ଆମେରିକା ସଂସ୍ଥା ହିଣ୍ଡେନବର୍ଗର ମିଛ ରିପୋର୍ଟ! ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ଆଦାନୀ ଗ୍ରୁପ୍

Published By : Prameya-News7 Bureau | January 26, 2023 IST

ନୂଆଦିଲ୍ଲୀ: ଆମେରିକା ସ୍ଥିତ ନିବେଶ ଅନୁସନ୍ଧାନ ଓ ଶର୍ଟ ସେଲର ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ଆଦାନୀ ଗ୍ରୁପ୍। ନିକଟରେ ହିଣ୍ଡେନବର୍ଗ ଆଦାନୀ ଗ୍ରୁପ ବିରୋଧରେ କର ଠକେଇ ନେଇ ରିପୋର୍ଟ ପ୍ରକାଶ କରିଥିଲା। କମ୍ପାନୀ ଋଣରେ ବୁଡ଼ିଛି ବୋଲି ସଂସ୍ଥା ରିପୋର୍ଟରେ କହିଥିଲା। ହେଲେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ କପୋଳକଳ୍ପିତ ବୋଲି ଆଦାନୀ ଗ୍ରୁପ କହିଛି। ତା ସହ ହିଣ୍ଡେନବର୍ଗ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୁରୁବାର କମ୍ପାନୀ ସୂଚନା ଦେଇଛି।  

ହିଣ୍ଡେନବର୍ଗର ଏଭଳି ରିପୋର୍ଟ ପ୍ରକାଶ ପାଇବା ପରେ ବୁଧବାର ଭୟରେ ଲୋକେ ଶେୟାର ବିକ୍ରି କରିବା ଆରମ୍ଭ କରିଦେଇଥିଲେ। ଫଳରେ ଅଦାନୀ ଗ୍ରୁପ୍‌ରେ ପାଖାପାଖି ୧ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଥିଲା। ଏବେ ଅଦାନୀ ଗ୍ରୁପର ପକ୍ଷରୁ ଏକ ବିବୃତ୍ତି ଜାରି କରି ହିଣ୍ଡେନବର୍ଗର ରିପୋର୍ଟକୁ ଖଣ୍ଡନ କରାଯାଇଛି।

ଗୁରୁବାର ଆଦାନୀ ଗ୍ରୁପ ଲିଗାଲ ଟିମ୍ ଗ୍ରୁପ ହେଡ୍ ଜତୀନ ଜାଲୁନ୍ଧୱାଲା କହିଛନ୍ତି "୨୦୨୩ ଜାନୁଆରୀ ୨୪ରେ ଗବେଷଣା ନ କରି ହିଣ୍ଡେନବର୍ଗ ଯେଉଁ ରିପୋର୍ଟ ପ୍ରକାଶ କରିଥିଲା ସେଥିରେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଅଦାନୀଗ୍ରୁପ୍‌ର ଶେୟାର ଧାରକଣ ପୁଞ୍ଜି ନିବେଶକଙ୍କୁ ଗୁରୁତର ଭାବେ ପ୍ରଭାବିତ କରିଛି। ରିପୋର୍ଟ ଦ୍ୱାରା ଭାରତୀୟ ଶେୟାର ବଜାରରେ ଯେଉଁ ଅସ୍ଥିରତା ସୃଷ୍ଟି ହୋଇଛି ସେଥିରେ ଭାରତୀୟ ନାଗରିକଙ୍କୁ ମଧ୍ୟ ଆଘାତ ଦେଇଛି ବୋଲି କମ୍ପାନୀ ଲିଗାଲ ମୁଖ୍ୟ କହିଛନ୍ତି।

କମ୍ପାନୀ ଆହୁରି ମଧ୍ୟ କହିଛି ଯେ ଆଦାନୀ ଶେୟାର୍‌କୁ ପ୍ରଭାବିତ କରି ଲାଭ ଉଠାଇବା ପାଇଁ ଜାଣିଶୁଣି ଏଭଳି ଭିତ୍ତିହୀନ ରିପୋର୍ଟ ପ୍ରକାଶ କରାଯାଇଛି। ତେଣୁ କମ୍ପାନୀ ହିଣ୍ଡନବର୍ଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ। ଏଥିପାଇଁ ଆମେରିକା ଓ ଭାରତରେ ଥିବା ଆଇନଦିଗଗୁଡ଼ିକୁ ବିଚାର କରାଯାଉଛି ବୋଲି ଗ୍ରୁପ୍‌ର ଲିଗାଲ ମୁଖ୍ୟ ସୂଚନା ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.