ଟ୍ରେଡମାର୍କ ଲଢେଇରେ ଆଡିଡାସ ଖାଇଲା ମାତ୍, ଏହି କମ୍ପାନିର ଲୋଗୋକୁ ନେଇ ଥିଲା ଅପତ୍ତି

Published By : Prameya-News7 Bureau | January 14, 2023 IST

ନୂଆଦିଲ୍ଲୀ: ଆମେରିକାର ଲଗଜରୀ ଫ୍ୟାସନ ବ୍ରାଣ୍ଡ ଥମ ବ୍ରୋନେ ସହ ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଆଡିଡାସ ପରାଜିତ ହୋଇଛି । ଟ୍ରେଡ ମାର୍କକୁ ନେଇ ଆଡିଡାସ ଅଭିଯୋଗ କରିଥିଲା ଯେ ଥମ ବ୍ରୋନେର ଚାରି ଲାଇନ ଏହାର ତିନି ଲାଇନର ଡିଜାଇନ ସହ ସମାନ ରହିଛି । ଆଡିଡାସ ଏଥିପାଇଁ ୭.୮ ମିଲିୟନ ଅର୍ଥାତ ପ୍ରାୟ ୬୩ କୋଟି ଟଙ୍କା ଦାବି କରିଥିଲା । କିନ୍ତୁ ଏବେ ନ୍ୟୁୟର୍କ କୋର୍ଟ ଥମ ବ୍ରୋନେ ସପକ୍ଷରେ ନିଷ୍ପତ୍ତି ଶୁଣାଇଛନ୍ତି ।

ବିବିସିର ରିପୋର୍ଟ ଅନୁସାରେ ଥମ ବ୍ରୋନେ କୋର୍ଟରେ ଯୁକ୍ତି ରଖିଥିଲା ଯେ ଦୁଇ କମ୍ପାନିଙ୍କ ଟ୍ରେଡ ମାର୍କରେ କୌଣସି ସମାନତା ନାହିଁ । ଦୁଇ କମ୍ପାନିଙ୍କ ଲାଇନ ସଂଖ୍ୟା ଭିନ୍ନ । ଆଡିଡାସର ଡିଜାଇନରେ ତିନି ଲାଇନ ସମାନ ଥିବା ବେଳେ ଥମ ବ୍ରୋନେର ଲାଇନ ଗୁଡିକ ଭିନ୍ନ ରହିଛି । ଥମ ବ୍ରୋନେ ଏଲିଟ୍ କଷ୍ଟମରଙ୍କ ପାଇଁ ପୋଷାକ ତିଆରି କରିଥାଏ ।

ଉଲ୍ଲେଖଯୋଗ୍ୟ ଯେ ଦୀର୍ଘ ୧୫ ବର୍ଷ ଧରି ଏହି ବିବାଦ ଲାଗିଥିଲା । ୨୦୦୭ ମସିହାରେ ଥମ ବ୍ରୋନେ ଏକ ଜ୍ୟାକେଟ୍ ଉପରେ ତିନି ଲାଇନ ଥିବା ପେଟର୍ଣ୍ଣର ବ୍ୟବହାର କରିଥିଲା । ପ୍ରଥମ ଥର ଆଡିଡାସ ଏହାକୁ ନେଇ ବିରୋଧ କରିଥିଲା । ଥମ ବ୍ରୋନେ ଏହି ଟ୍ରେଡ୍ ମାର୍କକୁ ଛାଡି ଚାରି ଲାଇନର ପେଟର୍ଣ୍ଣକୁ ଆପଣାଇଥିଲା । ଆଡିଡାସ ଦୀର୍ଘ ବର୍ଷ ଯାଏ ଏହାର ବିରୋଧ କରି ନଥିଲା, କିନ୍ତୁ ୨୦୧୮ରେ ଆଡିଡାସ ପୁଣି ଥରେ ଥମ ବ୍ରୋନେ ବିରୋଧରେ ଟ୍ରେଡମାର୍ଡ ଉଲ୍ଲଂଘନର ଅଭିଯୋଗ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.