ନୂଆଦିଲ୍ଲୀ: ଏସିଆର ସବୁଠୁ ଧନୀ ଗୌତମ ଆଦାନୀଙ୍କ କମ୍ପାନି କରିଛି ବଡ଼ ଡିଲ୍। ଏହା ଡିଲ୍ ଫଳରେ ମିସାଇଲରୁ ଆରମ୍ଭ କରି ସାଇବର ଟେକ୍ନୋଲୋଜି ଉପରେ ପର୍ଯ୍ୟବେସିତ ବିଭିନ୍ନ ପ୍ରଡକ୍ଟର ଉତ୍ପାଦନ କରିବ ଆଦାନୀ ଡିଫେନ୍ସ ଆଣ୍ଡ୍ ଏରୋସ୍ପେଶ । ମଙ୍ଗଳବାର, ଆଦାନୀ ଡିଫେନ୍ସ ଆଣ୍ଡ୍ ଏରୋସ୍ପେଶ ଆବୁ ଧାବୀର ଟେକ୍ନୋଲୋଜୀ ଗ୍ରୁପ୍ ଏଜ୍ ଗ୍ରୁପ୍ (EDGE Group) ସହ ଜୁନ୍ ୧୧ରେ ଏକ ଚୁକ୍ତି କରିଛି।
ଏହା ଅନୁଯାୟୀ ଉଭୟ କମ୍ପାନି ମିଳିତ ଭାବରେ ପ୍ରତିରକ୍ଷା ଏବଂ ଏରୋସ୍ପେଶ ଦିଗରେ ସହଯୋଗ କରିବେ। ଖାଲି ସେତିକି ନୁହେଁ ଉଭୟ କମ୍ପାନି ବୈଶ୍ବିକ ସ୍ତରରେ ଏକ ପ୍ଲାଟଫର୍ମ ସ୍ଥାପନ କରିବେ ଯାହାଦ୍ବାରା ପରସ୍ପରର ଉତ୍ପାଦକୁ ଏକାଠି କରାଯାଇପାରିବ। କମ୍ପାନି କହିଛି ଯେ, ଏହାଦ୍ବାରା ବୈଶ୍ବିକ ଏବଂ ସ୍ଥାନୀୟ ସ୍ତରରେ ଗ୍ରାହକଙ୍କ ଆବଶ୍ୟକତା ପୂରଣ ହେବ। ଚୁକ୍ତି ଅନୁଯାୟୀ, EDGE ଗ୍ରୁପ୍ ଏବଂ ADANI ଗ୍ରୁପ୍ର ମୁଖ୍ୟ ଉତ୍ପାଦନ କ୍ଷେତ୍ରରେ ସହଯୋଗ କରାଯିବ। ଏହାଦ୍ବାରା ବିମାନ, ଗୋଳା-ବାରୁଦ ଏବଂ ପ୍ରତିରକ୍ଷା ଉତ୍ପାଦ ଯେମିତିକି ମିସାଇଲ ଏବଂ ହତିଆର, ମାନବବିହୀନ ବିମାନ ପ୍ରଣାଳୀ (ୟୁଏଏସ), ଯୁଦ୍ଧ ସାମଗ୍ରୀ, କାଉଣ୍ଟ ଡ୍ରୋନ୍ ସିଷ୍ଟମ, ମାନବ ବିହୀନ ଭୂପୃଷ୍ଠକୁ ଲକ୍ଷ୍ୟ କରିପାରୁଥିବା ପ୍ଲାଟଫର୍ମ ଏବଂ ସିଷ୍ଟମ (ୟୁଜିଭି) ଏହା ସହ ଇଲେକ୍ଟ୍ରୋନିକ୍ ଯୁଦ୍ଧ (ଇଡବ୍ଲୁ) ଏବଂ ସାଇବର ଟେକ୍ନୋଲୋଜି ନିର୍ମାଣ ହେବ।
ଏହି ଚୁକ୍ତି ଅନୁଯାୟୀ, ଭାରତ ଏବଂ ୟୁଏଇରେ ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ (ଆରଆଣ୍ଡ୍ଡି) ସୁବିଧା ସ୍ଥାପନ ହେବ, ପ୍ରତିରକ୍ଷା ଏବଂ ଏରୋସ୍ପେଶ ସଲ୍ୟୁସନର ବିକାଶ, ପ୍ରୋଡକ୍ସନ, ଏବଂ ରକ୍ଷଣାବେକ୍ଷଣର ସୁବିଧା ସ୍ଥାପିତ କରିବା ପାଇଁ ଏକ୍ସପ୍ଲୋରେସନ କରାଯିବ। ବିବୃତ୍ତିରେ କୁହଯାଇଛି ଯେ, ଏହି ଡିଲ୍ କେବଳ ଦୁଇ ଦେଶ ପାଇଁ ନୁହେଁ, ବରଂ ଏଥିରେ ଦକ୍ଷିଣପୂର୍ବ ଏସିଆ ଏବଂ ଗ୍ଲୋବାଲ ମାର୍କେଟକୁ ମଧ୍ୟ ସାମିଲ୍ କରାଯିବ।