାଠ ସତ; ୧୬% ପ୍ରାର୍ଥୀଙ୍କ ନାଁରେ ହତ୍ୟା ମାମଲା, ୨୮% କୋଟିପତି

Published By : Prameya-News7 Bureau | April 09, 2024 IST

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ।  ଅଧାରୁ ଅଧିକ ନେତା ଅପରାଧୀ । ୧୬ %  ପ୍ରାର୍ଥୀଙ୍କ ନାଁରେ ହତ୍ୟା ମାମଲା । ୨୮% ପ୍ରାର୍ଥୀ ସମ୍ପତ୍ତିର ସୌଦାଗର । ଏଡିଆର୍ ରିପୋର୍ଟରେ ସତ୍ୟପାଠ ସତ । ପ୍ରଥମ ପର୍ଯ୍ୟାୟ ମତଦାନକୁ ଆଉ ଦୁଇ ସପ୍ତାହ ବାକି । ଗ୍ରୀଷ୍ମର ତାତି ଭିତରେ ପ୍ରଚାର ପାରା ହାଇ ହୋଇଛି। ନା ଡହଡହ ଖରାକୁ ଖାତିର୍ ଅଛି ନା ଖାଞ୍ଜି ପବନକୁ ଡର ଅଛି । ଭୋଟ୍ ହାତେଇବା ପାଇଁ ଭୋଟରଙ୍କୁ ମନେଇବାକୁ ଚାଲିଛି ପ୍ରାଣମୂର୍ଚ୍ଛା ପ୍ରୟାସ । ପ୍ରତିଶ୍ରୁତିର ପହାଡ଼ରେ ପୋତି ପକାଉଛନ୍ତି ପ୍ରାର୍ଥୀ । ହେଲେ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସର ରିପୋର୍ଟ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କୁ ମୁଖା ଖୋଲି ଦେଇଛି । ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ମାଳମାଳ ଅପରାଧୀ । ଯାହା ସେମାନେ ନିର୍ବାଚନ ଆୟୋଗଙ୍କୁ ଦଖଲ କରିଥିବା ସତ୍ୟପାଠ ଉଲ୍ଲେଖ ରହିଛି । 

ଏପ୍ରିଲ୍ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ । ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟିଂ। ୧୦୨ ଲୋକସଭା ସିଟ୍‌ରେ ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ମାତ୍ର ନିର୍ବାଚନୀ ମୈଦାନଙ୍କୁ ଓହ୍ଲାଇଥିବା ନେତାଙ୍କ ମଧ୍ୟରେ ୧୬ ପ୍ରତିଶତ ଅର୍ଥାତ୍ ୨୫୨ଜଣ ପ୍ରାର୍ଥୀ ଅପରାଧିକ ପୃଷ୍ଠଭୂମିରୁ ରହିଛନ୍ତି । ଯେଉଁ ମାନଙ୍କ ନାଁରେ ରହିଛି ହତ୍ୟା, ଅପରହଣ, ଶୋଷଣ ଭଳି ସଙ୍ଗୀନ ମାମଲା ।  ମୋଟ୍ ପ୍ରାର୍ଥୀଙ୍କ ମଧ୍ୟରେ ୧୬୧୮ଜଣଙ୍କ ସତ୍ୟପାଠ ଏଡିଆର୍ ଦ୍ବାରା ବିଶ୍ଲେଷଣ ହୋଇଛି । ୧୬୧ ଜଣଙ୍କ ନାଁରେ ହତ୍ୟା, ଅପହରଣ ଭଳି ସଙ୍ଗୀନ ମାମଲା ରହିଛି । ୭ ଜଣଙ୍କ ବିରୋଧରେ ହତ୍ୟା ଏବଂ ୧୯ ଜଣଙ୍କ ଉପରେ ହତ୍ୟା ଉଦ୍ୟମ ଅଭିଯୋଗରେ ମାମଲା ରୁଜୁ ହୋଇଛି । ୧୮ ଜଣଙ୍କ ନାଁରେ ମହିଳା ବିରୋଧୀ ଅପରାଧ ମାମଲା ରହିଛି । ଏମାନଙ୍କ ମଧ୍ୟରୁ ଜଣେ ଦୁଷ୍କର୍ମ ଅଭିଯୁକ୍ତ ରହିଛନ୍ତି । 


