ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ପାଇଁ ଖୁସି ଖବର। ଆଦାନୀ ଗ୍ରୁପ ଅଫ୍ କମ୍ପାନୀର ଆଦାନୀ ପୋର୍ଟ ଆଣ୍ଡ ସ୍ପେଶାଲ ଇକୋନୋମିକ ଜୋନ୍ ବିଏସ୍ଇ ସେନ୍ସେକ୍ସରେ ସାମିଲ୍ ହେବାକୁ ଯାଉଛି। ଆଇଟି ସେକ୍ଟର ପ୍ରମୁଖ କମ୍ପାନୀ ୱିପ୍ରୋ ସ୍ଥାନରେ ଆଦାନୀ ପୋର୍ଟଙ୍କୁ ସାମିଲ୍ କରାଯିବ। ଗ୍ରୁପର୍ ପ୍ରଥମ କମ୍ପାନୀ ଭାବେ ଏହା ସେନ୍ସେକ୍ସରେ ସାମିଲ୍ ହେବ। ଏହା ପୂର୍ବରୁ ନିଫ୍ଟିରେ ଆଦାନୀ ଗ୍ରୁପ୍ର ଦୁଇଟି କମ୍ପାନୀ ଆଦାନୀ ପୋର୍ଟ ଓ ଆଦାନୀ ଏଣ୍ଟରପ୍ରାଇଜେସନ୍ ଲିଷ୍ଟେଡ୍ ହୋଇସାରିଛି। ଜୁନ ୨୪ ତାରିଖରେ ଆଦାନୀ ପୋର୍ଟ ସେନ୍ସେକ୍ସରେ ସାମିଲ୍ ହେବ ହେବ ବୋଲି ଶୁକ୍ରବାର ଇଣ୍ଡେକ୍ସ ଅପରେଟର ସୂଚନା ଦେଇଛି।
ଏସ୍ଆଣ୍ଡପି ଡାଓ ଜୋନ୍ସ ଇଣ୍ଡାଇସେଜ୍(S&P Dow Jones Indices) ଶୁକ୍ରବାର ନିଷ୍ପତ୍ତି ନେଇ ଘୋଷଣା କରିଛି ଯେ ଜୁନ ୨୪ ତାରିଖରେ ୱିପ୍ରୋ ସ୍ଥାନରେ ଆଦାନୀ ପୋର୍ଟକୁ ୩୦ ଶେୟାର ଥିବା ଇଣ୍ଡେକ୍ସ ସେନ୍ସେକ୍ସରେ ସାମିଲ୍ କରାଯିବ। ବିଏସ୍ଇର ଅର୍ଦ୍ଧବାର୍ଷିକ ପୁନଃସଂଗଠନ ପ୍ରକ୍ରିୟା(ସେମି ଆନୁଆଲ ରିବାଲାନ୍ସ ଏକ୍ସରସାଇଜ୍)ରେ ଅନେକ ପରିବର୍ତ୍ତନ କରାଯିବ। ଏସ୍ଆଣ୍ଡପି ଡାଓ ଜୋନ୍ସ ଇଣ୍ଡାଇସେଜ୍ ଓ ବିଏସ୍ଇ ଜଏଣ୍ଟ ଭେଞ୍ଚର ଏସିଆ ଇଣ୍ଡେକ୍ସ ପକ୍ଷରୁ ଏହି ଘୋଷଣା କରାଯାଇଛି। ଜୁନ ୨୪ରୁ ଏହି ପରିବର୍ତ୍ତନ କରାଯିବ। ବିଏସ୍ଇ ୧୦୦, ସେନ୍ସେକ୍ସ ୫୦, ସେନ୍ସେକ୍ସ ନେକ୍ସଟ୍ ୫୦, ବିଏସ୍ଇ ବ୍ୟାଙ୍କଏକ୍ସ, ବିଏସଇ ୧୦୦ ଇଣ୍ଡିସେସ୍ ଆଦିରେ ପରିବର୍ତ୍ତନ କରାଯିବ।
ପେଜ୍ ଇଣ୍ଡଷ୍ଟ୍ରିଜ୍, ଏସବିଆଇ କାର୍ଡ, ଆଇସିଆଇସିଆଇ ପ୍ରୁଡେନସିଆଲ୍ ଲାଇଫ୍ ଇନସୁରାନ୍ସ, ଜୁବିଲାଣ୍ଟ ଫୁଡ୍ ୱର୍କସ୍, ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଆଉ S&P BSE ୧୦୦୦ ଇଣ୍ଡେକ୍ସର ଅଂଶ ହେବେ ନାହିଁ। ତାଙ୍କ ସ୍ଥାନରେ ଆରିଇସି ଲିମିଟେଡ୍, ଏଚ୍ଡିଏଫ୍ସି ଏମ୍ସି, କାନାରା ବ୍ୟାଙ୍କ, କମିନ୍ସ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କୁ ସାମିଲ୍ କରାଯିବ। ଆହୁରି ମଧ୍ୟ ଟାଟା ଗ୍ରୁପ୍ କମ୍ପାନୀ ଟ୍ରେଣ୍ଟ ଲିମିଟେଡ୍ ସେନ୍ସେକ୍ସ ୫୦ରେ ଏଣ୍ଟ୍ରି କରାଯିବାକୁ ଥିବା ବେଳେ ଡିଭିର ଲାବୋରେଟୋରୀ ଲିମିଟେଡ୍ ଇଣ୍ଡେକ୍ସରୁ ହଟାଇ ଦିଆଯିବ। AU ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ, IDFC ଫାଷ୍ଟ ବ୍ୟାଙ୍କ ଜୁନ୍ ୨୪ ଠାରୁ ବିଏସ୍ଇ ବ୍ୟାଙ୍କଏକ୍ସରେ ରହିବେ ନାହିଁ। ତାଙ୍କ ସ୍ଥାନରେ ୟେସ୍ ବ୍ୟାଙ୍କ, କାନାରା ବ୍ୟାଙ୍କ ସାମିଲ୍ କରାଯିବ।