କାର୍ଯ୍ୟରେ ଅବହେଳା, ୨୩୩ ମହାବିଦ୍ୟାଳୟ ପ୍ରିନ୍ସିପାଲଙ୍କ ଦରମା ବନ୍ଦ
27/05/2023 at 1:12 PM

ଭୁବନେଶ୍ୱର ୨୭।୦୫: ୨୩୩ କଲେଜ ପ୍ରିନ୍ସିପାଲଙ୍କ ଦରମା ବନ୍ଦ । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କାର୍ଯ୍ୟରେ ଅବହେଳା କରିଥିବାରୁ ଏପରି ନିର୍ଦ୍ଦେଶାନାମା ଜାରି କରିଛି ଉଚ୍ଚଶିକ୍ଷା ବିଭାଗ ।
ଖବର ଅନୁଯାୟୀ, ସରକାରୀ କାର୍ଯ୍ୟ ନିର୍ବାହରେ ଅବହେଳା ଲାଗି ଆକ୍ସନକୁ ଆସିଛି ଉଚ୍ଚଶିକ୍ଷା ବିଭାଗ । ବାରମ୍ବାର ଜଣାଇବା ସତ୍ତ୍ୱେ ବି ୨୩୩ ମହାବିଦ୍ୟାଳୟ ଆବଶ୍ୟକ ସୂଚନା ପ୍ରଦାନ କରିବାରେ ବିଫଳ ହୋଇଥିଲେ । ଏପିରିକି ଉଚ୍ଚଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକଙ୍କ ଚିଠିର ଉତ୍ତର ଦେଉନଥିବାରୁ ଏହି ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ ମୁଖ୍ୟ କିରାଣୀ/କିରାଣୀଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି। ବିଭାଗୀୟ ଚିଠିର ଉତ୍ତର ନଦେବାର ଅର୍ଥ ହେଉଛି ସରକାରୀ କାର୍ଯ୍ୟ ନିର୍ବାହରେ ବଡ଼ ଅବହେଳା ଏବଂ ବିଭାଗ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନର ବିଫଳତା ବୋଲି କୁହାଯାଇଛି। ଏପରି ଚରମ ଅବହେଳା ପାଇଁ ମେ’ ମାସର ଦରମା ନ ଉଠାଇବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ତେବେ ଏହି ମହାବିଦ୍ୟାଳୟ ଗୁଡିକ ହେଲା, ଅନୁଗୋଳ ଜିଲ୍ଲାରେ ୫ଟି କଲେଜ, ବାଲେଶ୍ୱର ଜିଲ୍ଲାରେ ୧୫ଟି ମହାବିଦ୍ୟାଳୟ, ବରଗଡ଼ ଜିଲ୍ଲାରେ ୧୭ଟି ମହାବିଦ୍ୟାଳୟ, ଭଦ୍ରକ ଜିଲ୍ଲାରେ ୨ଟି ମହାବିଦ୍ୟାଳୟ, ବଲାଙ୍ଗୀର ଜିଲ୍ଲାର ୨୪ଟି ମହାବିଦ୍ୟାଳୟ, ବୌଦ୍ଧ ଜିଲ୍ଲାରେ ଗୋଟିଏ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ଉପରେ କଡ଼ା ପଦକ୍ଷେପ ନିଆଯାଇଛି ।
ସେହିପରି କଳାହାଣ୍ଡି ଜିଲ୍ଲାରେ ୫ଟି, କନ୍ଧମାଳ ଜିଲ୍ଲାରେ ଗୋଟିଏ, କେନ୍ଦ୍ରାପଡ଼ା ଜିଲ୍ଲାରେ ୬ଟି, କେନ୍ଦୁଝର ଜିଲ୍ଲାରେ ୭ଟି , ଖୋର୍ଦ୍ଧାରେ ୬ଟି , କୋରାପୁଟ ଜିଲ୍ଲାରେ ୬ଟି, ମାଲକାନଗିରିରେ ଗୋଟିଏ, ମୟୁରଭଞ୍ଜ ଜିଲ୍ଲାରେ ୮ଟି, ନବରଙ୍ଗପୁର ଜିଲ୍ଲାରେ ୨ଟି, ନୟାଗଡ଼ ଜିଲ୍ଲାରେ ୭ଟି, ନୂଆପଡ଼ା ଜିଲ୍ଲାରେ ଗୋଟିଏ , ପୁରୀ ଜିଲ୍ଲାରେ ୧୦ଟି, ରାୟଗଡ଼ା ଜିଲ୍ଲାରେ ୩ଟି,ସମ୍ବଲପୁର ଜିଲ୍ଲାରେ ୭ଟି , ସୋନପୁର ଜିଲ୍ଲାରେ ଗୋଟିଏ, ସୁନ୍ଦରଗଡ଼ ଜିଲ୍ଲାରେ ୫ଟି ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ମୁଖ୍ୟ କିରାଣୀ/କିରାଣୀଙ୍କ ବିରୋଧରେ କଡା ପଦକ୍ଷେପ ନେଇଛି ଉଚ୍ଚ ଶିକ୍ଷା ବିଭାଗ।