ଆତ୍ମହତ୍ୟା କଲେ ଲୋକପ୍ରିୟ ମାଲାୟାଲମ ଅଭିନେତା ଏନଡି ପ୍ରସାଦ

Published By : Prameya-News7 Bureau | June 27, 2022 IST

ଚେନ୍ନାଇ ୨୭/୦୬ : ଲୋକପ୍ରିୟ ମାଲାୟାଲମ ଅଭିନେତା ଏନଡି ପ୍ରସାଦଙ୍କ ଆତ୍ମହତ୍ୟା। ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ। କୋଚିର କାଲାମେସରିରେ ଥିବା ତାଙ୍କ ଘର ବାହାରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଛି। ସେ ତାଙ୍କ ସ୍ତ୍ରୀ ଓ ଦୁଇ ପିଲାଙ୍କ ସହିତ ରହୁଥିଲେ। ତାଙ୍କ ପିଲାମାନେ ତାଙ୍କୁ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ। ପରେ ସେମାନେ ତାଙ୍କ ପଡ଼ୋଶୀଙ୍କୁ ପ୍ରସାଦଙ୍କ ଆତ୍ମହତ୍ୟା ବିଷୟରେ ଜଣାଇଥିଲେ। ପଡୋଶୀ ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ଜୁନ୍‌୨୫ ସନ୍ଧ୍ୟା ୬:୩୦ ସମୟରେ ସେ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି।      

ଏନଡି ପ୍ରସାଦ ଅନେକ ମାଲାୟାଲାମ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। କିନ୍ତୁ ଫିଲ୍ମ ‘ଆକ୍ସନ ହିରୋ ବିଜୁ’ରେ ସିନେମାରେ ଖଳନାୟକ ଭୂମିକାରେ ଅଭିନୟ କରି ସେ ଦର୍ଶକଙ୍କ ମହଲରେ ପରିଚିତ ହୋଇଥିଲେ। ସେ ‘ଇବା’ ଓ ‘କର୍ମାନୀ’ ଭଳି ସିନେମାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ପାରିବାରିକ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ‘ନିଉ ଇଣ୍ଡିଆନ ଏକ୍ସପ୍ରେସ’ର ରିପୋର୍ଟରେ କୁହାଯାଇଛି। ‘’ତାଙ୍କର କିଛି ମାନସିକ ଓ ଘରୋଇ ସମସ୍ୟା ଥିଲା। କିଛି ମାସ ହେଲା ତାଙ୍କ ସ୍ତ୍ରୀ ତାଙ୍କ ଠାରୁ ଦୂରରେ ରହୁଥିଲେ। ମୃତ୍ୟୁର କିଛି ଦିନ ପୂର୍ବରୁ ସେ ମାନସିକ ଚାପରେ ଥିଲେ’’ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।  

ପ୍ରସାଦଙ୍କ ନାଁରେ ପୂର୍ବରୁ ନିଶା ସେବନ ସହିତ ଅନେକ ମାମଲା ରହିଛି। ୨୦୨୧ ରେ ନିଶା ଦ୍ରବ୍ୟ ରଖିବା କାରଣରୁ ଅବକାରୀ ବିଭାଗ ତାଙ୍କୁ ଗିରଫ କରିଥିଲା। ତାଙ୍କ ପାଖରୁ ମାରଣାସ୍ତ୍ର ମଧ୍ୟ ଜବତ ହୋଇଥିଲା।  

ଏନଡି ପ୍ରସାଦଙ୍କ ମୃତଦେହକୁ ଡାକ୍ତର ବ୍ୟବଚ୍ଛେଦ କରିବା ପରେ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.