ଅର୍ଚ୍ଚନାଙ୍କ ନାଗଫାଶରେ ପଡିଥିଲେ ବୟସ୍କ ନେତା, ଭାଇଜାଗ୍ ଓ ଉଟ୍ଟିରେ କାଟୁଥିଲେ ଛୁଟି

Published By : Prameya-News7 Bureau | October 15, 2022 IST

ଭୁବନେଶ୍ୱର,୧୫/୧୦: ମାୟାବିନୀ ବ୍ଲାକମେଲର୍‌ ଅର୍ଚ୍ଚନା ନାଗ ଗିରଫ ହେବାର ୭ ଦିନ ବିତିଲାଣି । ପ୍ରତ୍ୟେକ ଦିନ ପୁଲିସ୍‌କୁ ନୂଆ ନୂଆ ବିସ୍ଫୋରକ ତଥ୍ୟ ମିଳୁଛି । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଜଣେ ବିବାଦୀୟ ବିଧାୟକ ଅର୍ଚ୍ଚନାକୁ ନେଇ ଉଟ୍ଟି ବୁଲିବାକୁ ଯାଇଥିଲେ । ଏହାର ଫଟୋ ଓ କିଛି ଭିଡିଓ ପୁଲିସ୍‌ ହାତରେ ଲାଗିଛି । ବିଧାୟକଙ୍କୁ ବ୍ଲାକ୍‌ମେଲିଂ କରି ଅର୍ଚ୍ଚନା କେତେ ଟଙ୍କା ନେଇଛନ୍ତି ସେ ବିଷୟରେ ପୁଲିସ୍‌ କିଛି ଟେର ପାଇ ନଥିବା ଜଣାପଡିଛି ।

ଅର୍ଚ୍ଚନା ଘରୁ ଜବତ ହାର୍ଡଡିସ୍କ, ମୋବାଇଲ୍‌ ଯାଞ୍ଚ ସମୟରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଏହି ବିଧାୟକଙ୍କ ସହ ଫଟୋ ଓ ଚାଟିଂର ସ୍କ୍ରିନ୍‌ସଟ୍‌ ପୁଲିସ୍‌ ପାଇଛି । ରସିକିଆ ବିଧାୟକ ଜଣକ ଅର୍ଚ୍ଚନାକୁ ନେଇ ଭାଇଜାଗ୍‌ ଦେଇ ବେଙ୍ଗାଲୁରୁ ଯାଇଥିଲେ । ସେଠାରୁ ମହୀଶୂର ଓ ପରେ ଉଟ୍ଟିରେ ରାତି ବିତାଇଥିଲେ । ଚାଟିଂରୁ ଜଣାପଡୁଛି ଯେ ଅର୍ଚ୍ଚନା ବିଧାୟକଙ୍କୁ ଗାଡ଼ି ପୋଡ଼ି ବିଷୟରେ ପଚାରୁଛନ୍ତି । ଉତ୍ତରରେ ବିଧାୟକ କହୁଛନ୍ତି, ‘ସେ ପାଗଳୀ ପ୍ରେମିକା କହି ପଛରେ ପଡ଼ି ଯାହା ତ କଲା… ସେଟେଲ୍‌ମେଣ୍ଟ ପରେ ବି ଚୁପ୍‌ ବସିଲାନି । ପୂର୍ବରୁ ଭୁବନେଶ୍ୱରରେ ଥରେ ଗାଡ଼ି ପୋଡ଼ିଥିଲା, ପୁଣି ନିର୍ବାଚନମଣ୍ଡଳୀ ଘରେ ଗାଡ଼ି ପୋଡ଼ିଛି । ଦେଢ଼ ବର୍ଷ ହେଲାଣି ମାନସିକ ଶାନ୍ତି ଟିକେ ନାହିଁ । ମୁଁ ମେଣ୍ଟାଲି ଇମ୍‌ବାଲାନ୍ସ ହୋଇଯାଇଛି ।

