ମହଙ୍ଗା ପଡିଲା ହିଣ୍ଡନବର୍ଗ ରିପୋର୍ଟ, ଟପ୍-୧୦ ତାଲିକାରୁ ବାଦ ପଡିଲେ ଆଦାନୀ
31/01/2023 at 4:51 PM

ମୁମ୍ବାଇ ୩୧।୧: ବିଶ୍ୱର ଟପ୍-୧୦ବିଲିୟୋନେୟରଙ୍କ ସୂଚୀରେ ବଡ଼ ଧରଣର ଅଦଳବଦଳ ହୋଇଛି। ଦୀର୍ଘ ସମୟରୁ ଏହି ସୂଚୀର ଶୀର୍ଷ ୧୦ ସ୍ଥାନରେ ଥିବା ଦୁଇ ଭାରତୀୟ ଧନିକ ତଥା ଉଦ୍ୟୋଗପତି ଗୌତମ ଆଦାନୀ ଓ ମୁକେଶ ଅମ୍ବାନୀ ବାଦ ପଡିଛନ୍ତି। ୨୪ ଜାନୁୟାରୀ ୨୦୨୩ରେ ପ୍ରକାଶିତ ହିଣ୍ଡନବର୍ଗ ରିପୋର୍ଟ ଆସିବା ପରେ ଗୌତମ ଆଦାନୀଙ୍କ ସମୂହର ସେୟାର ମୂଲ୍ୟ ଲଗାତାର ହ୍ରାସ ହେଉଛି। ଯାହାର ପ୍ରଭାବ ତାଙ୍କ ନେଟୱର୍ଥ ଉପରେ ପଡିଥିବା ବେଳେ ମାତ୍ର ଗୋଟିଏ ସପ୍ତାହରେ ସେ ଟପ ଟେନ୍ ସୂଚୀରୁ ବିଦା ହୋଇଯାଇଛନ୍ତି।
ହିଣ୍ଡନବର୍ଗ ରିପୋର୍ଟ ଆସିବା ପରେ ଗୌତମ ଆଦାନୀଙ୍କ ନେଟୱର୍ଥରେ ଏପର୍ଯ୍ୟନ୍ତର ସବୁଠୁ ବଡ଼ ହ୍ରାସ ଦେଖାଯାଇଛି। ଏହି ରିପୋର୍ଟ ପ୍ରକାଶନର ସପ୍ତାହଟେ ମଧ୍ୟ ବିତିନି ବ୍ଲୁମବର୍ଗ ବିଲିୟୋନେୟର ଇଣ୍ଡେକ୍ସ ଅନୁସାରେ ମୋଟ ସମ୍ପତ୍ତି ହ୍ରାସ ହୋଇ ମାତ୍ର ୮୪.୪ ବିଲିୟନ ଡଲାର ହୋଇଯାଇଛି। ଏତିକି ନେଟୱର୍ଥ ସହିତ ଆଦାନୀ ଏବେ ବିଶ୍ୱରେ ଧନୀକ ସୂଚୀର ୧୧ତମ ସ୍ଥାନକୁ ଖସିଆସିଛନ୍ତି।
ବିଜନେସ୍ ଟୁଡେଙ୍କ ଅନୁସାରେ ଏହି ନେଗେଟିଭ ରିପୋର୍ଟ ସାମ୍ନାକୁ ଆସିବା ପରଠାରୁ ଷ୍ଟକ ମାର୍କେଟ୍ରେ ଲିଷ୍ଟେଡ୍ ଆଦାନୀ ଗ୍ରୁପର ସମସ୍ତ ୭ଟି କମ୍ପାନୀଙ୍କ ସେୟାର ମୂଲ୍ୟରେ ଯେଉଁ ହ୍ରାସ ଦେଖାଯାଇଛି, ଏଥିରେ ଆଦାନୀ ସମୂହଙ୍କ ମୋଟ ମାର୍କେଟ କ୍ୟାପିଟାଲ ୩ ଦିନରେ ୫.୫ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଛି। ଆଦାନୀ ଟୋଟାଲ ଗ୍ୟାସ୍ ଓ ଆଦାନୀ ଗ୍ରୀନ ଏନର୍ଜୀ ସେୟାର ମୂଲ୍ୟରେ ଗତ ୪ ଦିନରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖିବାକୁ ମିଳିଛି। ଏହା ଛଡା ସେୟାର ବଜାରରେ ସୂଚୀଭୁକ୍ତ ହୋଇଥିବା ଆଦାନୀ ପୋର୍ଟରୁ ଆରମ୍ଭ କରି ଆଦାନୀ ୱିଲମର ପର୍ଯ୍ୟନ୍ତ ସେୟାରରେ ଗୁରୁତର ହ୍ରାସ ହୋଇଛି ଓ ଏହି ହ୍ରାସ ଏବେବି ଜାରି ରହିଛି।
ବ୍ଲୁମବର୍ଗ ବିଲିୟୋନେୟର ଇଣ୍ଡେକ୍ସର ତାଜା ତଥ୍ୟ ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ବିଶ୍ୱର ଧନୀକଙ୍କ ସୂଚୀର ଦ୍ୱାଦଶ ସ୍ଥାନରେ ଅଛନ୍ତି। ତାଙ୍କର ମୋଟ ନେଟୱର୍ଥ ୮୨.୨ ବିଲିୟନ ଡଲାର। ଏବେ ଉଭୟ ଭାରତୀୟ ଉଦ୍ୟୋଗପତିଙ୍କ ନେଟୱର୍ଥରେ ସମାନ୍ୟ ଅନ୍ତର ରହିଛି। ଗୌତମ ଆଦାନୀ ଓ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ଏବେ ୨.୨ ବିଲିୟନ ଡଲାରର ପ୍ରଭେଦ ରହିଛି। ଉଲ୍ଲେଖଯୋଗ୍ୟ ଯେ ୨୦୨୨ ମସିହାରେ ଗୌତମ ଆଦାନୀ ବିଶ୍ୱର ତମାମ ଧନୀକଙ୍କ ତୁଳନାରେ ସବୁଠୁ ଅଧିକ ଆୟକାରୀ ବ୍ୟକ୍ତି ଭାବେ ଉଭା ହୋଇଥିଲେ।
୨୦୨୨ ମସିହାରେ ସମ୍ପତ୍ତି ଆୟ ଯୋଗୁ ଚର୍ଚ୍ଚାରେ ଥିବା ଗୌତମ ଆଦାନୀ୨୦୨୩ ଆରମ୍ଭ ମାସରେ ସମ୍ପତ୍ତି ହରାଇବା ମାମଲାରେ ଟପ-୧୦ ସୂଚୀରେ ସ୍ଥାନୀତ ହୋଇଛନ୍ତି। ଆଦାନୀ ମାତ୍ର ମାସକରେ ୩୬.୧ ବିଲିୟନ ଡଲାର ସମ୍ପତ୍ତି ହରାଇଛନ୍ତି।