କୌଣସି ଆଲୋଚନା, ସହମତି କିମ୍ବା ନୋଟିସ୍ ବିନା NDTVର ୨୯% ଅଧିଗ୍ରହଣ କରାଯାଇଛି: ସଂସ୍ଥାପକ
23/08/2022 at 10:21 PM

ନୂଆଦିଲ୍ଲୀ: ଏନଡିଟିଭିର ୨୯ ପ୍ରତିଶତ ଅଂଶଧନ ପରୋକ୍ଷ ଭାବେ ଅଧିଗ୍ରହଣ କରିବ ବୋଲି ଘୋଷଣା କରିଥିଲା ଅଦାନୀ ଗ୍ରୁପର ଏଏମଜି ମିଡିଆ ନେଟଓ୍ଵର୍କ ଲିମିଟେଡ୍। ହେଲେ ଘୋଷଣାର କିଛି ଘଣ୍ଟା ପରେ ମାମଲାରେ ନୂତନ ମୋଡ ଆସିଛି। ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡ୍(NDTV) ଅଥବା ଏହାର ସଂସ୍ଥାପକ ରାଧିକା ଏବଂ ପ୍ରଣୟ ରୟଙ୍କ ସହ କୌଣସି ଆଲୋଚନା ନକରି ବିଶ୍ଵ ପ୍ରଧାନ କମର୍ସିଆଲ ପ୍ରାଇଭେଟ୍ ଲିମିଟେଡ୍(ଭିପିସିଏଲ) ଦ୍ଵାରା ନୋଟିସ୍ ଜାରି କରାଯାଇଛି।
ଏଥିରେ କୁହାଯାଇଛି ଯେ, ଭିସିପିଏଲ RRPR ହୋର୍ଲିଂ ପ୍ରାଇଭେଟ୍ ଲିମିଟେଡ୍(RRPRH)ର ନିୟନ୍ତ୍ରଣ ହାସଲ କରି ନେଇଛି। କାରଣ RRPR ହୋର୍ଲିଂ ପ୍ରାଇଭେଟ୍ ଲିମିଟେଡ୍ ନିକଟରେ ଏନଡିଟିଭିର ୨୯.୧୮ ପ୍ରତିଶତ ଅଂଶଧନ ରହିଛି। RRPRHକୁ ନିଜର ସମସ୍ତ ଇକ୍ୟୁଟି ସେୟାରକୁ ଭିସିପିଏଲକୁ ହସ୍ତାନ୍ତର କରିବା ପାଇଁ ଦୁଇ ଦିନର ସମୟ ଦିଆଯାଇଛି।
ତେବେ ଏନଡିଟିଭିର ସଂସ୍ଥାପକ ତଥା କମ୍ପାନୀ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ, VCPL ଦ୍ଵାରା ଅଧିକାରର ଏହି ପ୍ରୟୋଗ ଏନଡିଟିଭିର ସଂସ୍ଥାପକଙ୍କ କୌଣସି ଇନପୁଟ୍, ଆଲୋଚନା ଏବଂ ସହମତିରେ ନିଆଯାଇନି। ଏନଡିଟିଭିର ସଂସ୍ଥାପକଙ୍କୁ VCPL ବିଷୟରେ ଆଜି ସୂଚନା ମିଳିଛି। ଗତକାଲି ଏନଡିଟିଭିର ଷ୍ଟକ୍ ଏକ୍ସଚେଞ୍ଜକୁ ସୂଚନା ଦିଆଯାଇଥିଲା ଯେ, ସଂସ୍ଥାପକଙ୍କ ସେୟାରହୋଲ୍ଡିଂରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏନଡିଟିଭି ନିଜର ମୂଳ କାମ ଅର୍ଥାତ ସାମ୍ବାଦିକତାରେ କୌଣସି ସାଲିସ୍ କରି ନାହିଁ। ଆମେ ଆଜି ବି ଉକ୍ତ ସାମ୍ବାଦିକତା ସହିତ ଗର୍ବର ସହିତ ଛିଡା ହୋଇଛୁ ବୋଲି ଏନଡିଟିଭି ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଗୌତମ ଅଦାନୀ ଗ୍ରୁପର କମ୍ପାନୀ ଏଏମଜି ମିଡିଆ ନେଟଓ୍ଵର୍କ ଲିମିଟେଡ୍ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା NDTVର ଅଂଶଧନ କିଣିବାକୁ ମଙ୍ଗଳବାର ଘୋଷଣା କରିଛି। ଅଦାନୀ ଗ୍ରୁପ୍ ଏନଡିଟିଭି ଅର୍ଥାତ ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡ୍ରେ ପରୋକ୍ଷ ଭାବେ ୨୯.୧୮ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବ। ଅନ୍ୟପଟେ ଖୋଲା ପ୍ରସ୍ତାବ ଜରିଆରେ ଗ୍ରୁପ ଏନଡିଟିଭିର ଆଉ ୨୬ ପ୍ରତିଶତ ଅଂଶଧନ ନିଜ ପାଖରେ ରଖିବାକୁ ଯୋଜନା କରିଛି। ଏହିପରି ଏନଡିଟିଭିରେ ଅଦାନୀ ଗ୍ରୁପର ମୋଟ୍ ଅଂଶଧନ ୫୫ ପ୍ରତିଶତରୁ ଅଧିକ ହୋଇଯିବ। ଅଦାନୀ ଗ୍ରୁପ ଏବଂ ଏନଡିଟିଭି ମଧ୍ୟରେ ପାଖାପାଖି ୪୯୫ କୋଟି ଟଙ୍କାର ଚୁକ୍ତି ହେବାର ଆଶା ରହିଛି।