ଏହା ପରେ ଅର୍ଚ୍ଚନା ତାଙ୍କୁ କହୁଛନ୍ତି ଟାଇମ୍‌ ବାହାର କରି ବାହାରେ ବୁଲି ଆସ । ବିଧାୟକ କହୁଛନ୍ତି ଏକା କୁଆଡ଼େ ଯିବି… କ’ଣ କରିବି… । ଅର୍ଚ୍ଚନା ତାଙ୍କ ସହ ଯିବାକୁ ପ୍ରସ୍ତାବ ଦେଉଛନ୍ତି । ପରେ ବିଧାୟକ ଓ ଅର୍ଚ୍ଚନା ଭାଇଜାଗ୍‌ ଦେଇ ବେଙ୍ଗାଲୁରୁ ଯାଇଛନ୍ତି । ଭାଇଜାଗ୍‌ ବିମାନବନ୍ଦରରେ ଉଭୟ ସେଲଫିି ନେଇଛନ୍ତି । ଉଟ୍ଟିରେ ଯେଉଁ ହୋଟେଲ୍‌ରେ ଏମାନେ ଥିଲେ ସେ ହୋଟେଲ୍‌ର କିଛି ସିସିଟିଭି ଫୁଟେଜ୍‌ ଅର୍ଚ୍ଚନା ଆଣିଥିଲେ । ସେ ସବୁ ଫୁଟେଜ୍‌ ଅର୍ଚ୍ଚନା କ’ଣ ପାଇଁ ଆଣି ନିଜ ପାଖରେ ରଖିଥିଲା ସେ ଦିଗରେ ତଦନ୍ତ ହେଲେ କାରଣ ଜଣାପଡ଼ିବ । ସେତିକି ନୁହେଁ ଏହି ବିଧାୟକ ନୟାଗଡ଼ର ଏକ ଆଇବିରେ ୪ ଦିନ ରହିଥିଲେ । ତାଙ୍କ ସହ ଅର୍ଚ୍ଚନା ଓ ଅନ୍ୟ ଦୁଇ ଜଣ ମହିଳା ମଧ୍ୟ ଥିଲେ । ଯଦି ନୟାଗଡ଼ର ଆଇବିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ତା’ହେଲେ ବହୁ ଘଟଣା ଲୋକଲୋଚନକୁ ଆସିବ ।

ଅର୍ଚ୍ଚନା ଚଢ଼ୁଥିବା ଏକ ଦାମୀ କାର୍‌ ବିଷୟରେ ପୁଲିସ୍‌ ହାତରେ ପୂର୍ବରୁ କିଛି ତଥ୍ୟ ଲାଗିଥିଲା । ଅର୍ଚ୍ଚନା ଚଢ଼ୁଥିବା ଦାମୀ କାର୍‌କୁ ଉକ୍ତ ବିଧାୟକ ଜଣଙ୍କ ଗିଫ୍ଟ୍‌ କରିଥିଲେ । ୨୦୧୯ରେ ଉକ୍ତ ବିଧାୟକଙ୍କ ଗାଡ଼ିକୁ ଜଣେ ଯୁବତୀ ପୋଡ଼ି ଦେଇଥିଲେ । ପରେ ସେ ଅନୁଗୁଳ ଆର୍‌ଟିଓରେ ପଞ୍ଜିକୃତ ଗୋଟିଏ ଦାମୀ କାର୍‌ ଚଢ଼ୁଥିଲେ । ପରେ ସେ କାର୍‌ଟିକୁ ଅର୍ଚ୍ଚନାକୁ ଗିଫ୍ଟ୍‌ କରିଥିଲେ ।

ସେପଟେ ଏହି ଘଟଣାରେ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ସେ କହିଛନ୍ତି, କଳାହାଣ୍ଡିରୁ ଆସି ଅର୍ଚ୍ଚନା ଭୁବନେଶ୍ୱରରେ ଏତେ ବଡ଼ ସାମ୍ରାଜ୍ୟ କେମିତି ତିଆରି କଲେ ତାହା ତଦନ୍ତ ସାପେକ୍ଷ । ଏ ନେତାମାନେ ସେବା ନୁହେଁ ଉପଭୋଗ କରିବାକୁ ରାଜନୀତି କରୁଛନ୍ତି । କାହା ସହାୟତାରେ ଅର୍ଚ୍ଚନା କଳାହାଣ୍ଡିରୁ ଆସି ରାଜଧାନୀରେ ଏତେ ପ୍ରଭାବ ବିସ୍ତାର କଲେ ତାର ନିରପେକ୍ଷ ତଦନ୍ତ ହେଉ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.