ବିଜେପିର ୨୮ ପ୍ରାର୍ଥୀ ଓ କଂଗ୍ରେସର ୧୯ ପ୍ରାର୍ଥୀ ଅପରାଧୀ । ଆର୍‌ଜେଡିର ସମସ୍ତ ୪ ପ୍ରାର୍ଥୀଙ୍କ ନାଁରେ ରହିଛି କ୍ରିମିନାଲ କେସ୍‌ । ଡିଏମ୍‌କେର ୫୯%,   ଏସପି ୪୩%, ତୃଣମୂଳ କଂଗ୍ରେସର ୪୦% ଏବଂ  ବିଏସପିର ୧୩% ପ୍ରାର୍ଥୀଙ୍କ ଅଭିଯୁକ୍ତ । ୧୦୨ ଲୋକସଭା ନିର୍ବାଚନମଣ୍ଡଳୀରେ ତିନିରୁ ଅଧିକ ଅପରାଧୀ ପ୍ରାର୍ଥୀ ଥିବାରୁ ୪୨ଟି ମଣ୍ଡଳୀରେ ରେଡ୍‌ ଆଲର୍ଟ ଜାରି କରିଛନ୍ତି ନିର୍ବାଚନ ଆୟୋଗ । 

 ଖାଲି ଏତେକିରେ ଅଟିକିନି ଏଡିଆର୍ ରିପୋର୍ଟ ସତ୍ୟତା । ମୋଟ୍ ପ୍ରାର୍ଥୀଙ୍କ ମଧ୍ୟରେ ୨୮ ପ୍ରତିଶତ କୋଟିପତି ରହିଛନ୍ତି । ଯେଉଁମାନେ ନିଜ ସମ୍ପତ୍ତି ତାଲିକା ସତ୍ୟପାଠରେ ରଖିଛନ୍ତି । ୧୬୧୮ ପ୍ରାର୍ଥୀଙ୍କ ମଧ୍ୟରୁ ୪୫୦ଜଣଙ୍କ ସମ୍ପତ୍ତି କୋଟିଏ କିମ୍ବା ତା’ଠାରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି । ବିଜେପିର ୯୦% ପ୍ରାର୍ଥୀ କୋଟିପତି ହୋଇଥିବାବେଳେ ଏହି ତାଲିକାରେ କଂଗ୍ରେସର ୮୮% ପ୍ରତିଶତ ରହିଛନ୍ତି । ତେବେ ୧୦ ପ୍ରାର୍ଥୀଙ୍କର ଆଦୌ ସମ୍ପତ୍ତି ନଥିବା ସତ୍ୟପାଠରେ ଦର୍ଶାଇଛନ୍ତି । କୋଟିପତି ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୪.୫୧ କୋଟି ଟଙ୍କା ରହିଛି । ଶୀର୍ଷ ଧନୀ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ମଧ୍ୟପ୍ରଦେଶରୁ କଂଗ୍ରେସର ନକୁଳ ନାଥ ରହିଛନ୍ତି । ତାଙ୍କର  ସମ୍ପତ୍ତି ୭୧୬ କୋଟି ଟଙ୍କାରୁ ଅଧିକ ହେବ । ତାଙ୍କ ତଳକୁ  ଏଆଇଏଡିଏମ୍‌କେର ଅଶୋକ କୁମାର ରହିଛନ୍ତି, ଯାହାଙ୍କର ମୋଟ୍ ସମ୍ପତ୍ତିର ମୂଲ୍ୟ ୬୬୨ କୋଟି ଟଙ୍କା ହେବ ।

  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.