ହିଣ୍ଡନବର୍ଗ ରିପୋର୍ଟ: ଆଦାନୀ ଗ୍ରୁପଙ୍କ ମାର୍କେଟ୍ କ୍ୟାପିଟାଲାଇଜେସନରେ ୧୦୦ ବିଲିୟନ ଡଲାର ହ୍ରାସ

Published By : Prameya-News7 Bureau | February 02, 2023 IST

ନୂଆଦିଲ୍ଲୀ ୨।୨: ହିଣ୍ଡନବର୍ଗ ରିସର୍ଚ୍ଚଙ୍କ ରିପୋର୍ଟରେ ଆଦାନୀ ସମୂହଙ୍କ କମ୍ପାନୀଙ୍କ ଉପରେ ଠକେଇ ଅଭିଯୋଗ ଆସିବା ପରଠାରୁ ସେୟାର ମୂଲ୍ୟରେ ହ୍ରାସ ଜାରି ରହିଛି। ଫଳରେ ଆଦାନୀ ଗ୍ରୁପଙ୍କ ବଜାର ପୁଞ୍ଜିକରଣ (ମାର୍କେଟ୍ କ୍ୟାପିଟାଲାଇଜେସନ) ୧୦୦ ବିଲିୟନ ଡଲାର ହ୍ରାସ ହୋଇଛି। ଏଥିରେ ଆଦାନୀ ଏଣ୍ଟରପ୍ରାଇଜର୍ସଙ୍କ ସେୟାର ମୂଲ୍ୟ ଗୁରୁବାର କାରବାର ଆରମ୍ଭରେ ୧୫ ପ୍ରତିଶତ କମିଯାଇଛି। ଏହା ସହିତ ସମୂହଙ୍କ ଅଧିକାଂଶ କମ୍ପାନୀଙ୍କ ସେୟାର ମୂଲ୍ୟ ମଧ୍ୟ କମିଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଆଦାନୀ ସମୂହଙ୍କ ଆଦାନୀ ଏଣ୍ଟରପ୍ରାଇଜର୍ସ ବୁଧବାର ୨୦ ହଜାର କୋଟି ଟଙ୍କାର ଫଲୋଅନ ପବ୍ଲିକ୍ ଅଫର (ଏଫପିଓ) ପ୍ରତ୍ୟାହାର କରୁଥିବା ଓ ନିବେଶକଙ୍କ ଅର୍ଥ ଫେରସ୍ତ ଲାଗି ଘୋଷଣା କରିଥିଲେ। ତେବେ କମ୍ପାନୀଙ୍କ ଏହି ନିଷ୍ପତ୍ତିକୁ ଏକ ଅପ୍ରତ୍ୟାସିତ ଝଟକା ବୋଲି ଏବେ ବିଚାର କରାଯାଉଛି। ଏଫପିଓରେ କମ୍ପାନୀର ସମସ୍ତ ସେୟାର ସବସ୍କ୍ରାଇବା ହେବା ପରେ ବି କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ତେବେ ସର୍ଟସେଲର ହିଣ୍ଡନବର୍ଗଙ୍କ ରିପୋର୍ଟ ଯୋଗୁ ଷ୍ଟକ୍ ରୁଟ ବଢିଯିବା ଯୋଗୁ କମ୍ପାନୀ ଏହି ନିଷ୍ପତ୍ତି ନେଇଛନ୍ତି।

{"id":740684,"sizeSlug":"full","linkDestination":"none"}

ହିଣ୍ଡନବର୍ଗ ରିପୋର୍ଟ ସାର୍ବଜନିକ ହେବା ପରଠାରୁ ଆଦାନୀଙ୍କ ସେୟାରରେ ଲଗାତାର ହ୍ରାସ ଦେଖା ଦେଇଛି। ଫଳରେ ଏସିୟାର ସବୁଠୁ ଧନୀଭାବେ ଅରବପତି ବ୍ୟବସାୟୀଙ୍କୁ ଟାଇଟଲ ମଧ୍ୟ ହରାଇବାକୁ ପଡିଛି। ସେପଟେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)ରେ କମ୍ପାନୀର ସେୟାର ଗୁରୁବାର ୧୫ ପ୍ରତିଶତ ହ୍ରାସ ହୋଇ ୧,୮୦୯.୪୦ ଟଙ୍କାକୁ ଆସିଯାଇଛି। ସମୂହର ଅନ୍ୟ କମ୍ପାନୀଙ୍କ ପ୍ରଦର୍ଶନ ମଧ୍ୟ ଲଗାତାର ଷଷ୍ଠ ଦିନ ଦୁର୍ବଳ ରହିଛି।

ଆଦାନୀ ପୋର୍ଟସ୍‌ଙ୍କ ସେୟାର ମୂଲ୍ୟରେ ଗୁରୁବାର ୧୪ ପ୍ରତିଶତ ହ୍ରାସ ଦେଖାଯାଇଛି। ସେହିପରି ଆଦାନୀ ଟ୍ରାନ୍ସମିସନ ସେୟାର ମୂଲ୍ୟରେ ୧୦ ପ୍ରତିଶତ ହ୍ରାସ ଦେଖାଦେଇଥିବା ବେଳେ ଆଦାନୀ ଗ୍ରୀନ ଏନର୍ଜୀ ସେୟାର ମୂଲ୍ୟରେ ୧୦ ପ୍ରତିଶତ, ଆଦାନୀ ଟୋଟାଲ ଗ୍ୟାସ୍‌ରେ ୧୦ ପ୍ରତିଶତ, ଆଦାନୀ ୱିଲମରରେ ୫ ପ୍ରତିଶତ, ଏନଡିଟିଭିରେ ୪.୯୯ ପ୍ରତିଶତ ଓ ଆଦାନୀ ପାୱାରରେ ୪.୯୮ ପ୍ରତିଶତ ହ୍ରାସ ହୋଇଛି। ତେବେ ଅମ୍ବୁଜା ସିମେଣ୍ଟ ସେୟାର ମୂଲ୍ୟରେ ୪.୯୮ ପ୍ରତିଶତ ଓ ଏସିସି ସେୟାର ମୂଲ୍ୟରେ ୭.୭୮ ପ୍ରତିଶତ ବୃଦ୍ଧି ହୋଇଛି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.