ସ୍ପଟ୍‌ରେ ଛାନଭିନ୍ ପରେ କ୍ରାଇମବ୍ରାଞ୍ଚ୍‌ର ଜେରା : ଆଦିତ୍ୟଙ୍କ ୩ ବନ୍ଧୁଙ୍କୁ ସିରିଜ୍ ପ୍ରଶ୍ନ କଲେ ତଦନ୍ତକାରୀ ଅଧିକାରୀ, କାଲି ଆଶ୍ରମ ଓ ବିଦ୍ୟାଶ୍ରୀଙ୍କ ଘରକୁ ଯିବେ

Published By : Prameya-News7 Bureau | July 30, 2020 IST

ଭୁବନେଶ୍ୱର, ୩୦|୦୭ : ଆଦିତ୍ୟ ଦାସ ମୃତ୍ୟୁର ତଦନ୍ତ ଭାର କ୍ରାଇମ୍ ବ୍ରାଞ୍ଚ ନେବା ପରେ ଅନେକ ରହସ୍ୟ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି ।  ଗୁରୁବାର ତଦନ୍ତକାରୀ ଟିମ୍ ଆଦିତ୍ୟଙ୍କ ବନ୍ଧୁ ବିକାଶ, ପପୁ, ପ୍ରୀତମଙ୍କୁ ଜେରା କରିଛି। ଆଶ୍ରମରେ ହୋଇଥିବା ଟଙ୍କା ହେରଫେର କାରବାରକୁ ନେଇ ଏହି ୩ଜଣଙ୍କୁ ଜେରା କରାଯାଇଥିବା ସୂଚନା ମିଳିଛି । ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କୁ ନେଇ ବିଭିନ୍ନ ଦିଗ ଉପରେ ୩ ଜଣଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ୍। ସେପଟେ ଶୁକ୍ରବାର ପିପୁଲ ଫର ସେବା ଆଶ୍ରମ ଓ ବିଦ୍ୟାଶ୍ରୀଙ୍କ ଘରକୁ ଯାଇ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ଟିମ୍ ଯିବ ବୋଲି ଜଣାପଡିଛି ।

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ  କ୍ରାଇମବ୍ରାଞ୍ଚକୁ ସଫଳତା ମିଳିବ ବୋଲି ଆଶା କରାଯାଉଛି । ଲିଙ୍ଗରାଜ ଷ୍ଟେସନ ଯାଇ କ୍ରାଇମବ୍ରାଞ୍ଚ ଟିମ୍ ଖୋଳତାଡ ଆରମ୍ଭ କରିଛି  ।ଆଦିତ୍ୟଙ୍କ ମୃତଦେହ ମିଳିଥିବା ସ୍ଥାନକୁ ଉଭୟ କ୍ରାଇମବ୍ରାଞ୍ଚ ଓ ଜିଆରପି ଟିମ୍ ଯାଇଥିଲେ । ଦୀର୍ଘଦିନ ଧରି ଘଟଣାର ତଦନ୍ତ ଜିଆରପି କରୁଥିଲେ ମଧ୍ୟ ଏଯାଏଁ କୌଣସି ନିଷ୍କର୍ସରେ ପହଁଞ୍ଚି ପାରିନଥିବା ବେଳେ ପୋଲିସ ଡିଜି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଜିଆରପିରୁ କାଗଜପତ୍ର ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଜଣେ ଡିଏସପିଙ୍କ ନେତୃତ୍ବରେ ୨ ଜଣିଆ ଟିମ୍ ପହଞ୍ଚି ଜିଆରପି ଠାରୁ କାଗଜପତ୍ର ଗ୍ରହଣ କରିଛି । ତେଣୁ ତଦନ୍ତ ଆରମ୍ଭରୁ କ୍ରାଇମବ୍ରାଞ୍ଚ ଆକ୍ସନ ମୋଡକୁ ଆସିଥିବାରୁ କ୍ରାଇମବ୍ରାଞ୍ଚ ତଦନ୍ତରେ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଖୋଲିବା ସହ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ଯାହା ସ୍ପଷ୍ଟ ହେବ ବୋଲି ଆଶା ସଂଚାର ହୋଇଛି ।

ଗତ ୭ ତାରିଖ ସକାଳେ ଲିଙ୍ଗରାଜ ରୋଡ୍ ରେଲୱେ ଷ୍ଟେସନ ପାଖ ରେଳ ଧାରଣାରୁ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏନେଇ ଜିଆରପି ପୋଲିସ ତଦନ୍ତ କରୁଥିଲା । ମାମଲାରେ ଆଦିତ୍ୟଙ୍କ ପତ୍ନୀ ଏବଂ ୩୦ରୁ ଅଧିକ ବନ୍ଧୁଙ୍କୁ ଜେରା କରିଛି । ଆଦିତ୍ୟଙ୍କ ସୁଇସାଇଡ ନୋଟ୍ ମିଳିବା ପରେ ମାମଲା ନେଇ ଟ୍ବିଷ୍ଟ ଆସିଥିଲା । ହାଣ୍ଡ ରାଇଟିଂ ବ୍ୟୁରୋ ଏହା ଆଦିତ୍ୟଙ୍କ ହାତ ଲେଖା ବୋଲି କହିଥିଲା । ତେବେ ଏହି ମାମଲାରେ ବେଶି କିଛି ସୁରାଗ ମିଳିପାରିନଥିବା ବେଳେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ଛାନଭିନ୍ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.