ଫିଲ୍ମ ଇଣ୍ଡଷ୍ଟ୍ରିରେ ପୁଣି ଶୋକ, ଚାଲିଗଲେ ପ୍ରସିଦ୍ଧ ଅଭିନେତ୍ରୀ ସୀମା ଦେଓ
25/08/2023 at 9:02 AM

ମୁମ୍ଵାଇ ୨୫।୦୮: ଫିଲ୍ମ ଇଣ୍ଡଷ୍ଟ୍ରିରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଭେଟେରାନ ଅଭିନେତ୍ରୀ ସୀମା ଦେଓଙ୍କର ଦେହାନ୍ତ ହୋଇଛି। ଏହି ଅଭିନେତ୍ରୀ ଆନନ୍ଦ, କୋଶିସ ଏବଂ କୋରା କାଗାଜ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସୀମା ଦେଓ ୮୩ ବର୍ଷ ବୟସରେ ସେ ଦୁନିଆକୁ ବିଦାୟ ଦେଇଛନ୍ତି। କୁହାଯାଉଛି ସେ ଦୀର୍ଘ ଦିନ ଧରି ଅଲଜାଇମର ରୋଗରେ ପୀଡିତ ଥିଲେ । ହେଲେ ଗୁରୁବାର ସକାଳେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏନେଇ ତାଙ୍କ ପୁଅ ଅଭିନୟ ଦେଓ ଏକ ବିବୃତ୍ତି ଦେଇ କହିଛନ୍ତି।
ସୀମା ଦେଓ, ମରାଠୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଆଗଧାଡ଼ିର ଅଭିନେତ୍ରୀ ଥିଲେ। ସୀମା ଦେଓ ଅଭିନେତା ରମେଶ ଦେଓଙ୍କୁ ବିବାହ କରିଥିଲେ। ରମେଶ ଦେଓ ଅନେକ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ ମଧ୍ୟ କାମ କରିଥିଲେ। ୨ ଫେବୃଆରୀ ୨୦୨୨ ରେ ହୃଦଘାତରେ ରମେଶଙ୍କର ମୃତ୍ୟୁ ହୋଇଥିଲା। ସୀମା ତାଙ୍କ କ୍ୟାରିୟରରେ ୮୦ ରୁ ଅଧିକ ହିନ୍ଦୀ ଏବଂ ମରାଠୀ ଭାଷା ଚଳଚ୍ଚିତ୍ରରେ କାମ କରିଥିଲେ।
ସେ ୧୯୬୦ମସିହାରେ ଫିଲ୍ମ ମିଆଁ ବିବି ରଜାରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହା ପରେ ସେ ‘ଭାବି କି ଚୁଡିୟାଁ’, ‘ଦଶ ଲକ୍ଷ’, ‘କୋଶିଶ’, ‘କୋରା କାଗାଜ’, ‘ସଂସାରା’ ‘ସୁନହରା ସଂସାର’ ଏବଂ ସ୍‘ସରସ୍ବତୀଚନ୍ଦ୍ର’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଅଜିଙ୍କ୍ୟ ଦେଓ ଏବଂ ଅଭିନୟ ଦେଓ ତାଙ୍କର ପୁଅ। ପୁଅ ଅଜିଙ୍କ୍ୟ ମରାଠୀ ସିନେମାର ଜଣେ ଜଣାଶୁଣା ଅଭିନେତା ।