ନିର୍ବାଚନ ଫଳାଫଳରେ ଆଦାନୀଙ୍କ ରେକର୍ଡ କ୍ଷତି, ଗୋଟିଏ ଦିନରେ ହରାଇଲେ ୩.୬୪ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | June 04, 2024 IST

ମୁମ୍ବାଇ ୪।୬: ଦେଶର ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ଆଦାନୀ ଗ୍ରୁପର ରେକର୍ଡ କ୍ଷତି ହୋଇଛି। ଗ୍ରୁପର ସମସ୍ତ ୧୦ଟି ଜାକ କମ୍ପାନୀର ସେୟାର ତଳମୁହାଁ ଖସିଛନ୍ତି। ଫଳର ଗ୍ରୁପର ବଜାର ପୁଞ୍ଜିକରଣ (ମାର୍କେଟ୍ କ୍ୟାପ୍) ୩.୬୪ଲକ୍ଷ କୋଟି ଟଙ୍କା କ୍ଷତି ହୋଇଥିବା ଦେଖାଯାଇଛି। ଆଦାନୀ ଗ୍ରୁପ କମ୍ପାନୀଙ୍କ ସେୟାର ମୂଲ୍ୟରେ ୧୯ରୁ ୨୧ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି। ତେବେ ଏଥିରେ ସବୁଠୁ ଖାସ କଥା ଯାହା ତାହା ହେଉଛି ଆଦାନୀ ଗ୍ରୁପର ଅନେକ ସେୟାର ଲୋଅର ସର୍କିଟ ନିକଟରେ କାରବାର କରୁଛନ୍ତି। 

ସେୟାର ବଜାରରେ କାରବାର ସମାପ୍ତ ହେବା ପରେ ଆଦାନୀ ପୋର୍ଟର ସେୟାର ଦର ୨୧.୨୬ ପ୍ରତିଶତ ହ୍ରାସ ହୋଇଥିବା ବେଳେ ଆଦାନୀ ଏନର୍ଜୀ ସଲ୍ୟୁସନସ୍ ର ୨୦ ପ୍ରତିଶତ, ସମୂହର ମୁଖ୍ୟ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ୍ ୧୯.୩୫, ଆଦାନୀ ଗ୍ରୀନ ଏନର୍ଜୀ ସେୟାର ମୂଲ୍ୟରେ ୧୯.୨୦ ପ୍ରତିଶତ ହ୍ରାସ ହୋଇଛି। ସେହିପରି ଆଦାନୀ ଟୋଟାଲ ଗ୍ୟାସ୍ ସେୟାର ମୂଲ୍ୟରେ ୧୮.୮୮ ପ୍ରତିଶତ, ଏନଡିଟିଭି ୧୮.୫୨ ପ୍ରତିଶତ, ଆଦାନୀ ପାୱାର ୧୭.୨୭ ପ୍ରତିଶତ ଓ ଅମ୍ବୁଜା ସିମେଣ୍ଟ ସେୟାର ମୂଲ୍ୟ ୧୬.୮୮ ପ୍ରତିଶତ ତଳକୁ ଖସିଛି। 

ଏଥିରେ ଏସିସି ସେୟାର ମୂଲ୍ୟରେ ୧୪.୭୧ ପ୍ରତିଶତ ହ୍ରାସ ହୋଇଥିବା ବେଳେ ଆଦାନୀ ୱିଲ୍ମର ୯.୯୮ ପ୍ରତିଶତ ତଳକୁ ଖସିଛି। ସେହିପରି କାରବାର କାଳରେ ସମୂହର ୧୦ କମ୍ପାନୀଙ୍କ ମଧ୍ୟରୁ ୮ଟିର ଲୋଅର ସର୍କିଟ୍ ଲାଗିଥିଲା। କାରବାର କାଳରେ ଆଦାନୀ ଏଣ୍ଟରପ୍ରାଇଜେସ୍ ୨୫ ପ୍ରତିଶତ ନିମ୍ନ ସର୍କିଟକୁ ଲାଗିଥିଲା। ସେହିପରି ଆଦାନୀ ପୋର୍ଟସ୍ ୨୫ ଓ ଅମ୍ବୁଜା ସିମେଣ୍ଟ ସେୟାର ଦର ୨୨.୫ ପ୍ରତିଶତ ହ୍ରାସ ହୋଇ ନିମ୍ନ ସର୍କିଟକୁ ପହଞ୍ଚିଥିଲା। 

ଆଦାନୀ ଗ୍ରୁପର ୧୦ ଲିଷ୍ଟେଡ୍ କମ୍ପାନୀମାନଙ୍କ ମାର୍କେଟ୍ କ୍ୟାପ୍ ୩,୬୪,୩୬୬.୧୨ କୋଟି ଟଙ୍କାରୁ ହ୍ରାସ ହୋଇ ୧୫,୭୮, ୩୪୬.୭୯ କୋଟି ଟଙ୍କାକୁ ଚାଲି ଆସିଛି। ସୋମବାର ସୁଦ୍ଧା ଗ୍ରୁପର କମ୍ପାନୀମାନଙ୍କ ବଜାର ପୁଞ୍ଜିକରଣ ୧୯,୪୨,୭୧୨.୯୧ କୋଟି ଟଙ୍କାର ଥିଲା। ତେବେ ସବୁଠୁ ଖାସ କଥା ହେଉଛି ଦିନକ ପୂର୍ବରୁ ଗ୍ରୁପର ମାର୍କେଟ୍ କ୍ୟାପରେ ୧.୫୦ଲକ୍ଷ କୋଟିରୁ ଅଧିକ ବୃଦ୍ଧି ସହ ଆଦାନୀ ଏସିୟାର ଧନାଢ୍ୟ ବ୍ୟକ୍ତିଙ୍କ ସୂଚୀର ପ୍ରଥମ ସ୍ଥାନକୁ ଉନ୍ନିତ ହୋଇଥିଲେ।  

ତେବେ ବଜାରରେ ସୋମବାର ଏତେବଡ ହ୍ରାସ ହେବ ଏଥି ପାଇଁ କେହି ପ୍ରସ୍ତୁତ ବି ନଥିଲେ। ଏଗଜିଟ୍ ପୋଲ ରିପୋର୍ଟ ପ୍ରସାରଣ ପରେ ସମସ୍ତେ ଭାବୁଥିଲେ ବିଜେପି ନିଜ ସଂଖ୍ୟା ବଳରେ ସହଜରେ ସରକାର ଗଢିପାରିବ। ତେବେ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଏନଡିଏ ୩୦୦ ସିଟ୍‌ ର ଲକ୍ଷ୍ୟକୁ ବି ପାର କରି ନ ପାରିବା ବଜାରରେ ନିରାଶା ସୃଷ୍ଟି କରିଛି। ଏପରି ସ୍ଥିତିରେ ନୂଆ ସରକାର ଗଠନ ପରେ ହିଁ ବଜାର ସ୍ଥିତିରେ ପରିବର୍ତ୍ତନ ଆସିବ ବୋଲି ଏବେ ଆକଳନ କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.