ଅଭିନେତା ବିଜୟ ରାଜଙ୍କ ନାଁରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ଗିରଫ ପରେ ମିଳିଲା ଜାମିନ୍
3/11/2020 at 8:31 PM

ମୁମ୍ବାଇ ୩/୧୧: ବଲିଉଡ ଅଭିନେତା ବିଜୟ ରାଜଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ତାଙ୍କର ମହିଳା କ୍ର୍ୟୁ ମେମ୍ବର। ୨ ନଭେମ୍ବର ରାତିରେ ଶେରନୀ ଫିଲ୍ମ ସୁଟିଂରେ ସହଯୋଗୀ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ଗେଟ ଓ୍ବେ ହୋଟେଲରେ ବିଜୟ ରାଜ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା।
ପରେ ମହିଳା ଜଣଙ୍କ ଅଭିନେତାଙ୍କ ବିରୋଧରେ ଗୋନ୍ଦିଆ ସହରର ରାମନଗର ଥାନାରେ ଏତଲା ଦେଇଥିଲେ। ଏହାପରେ ବିଜୟ ରାଜଙ୍କୁ ଗତାକଲି ଗୋନ୍ଦିଆରୁ ଗିରଫ କରିଥିଲା ପୋଲିସ। ତେବେ ଅଭିନେତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରାଯାଇଥିବା କହିଛନ୍ତି ଅତିରିକ୍ତ ଏସ୍ପି ଅତୁଲ କୁଲକର୍ଣ୍ଣୀ।
ମିଳିଥିବା ସୂଚନା ଅନୁସାରେ ଅଭିନେତା ବିଜୟ ରାଜଙ୍କୁ ଆଜି ପୋଲିସ ଗୋନ୍ଦିଆ କୋର୍ଟରେ ହାଜର କରିଥିଲା। ପରେ କୋର୍ଟରୁ ତାଙ୍କୁ ଜାମିନ୍ ମିଳିଥିବା ଜଣାପଡ଼ିଛି।
ମଧ୍ୟପ୍ରଦେଶର ବାଲାଘାଟରେ ବଲିଉଡ ଫିଲ୍ମ ଶେରନୀର ସୁଟିଂ ଜାରି ରହିଛି। ନିକଟରେ ଫିଲ୍ମ ଅଭିନେତ୍ରୀ ବିଦ୍ୟା ବଲାନ୍ଙ୍କୁ କ୍ର୍ୟୁ ମେମ୍ବରଙ୍କ ସହ ସେଟ୍ରେ ପୂଜା କରୁଥିବା ଦେଖିବାକୁ ମିଳିଥିଲା। ଏ ସମସ୍ତ ଅଭିନେତା, ଅଭିନେତ୍ରୀ ଗୋନ୍ଦିଆର ତିନି ତାରକା ହୋଟେଲ ଦ ଗେଟ ଓ୍ବେରେ ରହୁଥିବା ଜଣାପଡ଼ିଛି।