ହିଣ୍ଡନବର୍ଗ ରିପୋର୍ଟ ସତ୍ତ୍ୱେ ଆଦାନୀଙ୍କ ଉପରେ ରହିଛି ନିବେଶକଙ୍କ ଆସ୍ଥା, FPOରେ ହେଲା ଜୋରଦାର ନିବେଶ
31/01/2023 at 6:59 PM

ନୂଆଦିଲ୍ଲୀ ୩୧।୧: ହିଣ୍ଡନବର୍ଗ ରିପୋର୍ଟ ବିବାଦରେ ଆଦାନୀ ଗ୍ରୁପ ଲାଗି ଆସିଛି ଖୁସି ଖବର। ଆଦାନୀ ସମୂହର ପ୍ରମୁଖ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସଙ୍କ ଏଫପିଓକୁ ଶେଷ ଦିନରେ ଭଲ ରେସପନ୍ସ ମିଳିଛି। ଫଳରେ ସମସ୍ତ ଏଫପିଓ ସବସ୍କ୍ରାଇବ୍ ହୋଇ ଯାଇଛି। ସେୟାର ବଜାରରୁ ମିଳୁଥିବା ତଥ୍ୟ ଅନୁସାରେ ୨୦,୦୦୦ କୋଟି ଟଙ୍କାର ଏଫପିଓ ବିକ୍ରିର ମଙ୍ଗଳବାର ଶେଷ ଦିନ ଥିଲା, ଯାହାକୁ ନନ୍ ରିଟେଲ ଇନଭେଷ୍ଟରଙ୍କ ଯୋରଦାର ସମର୍ଥନ ମିଳିଛି। ତଥ୍ୟ ଅନୁସାରେ ୪.୫୫ କୋଟି ସେୟାର ଲାଗି ୪.୬୨ କୋଟିର ଚାହିଦା ଦେଖାଯାଇଛି।
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)ଙ୍କ ତଥ୍ୟ ଅନୁସାରେ ଅଣ ସଂସ୍ଥାଗତ ନିବେଶକ (ଏନଆଇଆଇ) ସେମାନଙ୍କ ଲାଗି ସଂରକ୍ଷିତ ୯୬.୧୬ ଲକ୍ଷ ସେୟାର ତୁଳନାରେ ତିନିଗୁଣାରୁ ଅଧିକ ସେୟାର ଲାଗି ବିଡ୍ କରିଛନ୍ତି। ସେହିପରି ସଂସ୍ଥାଗତ କ୍ରେତା ସେମାନଙ୍କ ଲାଗି ସଂରକ୍ଷିତ ୧.୨୮ କୋଟି ସେୟାର ସମ୍ପୂର୍ଣ୍ଣ ସବସ୍କ୍ରାଇବ କରି ନେଇଛନ୍ତି। ତେବେ ଏଫପିଓ ପ୍ରତି ରିଟେଲ ନିବେଶକ ଓ କମ୍ପାନୀର କର୍ମଚାରୀମାନେ ଉଦାସୀନ ରହିଛନ୍ତି।

ରିଟେଲ ନିବେଶକଙ୍କ ଲାଗି ପାଖାପାଖି ଅଧା ଇସ୍ୟୁ ସଂରକ୍ଷିତ ଥିଲା। ସେମାନଙ୍କ ଲାଗି ସଂରକ୍ଷିତ ୨.୨୯ କୋଟି ସେୟାର ମଧ୍ୟରୁ ମାତ୍ର ୧୧ ପ୍ରତିଶତ କ୍ରୟ କରିଛନ୍ତି। ସେହିପରି କର୍ମଚାରୀଙ୍କ ଲାଗି ସଂରକ୍ଷିତ ୧.୬ ଲକ୍ଷ ସେୟାର ମଧ୍ୟରୁ ୫୨ ପ୍ରତିଶତ ଲାଗି ବିଡ ହୋଇଛି। ତେବେ ଆଦାନୀ ସମୂହଙ୍କ ଅଧିକାଂଶ କମ୍ପାନୀଙ୍କ ସେୟାର ମୂଲ୍ୟରେ ମଙ୍ଗଳବାର ମଧ୍ୟ ହ୍ରାସ ଜାରି ରହିଛି। ବିଏସଇରେ ଲଗାତାର ଚତୁର୍ଥ ଦିନ ଲାଗି ଆଦାନୀ ଗ୍ରୁପ କମ୍ପାନୀଙ୍କ ସେୟାର ମୂଲ୍ୟ ହ୍ରାସ ହୋଇଛି। ଇଣ୍ଟ୍ରା ଡେ ଟ୍ରେଡରେ ଆଦାନୀ ଟୋଟାଲ ଗ୍ୟାସ୍ ସେୟାର ମୂଲ୍ୟରେ ୧୦ ପ୍ରତିଶତ ହ୍ରାସ ଦେଖାଯାଇଛି।
ସେହିପରି ଆଦାନୀ ଗ୍ରୀନ ଏନର୍ଜୀ ସେୟାର ମୂଲ୍ୟରେ ୯.୬୦, ଆଦାନୀ ଟ୍ରାନ୍ସମିସନରେ ୮.୬୨, ଆଦାନୀ ୱିଲମର ସେୟାର ମୂଲ୍ୟରେ ୫ ପ୍ରତିଶତ, ଆଦାନୀ ପାୱାରରେ ୪.୯୮, ଏନଡିଟିଭି ୪.୯୮ ଓ ଆଦାନୀ ପୋର୍ଟସ୍ ସେୟାର ମୂଲ୍ୟରେ ୧.୪୫ପ୍ରତିଶତ ହ୍ରାସ ହୋଇଛି। ତେବେ ଆଦାନୀ ଏଣ୍ଟରପ୍ରାଇଜେସର ସେୟାର ୫.୨୬ ପ୍ରତିଶତ ବଢିଛି। ସେହିପରି ଅମ୍ବୁଜା ସିମେଣ୍ଟ ସେୟାର ୫.୨୫ ଓ ଏସିସିର ସେୟାର ମୂଲ୍ୟରେ ୨.୯୧ ପ୍ରତିଶତ ବୃଦ୍ଧି ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ଆମେରିକାର ସର୍ଟ ସେଲିଂ କମ୍ପାନୀ ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟରେ ଆଦାନୀ ଗ୍ରୁପ ଉପରେ ଠକେଇର ଅଭିଯୋଗ କରିଛି। ଏହି ରିପୋର୍ଟ ପ୍ରକାଶନ ପରେ ଆଦାନୀ ସମୂହଙ୍କ କମ୍ପାନୀମାନଙ୍କ ସେୟାର ମୂଲ୍ୟ ବଜାରରେ ଲଗାତାର ହ୍ରାସ ହେଉଛି। ହିଣ୍ଡନବର୍ଗଙ୍କ ଏହି ରିପୋର୍ଟ ଆଦାନୀ ଏଣ୍ଟରପ୍ରାଇଜେସଙ୍କ ଏଫପିଓ ଆସିବାର ଠିକ୍ ପୂର୍ବରୁ ଅର୍ଥାତ ଜାନୁୟାରୀ ୨୪ ତାରିଖରେ ପ୍ରକାଶ ପାଇଥିଲା। ତେବେ ରିପୋର୍ଟରେ ହିଣ୍ଡନବର୍ଗ କରିଥିବା ଅଭିଯୋଗକୁ ଆଦାନୀ ଗ୍ରୁପ ଅସ୍ୱୀକାର କରୁଛି।