ପଶ୍ଚିମବଙ୍ଗରେ ଏଡିନୋ ଭାଇରସ ଆତଙ୍କ; ୨୪ ଘଣ୍ଟାରେ ୩ ଶିଶୁ ମୃତ
8/03/2023 at 7:36 PM

କୋଲକାତା: ପଶ୍ଚିମବଙ୍ଗରେ ବ୍ୟାପୁଛି କି ଏଡିନୋ ଭାଇରସ? ଗତ ୨୪ ଘଣ୍ଟାରେ ୩ ଶିଶୁଙ୍କର ମୃତ୍ୟୁ ପରେ ଏହି ପ୍ରଶ୍ନ ଉଠିଛି। ଏଡିନୋ ଭାଇରସ୍ର ଲକ୍ଷଣ ଥିବା ୩ ଶିଶୁଙ୍କୁ କୋଲ୍କାତାର ବିଭିନ୍ନ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ୩ ଜଣଙ୍କ ମଧ୍ୟରୁ ୨ ଜଣ କୋଲକାତା ମେଡ଼ିକାଲ କଲେଜ୍ ଓ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ବେଳେ ଜଣେ ବି.ସି ରୟ ଚିଲ୍ଡ୍ରେନ୍ସ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ଏଡିନୋ ଭାଇରସ ଦ୍ୱାରା ଶିଶୁଙ୍କର ମୃତ୍ୟୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସରକାରୀ ଭାବେ କୌଣସି ସୂଚନା ଦେଉ ନଥିବା ବେଳେ ବେସରକାରୀ ଭାବେ ଗତ ୧୧ ଦିନରେ ୪୮ ମୃତ୍ୟୁ ହେଲାଣି ବୋଲି କୁହାଯାଉଛି।

କୋଲକାତା ମେଡିକାଲ କଲେଜ୍ ଓ ହସ୍ପିଟାଲ୍ରେ ମୃତ୍ୟୁ ହୋଇଥିବା ଦୁଇ ପିଲାଙ୍କ ବୟସ ଯଥାକ୍ରମେ ୬ ମାସ ଓ ୧୦ ମାସ। ଏହି ଦୁଇ ପିଲାଙ୍କର ଏଡିନୋ ଭାଇରସ୍ ଭଳି ଲକ୍ଷଣ ଦେଖା ଦେବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହିପରି ବିସି ରୟ ଚିଲ୍ଡ୍ରେନ୍ସ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ସମ୍ରାଟ ବାରିକ (୧୦ ମାସ) ସପ୍ତାହେ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ଫୁସୁଫ୍ସ୍ ସଂକ୍ରମଣ, ଜ୍ୱର ସହ ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେଇଥିଲା।
ତେବେ ଶିଶୁ ମୃତ୍ୟୁ ପରେ ବି.ସି. ରୟ ହସ୍ପିଟାଲ୍ ଉପରେ ଅଧିକ ଚାପ ସୃଷ୍ଟି ହୋଇଛି। କାରଣ ଗତ କିଛିଦିନ ହେବ ଏହି ହସପିଟାଲ୍ରେ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଛି।
ଅନ୍ୟପଟେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଶିଶୁ ରୋଗ ବିଶେଷଜ୍ଞ ଓ ଡାକ୍ତରଙ୍କ ପାଇଁ ଆଡ୍ଭାଇଜରି ଜାରି କରାଯାଇଛି। ଯେଉଁ ପିଲାମାନଙ୍କର ଫ୍ଲୁ ଭଳି ଲକ୍ଷଣ ଦେଖାଯାଉଛି, ସେମାନଙ୍କର ବିଶେଷ ଯତ୍ନ ନେବାକୁ ଏଥିରେ କୁହାଯାଇଛି। ବିଶେଷ କରି ୨ ବର୍ଷରୁ କମ୍ ବୟସର ପିଲାଙ୍କ ଠାରେ ଅଧିକ ବିପଦ ଥିବାରୁ ସେମାନଙ୍କର ଯତ୍ନ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଏଡିନୋ ଭାଇରସ୍ ସଂକ୍ରମଣର ବୃଦ୍ଧିକୁ ଦେଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ କର୍ମଚାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟି ରଦ୍ଦ କରାଯାଇଛି। ସରକାରୀ ହସ୍ପିଟାଲ୍ଗୁଡ଼ିକରେ ସ୍ୱତନ୍ତ୍ର ଶିଶୁ ୱାର୍ଡ ଖୋଲାଯାଇ ଲକ୍ଷଣ ଥିବା ପିଲାମାନଙ୍କର ଚିକିତ୍ସା ଜାରି ରହିଛି।

ତେବେ ବର୍ତ୍ତମାନ ସୁଧା ଏଡିନୋ ଭାଇରାସ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ କିମ୍ୱା ଚିକିତ୍ସା ଉପଲବ୍ଧ ନାହିଁ। ଏହି ଭାଇରାସ ରୋଗୀକୁ ଛୁଇଁଲେ, ରୋଗୀ କାଶିଲେ, ଛିଙ୍କିଲେ ବାୟୁ ଦ୍ୱାରା ଏହା ବ୍ୟାପିଥାଏ। ରୋଗୀର ଝାଡ଼ାରେ ବି ଏଡିନୋ ଭାଇରସ ବ୍ୟାପିବାର ଆଶଙ୍କା ରହିଛି।
