ବଙ୍ଗରେ ତାଣ୍ଡବ କରୁଛି ଏଡିନୋଭାଇରସ, ୨ ବର୍ଷର ଶିଶୁଙ୍କୁ ବେଶ୍ ବିପଦ

Published By : Prameya-News7 Bureau | March 02, 2023 IST

ପଶ୍ଚିମବଙ୍ଗ ୦୨/୦୩: ସାରା ଦେଶରେ କରୋନା ଭୂତାଣୁ ପରେ ଏବେ ଆଉ ଏକ ଭୂତାଣୁ କାୟା ମେଲୁଛି । ଏହାର ନାମ ଏଡିନୋଭାଇରସ୍ । ବର୍ତ୍ତମାନ ଏହି ଭୂତାଣୁ ପଶ୍ଚିମବଙ୍ଗରେ ଦ୍ରୁତ ଗତିରେ ବ୍ୟାପିଛି । ଏବେ ଏହି ଏଡିନୋଭାଇରସ୍ କବଳରେ ପଡୁଛନ୍ତି କଅଁଳ ଶିଶୁ ।

ରିପୋର୍ଟ ଅନୁଯାୟୀ ପଶ୍ଚିମବଙ୍ଗରେ ଏଡିନୋଭାଇରସ୍ ଯୋଗୁଁ ଏପର୍ଯ୍ୟନ୍ତ ୧୨ ଜଣ ଶିଶୁଙ୍କର ମୃତ୍ୟୁ ହେଲାଣି । ଏଥିମଧ୍ୟରୁ ଆଠ ଜଣ ପୂର୍ବରୁ କିମ୍ବା ଅନ୍ୟ ରୋଗରେ ପୀଡିତ ଥିଲେ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଏତେ ସଂଖ୍ୟାରେ ଶିଶୁଙ୍କ ମୃତ୍ୟୁକୁ ଏଡିନୋଭାଇରସ୍ ରୋଗ ମୃତ୍ୟୁ ବୋଲି ସ୍ୱିକାର କରୁନି ପ୍ରଶାସନ ।

ପ୍ରଶାସନ କହିବା କଥା ଋତୁ ପରିବର୍ତ୍ତନରେ ଏମିକି ହେବା ସ୍ୱାଭାବିକ୍ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଏକ ଜରୁରୀ ବୈଠକ ଡାକିଛନ୍ତି । ସରକାରଙ୍କ ପକ୍ଷରୁ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି ହୋଇଛି । ଏଡିନୋଭାଇରସ୍ ସଂକ୍ରମଣ ଏଡେନୋଭାଇରସ୍ ଦ୍ୱାରା ସୃଷ୍ଟି ହୋଇଥିବା ରୋଗ । ଏହା ସିଧାସଳଖ ଶ୍ୱାସକ୍ରିୟା ଉପରେ ଆକ୍ରମଣ କରେ ।

ଆମେରିକାର ରୋଗ ନିୟନ୍ତ୍ରଣ କେନ୍ଦ୍ର (ସିଡିସି) ଅନୁଯାୟୀ ଯେକୌଣସି ବୟସର ବ୍ୟକ୍ତି ଯେକୌଣସି ସମୟରେ ଏଡିନୋଭାଇରସ୍ ଦ୍ୱାରା ସଂକ୍ରମିତ ହୋଇପାରନ୍ତି । ବିଶେଷ କରି ଛୋଟ ପିଲାମାନେ ଅଧିକ ବିପଦରେ ପଡୁଛନ୍ତି । ଯେତେବେଳେ ଏହି ସଂକ୍ରମିତ ହୁଏ, ସାଧାରଣ ଥଣ୍ଡା କିମ୍ବା ଫ୍ଲୁ ଭଳି ଲକ୍ଷଣ ଦେଖାଯାଏ । ଏହା ବ୍ୟତୀତ ଜ୍ୱର, ଗଳାର ଶୁଷ୍କତା, ତୀବ୍ର ବ୍ରୋଙ୍କାଇଟିସ୍ ଭଳି ସମସ୍ୟା ମଧ୍ୟ ଆସେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.