ପେହେଲଵାନ ସୁଶୀଲ କୁମାରଙ୍କୁ ଜେଲରେ ଦରକାର ଟିଭି: ପ୍ରଶାସନକୁ ଆବେଦନ କରି କହିଲେ-'ସେଲରେ ବହୁତ ଏକା ଏକା ଲାଗୁଛି…'

Published By : Prameya-News7 Bureau | July 04, 2021 IST

ନୂଆଦିଲ୍ଲୀ ୦୪/୦୭ : ଜୁନିଅର ପେହେଲଵାନ ସାଗର ଧାନଖାଡ ହତ୍ୟା ମାମଲାରେ ଅଭିଯୁକ୍ତ ଅଲମ୍ପିକ ବିଜେତା ପେହେଲଵାନ ସୁଶୀଲ କୁମାର ତିହାର ଜେଲ ପ୍ରଶାସନକୁ ନିଜ ସେଲରେ ଟିଭି ଲଗାଇବାକୁ ଦାବି କରିଛନ୍ତି। ସୁଶୀଲ କୁମାର ତିହାର ଜେଲ ପ୍ରଶାସନକୁ ଏନେଇ ଏକ ଆପ୍ଲିକେସନ ଲେଖିଛନ୍ତି। ସେ କହିଛନ୍ତି ଯେ ସେ ଯେଉଁ ସେଲରେ ଅଛନ୍ତି ସେଠାରେ ସେ ଏକା କଏଦୀ ଅଛନ୍ତି। ସେଥିପାଇଁ ସେ ନିଜକୁ ବହୁତ ଏକାକୀ ଅନୁଭବ କରୁଛନ୍ତି। ସେଥିପାଇଁ ଏକ ଟିଭି ଉପଲବ୍ଧ କରାଯାଉ, ଯେପରି ସେ କୁସ୍ତି ଖେଳରେ କଣ ଚାଲିଛି ସେ ସମ୍ବନ୍ଧରେ ଅବଗତ ହୋଇପାରିବେ।

ତିହାର ଜେଲ ଡିଜି ସନ୍ଦୀପ ଗୋୟଲ କହିଛନ୍ତି ଯେ ଜେଲ ପ୍ରଶାସନକୁ ସୁଶୀଲ ପେହେଲଵାନଙ୍କ ତରଫରୁ ଏକ ଆପ୍ଲିକେସନ ମିଳିଛି ଯେଉଁଥିରେ ସେ ନିଜ ସେଲରେ ଟିଭି ଲଗାଇବାକୁ ଦାବି କରିଛନ୍ତି।

ଜେଲ ପ୍ରଶାସନ କହିଛି ଯେ ସୁଶୀଲ କୁମାର ୨ ନମ୍ବର ଜେଲରେ ବନ୍ଦୀ ଅଛନ୍ତି ଏବଂ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ହାଇ ସିକ୍ୟୁରିଟି ଜେଲରେ ରଖାଯାଇଛି। ସେଥିପାଇଁ ଯେଉଁ ସେଲରେ ସୁଶୀଲଙ୍କୁ ରଖାଯାଇଛି ସେହି ସେଲରେ ଅନ୍ୟ କୌଣସି କଏଦୀଙ୍କୁ ରଖାଯାଇନାହିଁ। ସୁଶୀଲ କୁମାରଙ୍କ ଆବେଦନ ଉପରେ ଏବେ ଯାଏଁ କିଛି ନିଷ୍ପତ୍ତି ନିଆଯାଇନାହିଁ।

ପେହେଲଵାନ ସୁଶୀଲ କୁମାରଙ୍କ ଏହା ପ୍ରଥମ ଦାବି ନୁହେଁ। ଏହା ପୂର୍ବରୁ ଯେବେ ତାଙ୍କୁ ଗିରଫ କରାଯିବା ପରେ ମଣ୍ଡୋଳୀ ଜେଲକୁ ପଠାଯାଇଥିଲା, ସେଠାରେ ସେ ନିଜ ପାଇଁ ପ୍ରୋଟିନ ଯୁକ୍ତ ଖାଦ୍ୟ ଉପଲବ୍ଧ କରାଇବାକୁ ଦାବି କରିଥିଲେ। ଜେଲ ପ୍ରଶାସନ ତାଙ୍କର ଏହି ଦାବିକୁ ଖାରଜ କରିଦେଇଥିଲେ।

ସୂଚନା ଅନୁଯାୟୀ, ସୁଶୀଲ କୁମାର ମେ' ୪ ଓ ୫ ତାରିଖ ରାତିରେ ନିଜ କିଛି ସାଥିଙ୍କ ସହ ମିଶି ଛତ୍ରସାଲ ଷ୍ଟାଡିୟମରେ ଜୁନିଅର ପେହେଲଵାନ ସାଗର ଧନଖଡ ଓ ତାଙ୍କ ସାଥି ସୋନୁ ମହାଲଙ୍କୁ ଖୁବ ମାରପିଟ କରିଥିଲେ। ଏଥିରେ ସାଗରଙ୍କ ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.