ଗ୍ୟାସ ସେକ୍ଟରରେ ୨୦ ହଜାର କୋଟି ନିବେଶ କରିବ ଆଦାନୀ ଗ୍ରୁପ୍, ମୁକେଶ ଅମ୍ବାନୀଙ୍କ ସହ ହେବ ଟକ୍କର
29/06/2023 at 6:28 PM

ନୂଆଦିଲ୍ଲୀ, ୨୯/୦୬: ଗ୍ୟାସ୍ ସେକ୍ଟରରେ ୨୦ ହଜାର କୋଟି ଟଙ୍କାର ନିବେଶ କରିବ ଆଦାନୀ ଗ୍ରୁପ୍। ଆଦାନୀ ଟୋଟଲ ଗ୍ୟାସ ଲିମିଟେଡ (ଏଟିଜିଏଲ) ଆଗାମୀ ୧୦ ବର୍ଷରେ ୧୮ ହଜାର କୋଟିରୁ ୨୦ ହଜାର କୋଟି ଟଙ୍କାର ନିବେଶ କରିବ। ରିପୋର୍ଟ ଅନୁଯାୟୀ, ଏହି ନିବେଶ ଦ୍ବାରା ଗାଡ଼ିରେ ବ୍ୟବହୃତ ହେଉଥିବା ସିଏନଜିର ରିଟେଲ ବିକ୍ରି, ଘରୋଇ ଏବଂ ଶିଳ୍ପ ଉଦ୍ୟୋଗକୁ ପାଇପ୍ ଦ୍ବାରା ଗ୍ୟାସ ପହଞ୍ଚାଇବା ଭିତ୍ତିଭୂମିକୁ ଆହୁରି ବିସ୍ତାର କରିବ କମ୍ପାନି। ତେବେ ଆଦାନୀ ଗ୍ରୁପ୍ର ଏହି ନିଷ୍ପତ୍ତି ଦ୍ବାରା ମୁକେଶ ଅମ୍ବାନୀଙ୍କ RGTIL ବଡ଼ ଟକ୍କର ମିଳିବ ବୋଲି କୁହାଯାଉଛି।
ବର୍ତ୍ତମାନ ATGL ଦେଶର ୧୨୪ ଜିଲ୍ଲାରେ ଗାଡ଼ି ପାଇଁ ସିଏନଜିର ରିଟେଲ ବିକ୍ରି ବ୍ୟତୀତ ପାଇପ୍ ଯୋଗେ ଘରୋଇ ରୋଷେଇ ଗ୍ୟାସ୍ ଯୋଗାଉଛି। ଦେଶରେ ଏଟିଜିଏଲର ୪୬୦ ସିଏନଜି ଷ୍ଟେସନ ରହିଛି ଏବଂ ପାଇପ ଯୋଗେ ରୋଷେଇ ଗ୍ୟାସ ପାଉଥିବା ପ୍ରାୟ ସାତ ଲକ୍ଷ ଗ୍ରାହକ ରହିଛନ୍ତି। ତେବେ ନୂଆ ବାର୍ଷିକ ରିପୋର୍ଟ ଅନୁଯାୟୀ, କମ୍ପାନି ଅତିରିକ୍ତ ଭିତ୍ତିଭୂମି ନିର୍ମାଣ ଉପରେ ଆର୍ଥିକ ବର୍ଷ ୨୦୨୨-୨୩ରେ ୧,୧୫୦ କୋଟି ଟଙ୍କାରୁ ଅଧିକ ନିବେଶ କରିଛି।
ଆହୁରି ପଢ଼ନ୍ତୁ: ଅନଲାଇନ୍ ଟ୍ରେନ୍ ଟିକଟ୍ ବୁକିଂରେ ଏଣ୍ଟ୍ରି କରିବ ଆଦାନୀ ଗ୍ରୁପ, Trainmanର କରିବ ଅଧିଗ୍ରହଣ
କମ୍ପାନି ସିଏଫଓ ପରାଗ ପାରିଖଙ୍କ କହିବା ଅନୁଯାୟୀ, ‘‘କମ୍ପାନି ଦୀର୍ଘମିଆଦୀ ଗ୍ୟାସ କାରବାର ସମ୍ଭାବନାକୁ ନେଇ ଆଶାବାଦୀ ରହିଛି। କମ୍ପାନି ଭିତ୍ତିଭୂମିର ନିର୍ମାଣ ଏବଂ ନେଟଓ୍ବର୍କ ବିସ୍ତାରରେ ଅଧିକ ନିବେଶ କରିବା ଉପରେ ଯୋଜନା କରୁଛି। କମ୍ପାନି ଏହାର ସହରୀ ଗ୍ୟାସ୍ ବିତରଣ କାରବାରକୁ ଆଗାମୀ ୮ରୁ ୧୦ ବର୍ଷରେ ଭିତ୍ତିଭୂମି ନିର୍ମାଣ ପାଇଁ ପ୍ରାୟ ୧୮ ହଜାର- ୨୦ ହଜାର କୋଟି ଟଙ୍କାର ନିବେଶ କରିବାକୁ ଲକ୍ଷ୍ୟ ରଖିଛି। ଏହା ଗ୍ରାହକଙ୍କ ଆଧାରକୁ ବ୍ୟାପକ କରିବା ଏବଂ ରାଜସ୍ବ ବୃଦ୍ଧି କରିବାରେ ସହାୟକ ହେବ।’’
କମ୍ପାନି ଏହାର ଲାଇସେନ୍ସ ପ୍ରାପ୍ତ ଅଞ୍ଚଳରେ ଷ୍ଟିଲ୍ ପାଇପଲାଇନକୁ ବିକଶିତ କରିବା ଏବଂ ସିଏନଜି ଷ୍ଟେସନକୁ ବଢ଼ାଇବା ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି ଏଟିଜିଏଲ ସିଇଓ ସୁରେଶ ମଙ୍ଗଲାନୀ। କମ୍ପାନି ଆଗାମୀ ୧୦ ବର୍ଷରେ ୧୮୦୦ରୁ ଅଧିକ ସିଏନଜି ଷ୍ଟେସନ ତିଆରି କରିବାକୁ ଯାଉଛି। ଯାହାଦ୍ବାରା ଅଧିକରୁ ଅଧିକ ଗ୍ରାହକଙ୍କ ପର୍ଯ୍ୟନ୍ତ ସିଏନଜି ଗ୍ୟାସ ଉପଲବ୍ଧ କରାଯାଇପାରିବ।
ଆହୁରି ପଢ଼ନ୍ତୁ: ବାହାନଗା ଟ୍ରେନ୍ ଟ୍ରାଜେଡି: ଗୌତମ ଆଦାନୀଙ୍କ ବଡ଼ ଘୋଷଣା, ଅଭିଭାବକ ହରାଇଥିବା ପିଲାଙ୍କ ପାଠ ପଢା ବୁଝିବେ