ଭୁବନେଶ୍ୱର ୨୭।୦୮: ଓଲିଉଡ ହାସ୍ୟ ଅଭିନେତା ଗୁଡ୍ଡୁ ଏବଂ ସିନେମା ସଂଳାପକାର ଡ. ରଜନୀ ରଞ୍ଜନ ଦାଶ ଓ ତାଙ୍କ ପତ୍ନୀଙ୍କୁ କରୋନା। ବର୍ତ୍ତମାନ ଗୁଡ୍ଡୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ଏବଂ ସୁସ୍ଥ ଅଛନ୍ତି। ଅନ୍ୟପକ୍ଷରେ ଡ. ରଜନୀ ରଞ୍ଜନ ଘରେ ହୋମ୍ ଆଇସୋଲେସନ୍ରେ ରହିବା ସହ ସୁସ୍ଥ ଅଛନ୍ତି । ଉଭୟଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି ।
ଗୁଡ୍ଡୁ କହିଛନ୍ତି, ୪-୫ଦିନ ହେବ ପ୍ରତି ସନ୍ଧ୍ୟାରେ ୭ଟାରୁ ୮ଟା ପର୍ଯ୍ୟନ୍ତ ଜ୍ୱର ଆସୁଥିଲା । ଔଷଧ ଖାଇବା ପରେ ଛାଡ଼ି ଯାଉଥିଲା । ମଙ୍ଗଳବାର ସନ୍ଧ୍ୟାରେ ଜୋର୍ରେ ଜ୍ୱର ଆସିବା ସହ ଛାତିରେ ଯନ୍ତ୍ରଣା ହୋଇଥିଲା । ସରକାରଙ୍କ ହେଲ୍ପଲାଇନ୍ ଏବଂ ବିଏମ୍ସିକୁ ଫୋନ୍ କରିବା ପରେ କେହି ଶୁଣିନଥିଲେ । ଶେଷରେ କୌଣସି ଉପାୟ ନପାଇ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛି । ଡ. ରଜନୀ ରଞ୍ଜନ କହିଛନ୍ତି, ୭ଦିନ ଧରି ଜ୍ୱର ଲାଗି ରହିଲା। ଶେଷରେ ମଙ୍ଗଳବାର କରୋନା ଟେଷ୍ଟ କରାଇଥିଲି । ବୁଧବାର ରିପୋର୍ଟ ପଜିଟିଭ୍ ଆସିଛି । ସ୍ୱାମୀ-ସ୍ତ୍ରୀ ଦୁହେଁ ଆକ୍ରାନ୍ତ ଅଛୁ । ଔଷଧ ନେବା ସହ ସୁସ୍ଥ ଅଛୁ। ଉଭୟେ ଗୁଡ୍ଡୁ ଓ ଡ. ରଜନୀ ରଞ୍ଜନ ସମସ୍ତଙ୍କୁ ନିବେଦନ କରିଛନ୍ତି, ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ଟେଷ୍ଟ କରାଇ ନିଅନ୍ତୁ ।