୬ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ, ଆର କେ ଶର୍ମା ବୋର୍ଡ ଅଫ ରେଭନ୍ୟୁ ମେମ୍ବର

Published By : Prameya-News7 Bureau | October 29, 2022 IST

ଭୁବନେଶ୍ୱର, ୨୯/୧୦: ଭାରତୀୟ ପ୍ରଶାସନିକ ସେବା ସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଛନ୍ତି । ୧୯୯୩ ବ୍ୟାଚ୍ ଆଇଏଏସ୍ ଦେଓରଞ୍ଜନ ସିଂଙ୍କୁ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ ୧୯୮୭ ମସିହା ବ୍ୟାଚ୍ ଆଇଏଏସ୍ ଆର କେ ଶର୍ମାଙ୍କୁ ବୋର୍ଡ ଅଫ ରେଭନ୍ୟୁ ମେମ୍ବର(ରାଜସ୍ୱ ପର୍ଷଦ ସଦସ୍ୟ) ଭାବେ ଅବସ୍ଥାପିତ କରାଯାଇଛି । ଆସନ୍ତା ୩୧ତାରିଖରେ ୨ ବରିଷ୍ଠ ଆଇଏଏସ୍ ଜିଭିଭି ଶର୍ମା ଓ ମଧୁସୂଦନ ପାଢ଼ୀ ସରକାରୀ ଚାକିରିରୁ ଅବସର ନେବେ । ଏଥିସହ ଗୃହ ସଚିବ ସଞ୍ଜିବ ଚୋପ୍ରା କେନ୍ଦ୍ରୀୟ ଡେପୁଟେସନରେ ଯିବେ। ତେଣୁ ମୋଟ ୬ଜଣ ବରିଷ୍ଠ ଆଇଏଏସଙ୍କୁ ବିଭିନ୍ନ ବିଭାଗର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଜିଭିଭି ଶର୍ମା ୩୧ତାରିଖରେ ଅବସର ନେବାପରେ ସେ ବୋର୍ଡ ଅଫ ରେଭନ୍ୟୁର ମେମ୍ବର ଭାବେ କାର୍ଯ୍ୟ କରିବେ । ୧୯୮୭ ବ୍ୟାଚ୍ ଆଇଏଏସ୍ ତଥା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଡିଜି ଆରକେ ଶର୍ମାଙ୍କୁ ବୋର୍ଡ ଅଫ ରେଭନ୍ୟୁ ମେମ୍ବର ଭାବେ ନିଯୁକ୍ତି ମିଳିଛି । ସେ ଅତିରିକ୍ତ ଭାବେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଦାୟିତ୍ୱ ମଧ୍ୟ ତୁଲାଇବେ ।

ସେହିପରି ୧୯୯୧ ବ୍ୟାଚ୍ ଆଇଏଏସ୍ ତଥା ରାଜସ୍ୱ ସଚିବ ସତ୍ୟବ୍ରତ ସାହୁଙ୍କୁ ଅତିରିକ୍ତ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟିତ୍ୱ ନ୍ୟସ୍ତ ହୋଇଛି । ୩୧ତାରିଖରେ ମଧୁସୂଦନ ପାଢ଼ୀ ଅବସର ନେବା ପରେ ସେ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ । ୧୯୮୯ ବ୍ୟାଚ୍ ଆଇଏଏସ୍ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀ ଜେନା ଯୋଜନା ଓ ସଂଯୋଜନ ବିଭାଗର ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସଡମା ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା ୨୦୦୬ ବ୍ୟାଚ୍ ଆଇଏଏସ୍ ରୂପାରୋଶନ ସାହୁଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ସେ ଏସସିଇଆରଟି ନିର୍ଦ୍ଦେଶକ ଓ ଇଂରାଜୀ ଭାଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଶାଶ୍ୱତ ମିଶ୍ର ଏବେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

ସେହିପରି ୧୯୯୬ ବ୍ୟାଚ୍ ଆଇଏଏସ୍ ତଥା ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ସେ ଓଏସଏସଏସସି ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଅନ୍ୟପଟେ୧୯୯୩ ବ୍ୟାଚ୍ ଆଇଏଏସ୍ ତଥା ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେ ଓଏମସି , ଓଏମଇସିଏଲ୍ ,ଇଡକଲ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ନିର୍ବାହ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.