‘ଆମକୁ ବଦନାମ ପାଇଁ ଏଭଳି କରାଯାଉଛି’: ବିବାଦ ମଧ୍ୟରେ ଆଦାନୀ ଗ୍ରୁପ୍‌ର ପ୍ରତିକ୍ରିୟା; ନିଶିକାନ୍ତଙ୍କୁ ମହୁଆ ମୋଇତ୍ରାଙ୍କ ଲିଗାଲ ନୋଟିସ୍‌

Published By : Prameya-News7 Bureau | October 16, 2023 IST

ନୂଆଦିଲ୍ଲୀ: ଟିଏମସି ସାଂସଦଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ନିଶିକାନ୍ତ ଦୁବେ ଅଭିଯୋଗ ଆଣିଛନ୍ତି, ମହୁଆ ମୋଇତ୍ରା ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିଛନ୍ତି। ଏହି ଲାଞ୍ଚ ସେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ନେଇଛନ୍ତି। ଅବଶ୍ୟ ତାଙ୍କର ଏହି ଅଭିଯୋଗରେ ମହୁଆ ମୋଇତ୍ରା ମଧ୍ୟ ପାଲଟା ଆକ୍ରମଣ କରିଛନ୍ତି ଏବଂ ଏଭଳି ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ଏହି ମାମଲାରେ ଲିଗାଲ ନୋଟିସ୍‌ ମଧ୍ୟ ଜାରି କରିଛନ୍ତି। ସେପଟେ ଏହି ମାମଲାରେ ଏବେ ଆଦାନୀ ଗ୍ରୁପ୍‌ର ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଆଦାନୀ ସମୂହର ଛବିକୁ ଖରାପ ପାଇଁ ହେଉଛି ପ୍ରଚେଷ୍ଟା: ଆଦାନୀ ଗ୍ରୁପ୍‌

ଆଦାନୀ ଗ୍ରୁପ୍‌ ପ୍ରବକ୍ତା ସୋମବାର ଏକ ବୟାନ ଜାରି କରି ନିଜର ଅକ୍ଟୋବର ୯ ବୟାନ କଥା କହିଛି, ଯେଉଁଥିରେ କୁହାଯାଇଥିଲା ଯେ, ଘରୋଇ ଠାରୁ ଆରମ୍ଭ କରି ବୈଶ୍ବିକ ସ୍ତରରେ ଏକ ସ୍ବତନ୍ତ୍ର ବର୍ଗ ଆଦାନୀ ସମୂହର ଛବିକୁ ଖରାପ କରିବାକୁ ଲାଗିଛନ୍ତି। ଆଦାନୀ ସମୂହ କହିଛି ଯେ, ‘‘କିଛି ସମୂହ ଏବଂ ବ୍ୟକ୍ତି ଆମର ନାଁ, ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବାକୁ ଚାହୁଛନ୍ତି। ଆଦାନୀ ସମୂହ ଏବଂ ଆମର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ପ୍ରତିଷ୍ଠା ଏବଂ ହିତକୁ ମଳିନ କରିବା ପାଇଁ ଏହି ବ୍ୟବସ୍ଥା ୨୦୧୮ରୁ ଏଭଳି ପ୍ରୟାସ ଜାରି ରହିଛି ।’’

ଆହୁରି ପଢ଼ନ୍ତୁ: ମହୁଆ ମୋଇତ୍ରଙ୍କ ବିରୋଧରେ ବିଜେପିର ସାଂଘାତିକ ଅଭିଯୋଗ; ଲାଞ୍ଚ ନେଇ ଲୋକସଭା ଲଗଇନ୍ ଆକ୍ସେସ୍‌ ଦେଇ ଥାଇପାରନ୍ତି ଟିଏମ୍‌ସି ସାଂସଦ

