ଏକ ଭିଡିଓ ଜାରି କଲେ ଆଦିତ୍ୟଙ୍କ ବାପା-ମାଆ: କହିଲେ, ‘ଆମର ଇଲେକ୍ଟ୍ରିକ୍ ବିଲ୍ ଏବଂ ଘର ଭଡା ଦରକାର ନାହିଁ, ଆମକୁ ନ୍ୟାୟ ଦରକାର’
23/08/2020 at 6:47 PM

ଭୁବନେଶ୍ବର୨୩/୮: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାର ତଦନ୍ତ ମନ୍ଥର ଗତିରେ ଚାଲୁଥିବା କିଛିଦିନ ତଳେ ପିପୁଲ୍ ଫର୍ ସେବାର ସଦସ୍ୟମାନେ ଅଭିଯୋଗ କରିଥିଲେ। ଏହି ସମୟରେ ମୃତ ଆଦିତ୍ୟଙ୍କ ବାପା-ମାଆ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ସେ କାହିଁକି ଥାନାରେ ଏଫଆଇଆର୍ ଦେଇ ନଥିଲେ ସେହି ସଂପର୍କରେ କହିଛନ୍ତି।
ଦିନ ଗଡିବା ସହ ଆଦିତ୍ୟ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଂଚ ତଦନ୍ତକୁ ନେଇ ଉଠିବାରେ ଲାଗିଛି ଅନେକ ପ୍ରଶ୍ନ। ଭିସେରା ରିପୋର୍ଟକୁ ଅପେକ୍ଷା କରି ରହିଥିବା କ୍ରାଇମବ୍ରାଂଚ, ଆଦିତ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା ? ନା ହତ୍ୟା ? ତାହା ସ୍ପଷ୍ଟ କରିପାରିନାହିଁ । ଏଭଳି କ୍ଷେତ୍ରରେ ସାଧାରଣ ଲୋକଙ୍କ ମଧ୍ୟରେ ଲାଗିରହିଛି ବିଭିନ୍ନ କଳ୍ପନାଜଳ୍ପନା। ସେପଟେ ଆଦିତ୍ୟାଙ୍କ ପରିବାରକୁ ଟଙ୍କା ଯାଚି ମାମଲାକୁ ଚାପିବାକୁ ଉଦ୍ୟମ କରୁଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି । ଏଭଳି ପରିସ୍ଥିତିରେ ମାମାଲକୁ ଅଧିକ ଜଟିଳ ନ କରି ଯଥାଶୀଘ୍ର କ୍ଲୋଜ କରିବା ଆବଶ୍ୟକ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।
ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ହତ୍ୟା ? ନା ଆତ୍ମହତ୍ୟା ? ଏ ପ୍ରଶ୍ନର ଉତ୍ତର ପାଇଁ ଏବେ ବି ଚାହିଁ ରହିଛନ୍ତି ଓଡିଶାବାସୀ । କାଳେ ଏହାର ଉତ୍ତର ମିଳିଯିବ ସେଥିପାଇଁ ତଦନ୍ତ ଭାର ଦିଆଯାଇଥିଲା କ୍ରାଇମବ୍ରାଂଚ ହାତରେ । କ୍ରାଇମବ୍ରାଂଚ ତଦନ୍ତ କଲେ ଏହା ପଛର ଅସଲ କାରଣ ପଦାକୁ ଆସିବ ବୋଲି ଆନୁମାନ କରାଯାଉଥିଲା ।
ଏ ମଧ୍ୟରେ କ୍ରାଇମବ୍ରାଂଚ ତଦନ୍ତକୁ ବିତିଲାଣି ୨୩ ଦିନ । ଏହା ପୂର୍ବରୁ ଜିଆରପି ପୋଲିସ ମାସେ ଧରି ତଦନ୍ତ କରିଥିଲା । ଆଶା କରାଯାଉଥିଲା କ୍ରାଇମବ୍ରାଂଚ ତଦନ୍ତ କଲେ ଘଟଣା ପଛରେ ଥିବା ରହସ୍ୟ ଘେରରୁ ଅନ୍ଧାର ହଟିବ । ହେଲେ ଜିଆରପି ତଦନ୍ତ ଯେଉଁ ସ୍ଥାନରେ ଥିଲା, କ୍ରାଇମବ୍ରାଂଚ ମଧ୍ୟ ସେହି ସ୍ଥାନରେ ଆସି ଅଟକିଗଲା । ଆଦିତ୍ୟଙ୍କ ସହଯୋଗୀ ଓ ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ମଧ୍ୟରେ ସୀମିତ କ୍ରାଇମବ୍ରାଂଚ ଏଯାଏଁ ବି ଜାଣିପାରିଲାନି ଆଦିତ୍ୟଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା । ପରିବାର ଲୋକେ କିନ୍ତୁ ଏବେ ବି ନ୍ୟାୟ ଅପେକ୍ଷାରେ ବସି ରହିଛନ୍ତି । ପୁଅକୁ ହତ୍ୟା କରାଯାଇଛି ନ୍ୟାୟ ମିଳିବ ଆଶା ରଖିଛନ୍ତି । ହେଲେ କିଛି ତାଙ୍କୁ ଟଙ୍କା ଯାଚି ମାମଲାକୁ ଚାପିବାକୁ ଉଦ୍ୟମ କରୁଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।