ଆରମ୍ଭ ହେଲା ଆଦିବାସୀ ମେଳା : ୨୫ ଜନଜାତିଙ୍କ ଘର ଓ ଜୀବନଶୈଳୀ ଦେଖଣାହାରୀଙ୍କୁ କରୁଛି ଆକୃଷ୍ଟ, ୧୫ ଦିନ ଧରି ଚାଲିବ
26/01/2019 at 7:27 PM

ଭୁବନେଶ୍ବର୨୬|୧: ଆରମ୍ଭ ହେଲା ଆଦିବାସୀ ମେଳା । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ୧୫ ଦିନ ଧରି ଚାଲିବାକୁ ଥିବା ମେଳାରେ ଆଦିବାସୀ ଘର ସହ ସେମାନଙ୍କ ଚଳଣି, ପରଂପରା,ଜୀବନ ଜିବୀକା ଓ ପ୍ରାଚୀନ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିବ । ଏଥିସହ ଚଳିତ ବର୍ଷ ୨୫ଟି ଜନଜାତିଙ୍କ ଘର ଦେଖିବାକୁ ମିଳିବ ମେଳାରେ ।ତେବେ ମେଳାରେ ଏମାନଙ୍କୁ ସ୍ବାଗତ ଜଣାଇବା ସହ ୧୫ ଦିନ ଧରି ରାଜଧାନୀବାସୀ ଓ ଜନଜାତି ସଂପ୍ରଦାୟର ଲୋକଙ୍କ ମଧ୍ୟରେ ହେବ ବିଭିନ୍ନ ପ୍ରକାର ଭାବର ଆଦାନ ପ୍ରଦାନ ।

କାଠବାଡର ପାଚେରୀ ଭିତରେ ଗୋବର ଓ ନାଲି ମାଟିରେ ଲିପା ଘର ।ରଙ୍ଗ ବେରଙ୍ଗ ର ଚିତ୍ରରେ ଚିତ୍ରିତ ନୁଆଁଣିଆ ଚାଳ ଛପର ଘର । ଘର ଆଗରେ ପଡିଛି ବିଭିନ୍ନ ଶସ୍ୟର ତଳି । କାରଣ ଏହା ହେଉଛି ଆଦିବାସୀ ମାନଙ୍କ ଘର । ସହରରେ ଏମାନେ ବାନ୍ଧିଛନ୍ତି ମେଳି । ଏହା ହେଉଛି ଆଦିବାସୀ ମେଳାର ଦୃଶ୍ୟ । ବଣ ପାହାଡ ଛାଡି ଏବେ ଏମାନେ ରାଜଧାନୀରେ । ଭୁବନେଶ୍ବର ଇଡକୋ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଯାଇଛି ଆଦିବାସୀ ମେଳା । ତେବେ ଚଳିତ ବର୍ଷ ୨୫ଟି ଜନଜାତିଙ୍କ ଘର ଦେଖଣାହାରୀଙ୍କୁ କରିବ ଆକୃଷ୍ଟ । ବିଶେଷ କରି ସଉରା, କୁଟିଆ ,ମାଟିଆ ,ଓରାମ ,ମୁଣ୍ଟା ,କିଷାନ , ପ୍ରମୁଖଙ୍କ ଘର ଏବର୍ଷ ମେଳାର ଆକର୍ଷଣ ସାଜିବ । ତେବେ ମେଳାରେ ଜନଜାତିର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସ୍ବାଗତ ଜଣାଇଛନ୍ତି । ରାଜ୍ୟ ସରକାର ଆଦିବାସୀଙ୍କ ଉନ୍ନତିଲାଗି ଗୁରୁତ୍ବ ଦେଇ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ମେଳା ସେମାନଙ୍କ ଲାଗି ସହାୟକ ହେବ ବୋଲି କହିଛନ୍ତି ।

କେବଳ ଆଦିବାସୀ ଘର ନୁହେଁ ସେମାନଙ୍କ ଚଳଣି, ପରଂପରା,ଜୀବନ ଜିବୀକା ଓ ପ୍ରାଚୀନ କଳା ସଂସ୍କୃତି ର ସ୍ବତନ୍ତ୍ରତାକୁ ମେଳାରେ ଦେଖିବାକୁ ମିଳିଛି । ଏଥିସହ ସଂଧ୍ୟାରେ ଏକାଠି ହୋଇ ନାଚ ଗିତ ମଧ୍ୟ କରିବେ ଏହି ଜନଜାତି ଲୋକମାନେ । ସେପଟେ ମେଳାରେ ରହିଛି ବିଭିନ୍ନ ବନ୍ୟଜାତ ସାମଗ୍ରୀର ବିକ୍ରିବଟା ପାଇଁ ସ୍ବତନ୍ତ୍ର ଷ୍ଟଲ । ଆଦିବାସୀ ଖାଦ୍ୟ ଲାଗି ରହିଛି ସ୍ବତନ୍ତ୍ର ଖାଦ୍ୟ ମେଳା । ତେବେ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଏହି ଆଦିବାସୀ ମେଳାକୁ ଉପଭୋଗ କରିବା ପାଇଁ ଏବେ ରାଜଧାନୀ ବାସୀ ଯେମିତି ପ୍ରସ୍ତୁତ ଏଠାକୁ ଆସିଥିବା ଆଦିବାସୀ ଲୋକେ ମଧ୍ୟ ମେଳାରେ ଯୋଗଦେିଥିବାରୁ ବେଶ ଖୁସି ।

ଆଜିଠାରୁ ୯ ତାରିଖ ଯାଏଁ ୧୫ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ମଜାଉଠାଇବେ ଲୋକେ । ତେବେ ପ୍ରଗତିର ମହାସ୍ରୋତରେ ଆଦିବାସୀଙ୍କୁ ସାମିଲ କରିବାଲାଗି ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି ମେଳାରେ ପ୍ରଥମ ଦିନ ଗହଳି ଦେଖିଲେ ଏହାର ଲୋକପ୍ରିୟତା ବଢିବାରେ ଲାଗିଛି ତାହା ଷ୍ଫଷ୍ଟ ।

ସେପଟେ ବିଜେପି ଅନୁସୁଚିତ ଜନଜାତି ମୋର୍ଚା ଆଦିବାସିଙ୍କ ସ୍ବାର୍ଥକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ଆଦିବାସୀ ମେଳା ମାତ୍ର କିଛି ଦିନପାଇଁ ବଜାର ସୃଷ୍ଟି କରୁଥିବା ବେଳେ ସ୍ଥାୟୀ ବଜାର ଲାଗି ସରକାର କାହିଁକି ଏଯାଏଁ ପଦକ୍ଷେପ ନେଉନାହାନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । କେନ୍ଦ୍ର ସରକାର ଏବାବଦରରେ ଅର୍ଥ ପ୍ରଦାନ କରୁଥିଲେ ବି ସରକାର ତାହାକୁ କାର୍ଯ୍ୟକାରୀ କରୁନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛନ୍ତି ।