ବୟାନରେ ଆହୁରି କୁହାଯାଇଛି ଯେ- ‘‘ଓସିସିଆରପି ଭଳି କିଛି ବିଦେଶୀ ସଂସ୍ଥା, ବିଦେଶୀ ଗଣମାଧ୍ୟମର ଏକ ବର୍ଗ, ସର୍ଟ ସେଲର ଏବଂ ଘରୋଇ ସ୍ତରରେ ଆଦାନୀ ସମୂହକୁ ବଦନାମ କରିବା ପାଇଁ ଏକ ଯୋଜନା ଜାରି ରହିଛି। ମୂଳତଃ ଆଦାନୀ ସମୂହର ବଜାର ମୂଲ୍ୟକୁ କମ୍‌ କରିବା ଉଦ୍ଦେଶ୍ୟରେ ଏସବୁ କରାଯାଉଛି। କୋର୍ଟରେ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ତାରିଖର ଠିକ୍‌ ପୂର୍ବରୁ ଏଜେଣ୍ଡା ଅନୁଯାୟୀ ରିପୋର୍ଟ ଉପସ୍ଥାପନ କରାଯାଇଛି। ଏଥିପାଇଁ ଆମେ ଆମର ଶେୟାରଧାରକଙ୍କ ସହ ନିଜ ହିତଧାରକଙ୍କ ହିତରେ ଏହି ବୟାନ ଜାରି କରୁଛୁ।’’

ନିଶିକାନ୍ତ ଦୁବେଙ୍କୁ ଲିଗାଲ ନୋଟିସ୍‌ ପଠାଇଲେ ମହୁଆ ମୋଇତ୍ରା:

ସେପଟେ ଏହି ମାମଲାରେ ନିଶିକାନ୍ତ ଦୁବେଙ୍କୁ ପାଲଟା ଆକ୍ରମଣ କରିଛନ୍ତି ମହୁଆ ମୋଇତ୍ରା। ଏଭଳି ଅଭିଯୋଗକୁ ମିଥ୍ୟା ଏବଂ ଭିତ୍ତିହୀନ କହିବା ସହ ଟିଏମସି ସାଂସଦ, ନିଶିକାନ୍ତ ଦୁବେଙ୍କୁ ଲିଗାଲ ନୋଟିସ୍‌ ପଠାଇଛନ୍ତି। ଯେଉଁଥିରେ ୨୪ ଘଣ୍ଟା ମଧ୍ୟରେ କ୍ଷମା ମାଗିବାକୁ କୁହାଯାଇଛି। ଖାଲି ସେତିକି ନୁହେଁ ଦୁବେଙ୍କ ଅଭିଯୋଗକୁ ପ୍ରସାରଣ କରିଥିବା ୟୁଟ୍ୟୁବ୍‌, ଏକ୍ସ, ଗୁଗଲ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ସଂସ୍ଥାଙ୍କୁ ମଧ୍ୟ ନୋଟିସ୍‌ କରି ସେମାନଙ୍କୁ ମଧ୍ୟ କ୍ଷମା ମାଗିବାକୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି ନେତା ନିଶିକାନ୍ତ ଦୁବେଙ୍କ ଅଭିଯୋଗ; ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ କରୁଛନ୍ତି ଟିଏମ୍‌ସି ସାଂସଦ ମୋହୁଆ ମୋଇତ୍ର

କ’ଣ ଏହି ମାମଲା ?

ରବିବାର ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖି ମହୁଆ ମୋଇତ୍ରାଙ୍କ ଉପରେ ଜଣେ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗ ଆଣିଥିଲେ। ଏହା ସହ ଯାଞ୍ଚ ପାଇଁ ଏକ କମିଟି ଗଠନ କରିବାକୁ ଦାବି କରିଥିଲେ। ଏତିକି ନୁହେଁ, ସେ ଗୃହରେ ମହୁଆ ମୋଇତ୍ରାଙ୍କ ନିଲମ୍ବିତ କରିବା ପାଇଁ ମଧ୍ୟ ଦାବି କରିଥିଲେ।

ଏହାରି ମଧ୍ୟରେ ନିଶିକାନ୍ତ ଦୁବେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ପୁଣି ଏକ ଚିଠି ଲେଖିଛନ୍ତି। ଏଥର ସେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ରାଷ୍ଟ୍ରମନ୍ତ୍ରର ରାଜୀବ ଚନ୍ଦ୍ରଶେଖଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ଦୁବେ ମହୁଆଙ୍କ ଉପରେ ଅଭିଯୋଗ ଆଣିଛନ୍ତି ଯେ, ସେ ଲୋକସଭା ଓ୍ବେବସାଇଟ୍‌ ଲଗଇନ୍ ସହ ଜଡ଼ିତ ତଥ୍ୟ ଲିକ୍ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.