MCD ନିର୍ବାଚନରେ ହାର ପରେ ଦିଲ୍ଲୀ ବିଜେପି ସଭାପତି ପଦରୁ ଆଦେଶ ଗୁପ୍ତାଙ୍କ ଇସ୍ତଫା

Published By : Prameya-News7 Bureau | December 11, 2022 IST

ନୂଆଦିଲ୍ଲୀ ୧୧।୧୨: ଦିଲ୍ଲୀ ନଗରନିଗମ (ଏମସିଡି) ନିର୍ବାଚନରେ ପରାଜୟ ପରେ ପ୍ରଦେଶ ବିଜେପି ସଭାପତି ଆଦେଶ ଗୁପ୍ତା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନା ଅନୁସାରେ ଆଦେଶ ଗୁପ୍ତା ତାଙ୍କ ଇସ୍ତଫା ପତ୍ରକୁ ପାର୍ଟି ଜାତୀୟ ସଭାପତି ଜେ.ପି. ନଡ୍ଡାଙ୍କୁ ପ୍ରଦାନ କରିଛନ୍ତି। କୁହାଯାଉଛି ନଡ୍ଡା ତାଙ୍କ ଇସ୍ତଫାକୁ ସ୍ୱୀକାର କରିଛନ୍ତି। ସଭାପତି ପଦରୁ ଆଦେଶ ଗୁପ୍ତାଙ୍କ ଇସ୍ତଫା ପରେ ଭିରେନ୍ଦ୍ର ସଚଦେବାଙ୍କୁ ଦିଲ୍ଲୀ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଛି।ଦଳର ଆଗାମୀ ପ୍ରଦେଶ ଅଧ୍ୟକ୍ଷ ମନୋନୟନ ପର୍ଯ୍ୟନ୍ତ ସଚଦେବା ଏହି ଦାୟିତ୍ୱ ତୁଲାଇବେ।

ଏମସିଡି ନିର୍ବାଚନରେ ବିଜେପି ୨୫୦ ୱାର୍ଡରୁ ୧୦୪ଟିରେ ଜିତିଛି। ଏହାର ଜବାବରେ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆମ ଆଦମୀ ପାର୍ଟି (ଆପ) ୧୩୪ଟି ୱାର୍ଡରେ ବିଜୟ ହାସଲ କରି ଏମସିଡି ହାତେଇଛି। ନିର୍ବାଚନରେ ବିଜେପି ସଭାପତି ରହୁଥିବା ୱାର୍ଡରେ ମଧ୍ୟ ବିଜେପିର ହାର ହୋଇଛି। ଏହାର ଜବାବରେ ଆଦେଶ ଗୁପ୍ତା ଇଲାକା ସାଂସଦ ଓ ବିଧାୟକଙ୍କର ହୋଇଥାଏ ବୋଲି କହିଥିଲେ। ଆଦେଶ ଗୁପ୍ତା ଏମସିଡିର ୱାର୍ଡ ନମ୍ବର ୧୪୧ ରାଜେନ୍ଦ୍ର ନଗରରେ ରହନ୍ତି। ଏଠାରୁ ଆମ ଆଦମୀ ପାର୍ଟିର ଆରତୀ ଚାୱାଲା ବିଜୟୀ ହୋଇଛନ୍ତି। ତେବେ ଏଠାରେ ଶେଷ ପର୍ଯ୍ୟନ୍ତ ଆଦେଶ ଗୁପ୍ତା ତାଙ୍କ ଦଳର ବିଜୟ ଦାବି କରିଆସୁଥିଲେ। ସେ ଦାବି କରୁଥିଲେ ଯେ ଯେତେବେଳେ ଚୂଡ଼ାନ୍ତ ଫଳାଫଳ ଆସିବ ସେତେବେଳେ ସବୁ ସ୍ପଷ୍ଟ ହୋଇଯିବ।

ଗୁପ୍ତା କହିଥିଲେ ଯେ ନଗରନିଗମ ନିର୍ବାଚନ ବିଜେପି ପ୍ରସଙ୍ଗମାନଙ୍କ ଉପରେ ଲଢିଥିଲା। ୧୫ ବର୍ଷ ପରେବି ଆମର ପ୍ରଦର୍ଶନ ବେଶ ଉତ୍ସାହଜନକ ଓ ଦିଲ୍ଲୀର ଜନତା କେବଳ ଆମ ଆଦମୀ ପାର୍ଟି ନୁହେଁ ବିଜେପି ଉପରେ ମଧ୍ୟ ସେମାନଙ୍କର ଆସ୍ଥା ସ୍ଥାପନ କରିଛନ୍ତି ବୋଲି କହିଥିଲେ । ଏମସିଡି ନିର୍ବାଚନ ଫଳାଫଳ ଆସିବା ପରେ ଆଦେଶ ଗୁପ୍ତା ମନିଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଅଞ୍ଚଳ ଆପ ମୁକ୍ତ ହୋଇଥିବା ସଦର୍ପେ ଘୋଷଣା କରିଥିଲେ। ହେଲେ ସେ ରହୁଥିବା ଅଞ୍ଚଳ ବିଜେପି ମୁକ୍ତ ହୋଇଯାଇଥିବା ସମ୍ପର୍କରେ ତାଙ୍କୁ ପଚରା ଯିବାରେ ବିଜେପି ସଭାପତିଙ୍କ କୌଣସି ଅଞ୍ଚଳ ନଥାଏ ବୋଲି କହିଥିଲେ। 

ସେ କହିଥିଲେ ଯେ ଅଞ୍ଚଳ ବିଧାୟକ ଓ ସାଂସଦଙ୍କର ହୋଇଥାଏ। ବିଜେପି ସଭାପତି ହୋଇଥିବାରୁ ସେ ପୁରା ଦିଲ୍ଲୀ ପାଇଁ କାମ କରୁଥିଲେ। ଏଣୁ ଦିଲ୍ଲୀରେ ବିଜେପିର ପ୍ରଦର୍ଶନ ବେଶ ଉତ୍ସାହଜନକ ଥିବା କହିଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.