ମୁମ୍ବାଇ ୨୩।୧୧: ମହାରାଷ୍ଟ୍ର ୱର୍ଲି ବିଧାନସଭା ଆସନରୁ ଶିବସେନା (ଉଦ୍ଧବ) ନେତା ଆଦିତ୍ୟ ଠାକରେ ପୁଣି ଥରେ ନିର୍ବାଚନ ଜିତିଛନ୍ତି। ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭା ସଦସ୍ୟ ମିଲିନ୍ଦ ଦେଓରାଙ୍କୁ ପରାସ୍ତ କରିଛନ୍ତି। ଠାକରେ ପରିବାରରେ ପ୍ରଥମ ଥର ଆଦିତ୍ୟ ୨୦୧୯ରେ ନିର୍ବାଚନ ଲଢିଥିଲେ ଓ ବିଜୟୀ ହୋଇଥିଲେ। ବାଲାସାହେବ ଠାକରେ ୧୯୬୬ରେ ଶିବସେନା ସ୍ଥାପନା କରିଥିଲେ, ସେବେଠାରୁ ଠାକରେ ପରିବାରରେ କେହି କେବେ ନିର୍ବାଚନ ଲଢି ନଥିଲେ।
ତେବେ ୨୦୧୯ରେ ଆଦିତ୍ୟ ଠାକରେ ପରିବାରର ୫୩ ବର୍ଷର ପରମ୍ପରାକୁ ଭାଙ୍ଗି ପ୍ରଥମ ଥର ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ ଓ ସଫଳ ମଧ୍ୟ ହୋଇଥିଲେ। ଏବେ ଦ୍ୱିତୀୟବାର ସେ ସେହି ନିର୍ବାଚନମଣ୍ଡଳିରୁ ବିଧାୟକ ନିର୍ବାଚିତ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା ଆଦିତ୍ୟଙ୍କ ଶିକ୍ଷାଗତ ଯୋଗ୍ୟତା ଓ କିପରି ଆସିଲେ ରାଜନୀତିକୁ।
୧୩ ଜୁନ ୧୯୯୦ରେ ମୁମ୍ବାଇରେ ଜନ୍ମିତ ଆଦିତ୍ୟ ଠାକରେଙ୍କ ଲାଳନପାଳନ ମଧ୍ୟ ଏହି ସହରରେ ହୋଇଥିଲା। ତାଙ୍କର ପ୍ରାରମ୍ଭିକ ପାଠପଢା ମୁମ୍ବାଇର ସ୍କଟିସ୍ ସ୍କୁଲରେ ହୋଇଥିଲା। ରାଜନୈତିକ ପରିବାରର ହୋଇଥିଲେ ମଧ୍ୟ ସେ ତାଙ୍କ ପାଠପଢାରେ କେବେ ଅବହେଳା କରିନଥିଲେ। ପରେ ଆଦିତ୍ୟ ସେଣ୍ଟଜାଭିୟର୍ସ କଲେଜ ମୁମ୍ବାଇରୁ ଗ୍ରାଜୁଏସନ ଶେଷ କରିଥିଲେ। ସେ ଇତିହାସରେ ସ୍ନାତକ ହୋଇଥିଲେ ଓ ୨୦୧୫ ମସିହାରେ ଆଇନ ପଢିବା ପାଇଁ ଏଲଏଲବି ଆଡମିସନ ନେଇଥିଲେ।
ଆଦିତ୍ୟ ଠାକରେ ଏବେ ପୋଖତ ରାଜନେତା ହୋଇଯାଇଛନ୍ତି। ସେ ଦ୍ୱିତୀୟବାର ବିଧାୟକ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବରୁ ସେ ୨୦୧୯ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ ଓ ଜିତିଥିଲେ। ଏଥର ତାଙ୍କର ମୁହାଁ ମୁହିଁ ଦିଗ୍ଗଜ ନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରାଙ୍କ ସହ ହୋଇଥିଲା। ଏଥର ବିଜୟର ଅନ୍ତର ଗତ ଥର ଠାରୁ ଢେର କମ ରହିଛି ହେଲେ ବି ସେ ମିଲିନ୍ଦ ଦେଓରାଙ୍କୁ ପରାସ୍ତ କରିଛନ୍ତି। ଆଦିତ୍ୟ ଏଥର ମାତ୍ର ୮,୮୦୦ ଭୋଟ ଅନ୍ତରରେ ଜିତିଛନ୍ତି। ତେବେ ପ୍ରଥମ ଥର ନିର୍ବାଚନରେ ସେ ୬୭ ହଜାର ୪୨୭ ଭୋଟରେ ବିଜୟୀ ହୋଇଥିଲେ।
ଆଦିତ୍ୟ ଠାକରେ ପାଠ ପଢୁଥିବା ବେଳେ ୨୦୦୯ ମସିହାରେ ରାଜନୀତିରେ ପାଦ ଥାପିଥିଲେ। ସେ ଯୁବ ଶିବସେନାର ଅଧ୍ୟକ୍ଷ ହୋଇଥିଲେ। ୩୪ ବର୍ଷ ବୟସରେ ଆଦିତ୍ୟ ଠାକରେ ନିର୍ବାଚନ ରାଜନୀତିକୁ ପ୍ରବେଶ କରିଥିଲେ ଓ ପ୍ରଥମ ନିର୍ବାଚନରେ ସଫଳତାର ସହ ବିଜୟୀ ହୋଇଥିଲେ। ଏହା ପୂର୍ବରୁ ବାଲା ସାହେବ ଠାକରେଙ୍କ ପରିବାରର କେହି ସଦସ୍ୟ ସିଧାଶଳଖ ରାଜନୀତିକୁ ଆସୁନଥିଲେ। ତେବେ ବାଲାସାହେବ ତାଙ୍କ ପାର୍ଟି ନିର୍ବାଚନ ଚିହ୍ନରେ ଅନ୍ୟମାନଙ୍କୁ ନିର୍ବାଚନ ଲଢାଉଥିଲେ ଓ ମହାରାଷ୍ଟ୍ରରେ ନିଜର ରାଜନୈତିକ ପ୍ରଭୁତ୍ୱ ବଜାୟ ରଖୁଥିଲେ।