ବିଜେପିକୁ ଟାର୍ଗେଟ୍ କରି ଫସିଲା କଂଗ୍ରେସ; ଏପରି କରିବାରୁ ଦଳ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଲେ ଏହି ଅଭିନେତା

Published By : Prameya-News7 Bureau | September 23, 2022 IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପିକୁ ଟାର୍ଗେଟ୍ କରିବାକୁ ଯାଇ ଫସିଲା କଂଗ୍ରେସ। ଅଭିନେତା କହିଲେ, କଂଗ୍ରେସ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି। କର୍ଣ୍ଣାଟକରେ ବିଜେପିର ଦୁର୍ନୀତିଗ୍ରସ୍ତ ସରକାର ଚାଲିଛି ବୋଲି କଂଗ୍ରେସ ସବୁବେଳେ ଅଭିଯୋଗ କରି ଆସୁଛି। ରାଜ୍ୟରେ ବୋମାଇ ସରକାର ପ୍ରତି କାମରେ ୪୦ ପ୍ରତିଶତ କମିଶନକୁ ଆଦର୍ଶ ବନାଇ ସାରିଲାଣି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଏହି ଅଭିଯୋଗକୁ ଦର୍ଶାଇବା ପାଇଁ ବିଜେପି ବିରୋଧରେ ବେଙ୍ଗାଲୁରୁରେ ପୋଷ୍ଟର ଲଗାଇଥିଲା କଂଗ୍ରେସ। ‘ପେସିଏମ୍‌’ ନାମରେ ପୋଷ୍ଟର ଲଗାଇ ରାଜ୍ୟରେ ୪୦ ପ୍ରତିଶତ କମିଶନକୁ ବିଜେପି କିପରି ଆଦର୍ଶ ବନାଇସାରିଲାଣି ତାହା ଦର୍ଶାଇ ଥିଲା ଦଳ। ହେଲେ ପୋଷ୍ଟର ଲଗାଇ ବିଜେପିକୁ ସମାଲୋଚନା କରୁଥିବା କଂଗ୍ରେସ ନିଜେ ଫସିଯାଇଛି।

କାରଣ ‘ପେସିଏମ୍‌’ ପୋଷ୍ଟରରେ ଦଳ କର୍ଣ୍ଣାଟକ ଅଭିନେତା ଅଖିଳ ଆୟରଙ୍କ ଫଟୋ ଲଗାଇଛି। ଆଉ ଏଥିରେ ଲେଖାଯାଇଛି “ ୪୦% ସରକାର ବିଜେପି ମାନେ ଭ୍ରଷ୍ଟାଚାର। ଆପଣ ଏବେ ବି ଅଜ୍ଞ ଅଛନ୍ତି କି ?।” ବେଙ୍ଗାଲୁରୁରେ ଲାଗିଥିବା ପୋଷ୍ଟରଗୁଡ଼ିକ ମଧ୍ୟରୁ ଗୋଟିଏରେ ଅଖିଳଙ୍କ ଫଟୋ ଲାଗିଛି। ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିନା ଅନୁମତିରେ କଂଗ୍ରେସ ତାଙ୍କ ଫଟୋ ବ୍ୟବହାର କରିଛି। ସେ ଆଇନ୍‌ର ଦ୍ୱାରସ୍ଥ ହେବେ ବୋଲି ଅଖିଳ ଆୟର ଟ୍ୱିଟ୍ କରି କହିଛନ୍ତି। ତା ସହ କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମୟା ଓ ରାହୁଲ ଗାନ୍ଧୀଙ୍କୁ ଏ ଘଟଣା ବିଷୟରେ ଖବର ନେବାକୁ ସେ ଟ୍ୱିଟ୍ କରି ଅନୁରୋଧ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.