୧୨ ଛାତ୍ରୀଙ୍କୁ ଅସଦାଚରଣ ପଡ଼ିଲା ମହଙ୍ଗା; ପ୍ରଧାନ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ
29/03/2023 at 9:25 PM

ତେଲକୋଇ ୨୯/୦୩: ବିଦ୍ୟାଳୟର ୧୨ ଜଣ ଛାତ୍ରୀଙ୍କୁ ବାରମ୍ବାର ଅସଦାଚରଣ କରି ବନ୍ଧାହେଲେ ପ୍ରଧାନ ଶିକ୍ଷକ। ଚୁମ୍ବନ, ଆଲିଙ୍ଗନ ସହିତ ଶରୀରର ସମ୍ୱଦେନଶୀଳ ଜାଗାରେ ଶିକ୍ଷକ ଜଣଙ୍କ ଛୁଉଁଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏହାକୁ ବିରୋଧ କଲେ ଶ୍ରେଣୀଗୃହରେ ଛାତ୍ରୀଙ୍କୁ ଅପମାନ କରୁଥିଲେ ଅଭିଯୁକ୍ତ।
ଅନ୍ୟ ଶିକ୍ଷକଙ୍କ ଆଗରେ ଏପରି ହେଉଥିଲେ ମଧ୍ୟ କେହି ଏପରି ଘୃଣ୍ୟ କାର୍ଯ୍ୟକୁ ବିରୋଧ କରୁନଥିଲେ। ଖରାପ ବ୍ୟବାହାର ଅସହ୍ୟ ହେବାରୁ ଅଭିଭାବକଙ୍କୁ ଜଣାଇଲେ ଛାତ୍ରୀ। ଅଭିଭାବକ ବିଦ୍ୟାଳୟକୁ ଘେରଉ କରି ଥାନାରେ ଅଭିଯୋଗ କରିବା ପରେ ପ୍ରଧାନଶିକ୍ଷକଙ୍କୁ ବାନ୍ଧିଛି ପୋଲିସ। ଏପରି ଅଭାବନୀୟ ଘଟଣା ତେଲକୋଇ ବ୍ଲକ ଡିମିରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି।

ଖବର ଅନୁସାରେ, ବିଦ୍ୟାଳୟର ୧୨ ଜଣ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତି ଅସଦାଚରଣ କରିଥିବା ନେଇ ଆସିଛି ଅଭିଯୋଗ। ଘଟଣା ବିଷୟରେ ଜାଣିବା ପରେ ଗାଁ ଲୋକମାନେ ସ୍କୁଲ୍ ଭିତରେ ସେହି ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭିଡ଼କୁ ଶାନ୍ତ କରିବା ପରେ ଛାତ୍ରୀମାନଙ୍କୁ ପଚରା ଉଚରା କରିଥିଲେ।
ଏହାପରେ ଲିଖିତ ଅଭିଯୋଗ ହେବାରୁ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ। ଏନେଇ ପୂର୍ବରୁ ଛାତ୍ରୀମାନେ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ଯ ସେମାନେ ନିରବ ଥିଲେ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ଅଭିଯୁକ୍ତ ଶିକ୍ଷକ ଜଣଙ୍କ ଓଡିଶା ରତ୍ନ ଓ ସମ୍ପୂର୍ଣ୍ଣା ଶିକ୍ଷା ସମ୍ରାଟ ଭଳି ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇଛନ୍ତି । କିନ୍ତୁ ତାଙ୍କର ଏଭଳି ଘୁଣ୍ୟ କାର୍ଯ୍ୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।