ସଞ୍ଜୟ ଦତ୍ତଙ୍କୁ ଫୁସଫୁସ କ୍ୟାନସର, ଅଛନ୍ତି ଥାର୍ଡ ଷ୍ଟେଜରେ, ଚିକିତ୍ସା ପାଇଁ ଯିବେ ବିଦେଶ !

Published By : Prameya-News7 Bureau | August 11, 2020 IST

ମୁମ୍ବାଇ ୧୧।୦୮: ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ପ୍ରଶଂସକ ପାଇଁ ଖରାପ ଖବର। ଅଭିନେତା ସଞ୍ଜୟ ଦତ୍ତଙ୍କୁ ଫୁସଫୁସ କର୍କଟ(କ୍ୟାନସର) ହୋଇଥିବା ସୂଚନା ମିଳିଛି। ତାଙ୍କର ଏହି ରୋଗ ତୃତୀୟ ପର୍ଯ୍ୟାୟରେ ରହିଛି। ଏହି ଗମ୍ଭୀର ରୋଗର ଚିକିତ୍ସା ପାଇଁ ସଞ୍ଜୟ ଦତ୍ତ ଶୀଘ୍ର ବିଦେଶ ଯିବେ। ସୂଚନା ଅନୁଯାୟୀ ସେ ଆମେରିକା କିମ୍ବା ସିଙ୍ଗାପୁର ଯାଇ ପାରନ୍ତି।

ଆଜି ହିଁ ସଞ୍ଜୟ ଦତ୍ତ ଟ୍ଵିଟ୍ କରି ନିଜର ପ୍ରଶଂସକଙ୍କୁ ସ୍ଵାସ୍ଥ୍ୟ ଅସୁସ୍ଥ ଥିବା ଖବର ଦେଇଥିଲେ। ଏହି ଟ୍ଵିଟ୍‌ ପରେ ପ୍ରଶଂସକଙ୍କ ଚିନ୍ତା ବଢି ଯାଇଥିଲା। ଏବେ ସଞ୍ଜୟ ଦତ୍ତଙ୍କ କ୍ୟାନସର ରୋଗ ବିଷୟରେ ଶୁଣି ପ୍ରଶଂସକ ଚକିତ ହୋଇ ପଡିଛନ୍ତି ଏବଂ ସାମାଜିକ ଗଣମାଧ୍ୟମରେ ତାଙ୍କ ଆରୋଗ୍ୟକାମନା କରିଛନ୍ତି।

ଫିଲ୍ମ ସମୀକ୍ଷକ କୋମଲ ନହାଟା ସଞ୍ଜୟ ଦତ୍ତଙ୍କୁ ନେଇ ଟ୍ଵିଟ୍ କରିଛନ୍ତି ଏବଂ ସେଥିରେ ସଞ୍ଜୟ ଦତ୍ତଙ୍କୁ ଫୁସଫୁସ୍ କ୍ୟାନସର ହୋଇଥିବା ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ କେଆରକେ ବକ୍ସ ଅଫିସ ମଧ୍ୟ କ୍ୟାନସର ହୋଇଥିବା ସୂଚନା ଦେଇ କହିଛି ଚିକିତ୍ସା ପାଇଁ ସଞ୍ଜୟ ଦତ୍ତ ସିଙ୍ଗାପୁର ଯିବେ। ଫିଲ୍ମ ନିର୍ମାତାମାନେ ମଧ୍ୟ ଏହାର ସୂଚନା ଦେଇଛନ୍ତି।

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଡାକ୍ତରୀ ଚିକିତ୍ସା ପାଇଁ ଛୋଟ ବ୍ରେକ୍ ନେଇଛନ୍ତି। ସେ ନିଜର ପ୍ରଶଂସକଙ୍କୁ ଚିନ୍ତା ନକରିବାକୁ ଅନୁରୋଧ କରିଛନ୍ତି। ସେ ଏହା ମଧ୍ୟ କହିଥିଲେ କୌଣସି ପ୍ରକାରର କଳ୍ପନା ଜଳ୍ପନା ଚକ୍କରରେ ପଡନ୍ତୁ ନାହିଁ। ୬୧ ବର୍ଷୀୟ ଅଭିନେତାଙ୍କୁ ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହେବାରୁ ଶନିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସୋମବାର ହସ୍ପିଟାଲରୁ ସେ ଘରକୁ ମଧ୍ୟ ଫେରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.