ଖାଇବାକୁ ନପାଇ ହସ୍ପିଟାଲରେ ଆଦିବାସୀ ମହିଳା, ପ୍ରଶାସନର ପ୍ରତିଶ୍ରୁତି ପାଲଟିଲା ପାଣିଗାର...

Published By : Prameya-News7 Bureau | August 23, 2021 IST

ସାଲେପୁର, ୨୩|୦୮:   ଖାଇବାକୁ ନପାଇ ଅନାହାରରେ ୭୦ବର୍ଷୀୟ ଆଦିବାସୀ ବୃଦ୍ଧା ନିକିମା ସିଂହ  । ଭୋକର ଜ୍ୱାଳା ସହିନପାରି ଖାଦ୍ୟ ମାଗିବାକୁ ଏଣେତେଣେ ବୁଲୁଥିବା ନିକିମା ହଠାତ ରାସ୍ତା କଡରେ ପଡିଯାଇ ଅଚେତ ହୋଇପଡ଼ିଥିଲେ । ତାଙ୍କୁ କିଛି ସ୍ୱେଚ୍ଛାସେବୀ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।   

ସୂଚନା ଅନୁସାରେ, କଟକ ଜିଲ୍ଲା ସାଲେପୁର ପୁରୁଷୋତ୍ତମପୁର ଗାଁରେ ରୁହନ୍ତି ନିକିମା । ଘର ପରିବାର ନାହିଁ । ଲୁଗା ଟାଙ୍ଗି ରୁହନ୍ତି ।   ଏଣେତେଣେ ବୁଲି ଯାହା ଖାଇବା ମିଳେ ସେଥିରେ ହିଁ ପେଟ ପୁରେ । ତେବେ ରବିବାର ସେ ରାସ୍ତା କଡରେ ଅଚେତ ହୋଇ ପଡିଯାଇଥିଲେ । ତାଙ୍କୁ  ସ୍ଥାନୀୟ କେତେକ ସ୍ୱେଚ୍ଛାସେବୀ ଉଦ୍ଧାର କରି  ଦମକଳ ବାହିନୀ  ସାହାଯ୍ୟରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରୁଛନ୍ତି ।

ଅଧିକ ଦିନ ନଖାଇ ନପିଇ ସେ ଦୁର୍ବଳ ହୋଇପଡିଥିବାରୁ ଡାକ୍ତର ସାଲାଇନ ଲଗାଇ ଚିକିତ୍ସା କରୁଛନ୍ତି । କିନ୍ତୁ ନିକିମାଙ୍କ କଥା କହିବାକୁ ବଳ ପାଉନି । ଗତ କିଛି ଦିନ ତଳେ ନିକିମାଙ୍କ ଅସହାୟତା ବାବଦରେ ପ୍ରଶାସନକୁ ଖବର ଦିଆଯାଇଥିଲା । ପ୍ରଶାସନ ମଧ୍ୟ ଘର ଖଣ୍ଡେ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ପ୍ରତିଶ୍ରୁତି କେବଳ ପାଣିର ଗାର ଥିଲା ବୋଲି ଧିରେଧିରେ ସ୍ପଷ୍ଟ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.