ଅହମଦାବାଦ ୨୧/୧୧: ବିବାଦୀୟ ଧର୍ମଗୁରୁ ସ୍ବାମୀ ନିତ୍ୟାନନ୍ଦଙ୍କ ଆଶ୍ରମ ଏବଂ ଆଶ୍ରମ ଅଧୀନରେ ସଞ୍ଚାଳିତ ସ୍କୁଲରେ ଦୁଇ ନାବାଳକଙ୍କୁ ଜବରଦସ୍ତି ରଖିବା ଏବଂ ତାଙ୍କୁ ଅସଦାଚରଣ କରିବା ମାମଲାରେ ପୋଲିସ୍ ଗତକାଲି ଆଶ୍ରମର ସ୍ଥାନୀୟ ପରିଚାରିକା ସମେତ ୨ ଯୁବ ସାଧ୍ବୀଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ ଆଶ୍ରମର ପରିଚାରିକା ପ୍ରାଣ ପ୍ରିୟା ଏବଂ ତାଙ୍କ ସହଯୋଗୀ ତତ୍ତ୍ବପ୍ରିୟାଙ୍କୁ ଅପହରଣ,ପିଲାଙ୍କୁ ଜବରଦସ୍ତି ରୋକି ରଖିବା ଏବଂ ତାଙ୍କୁ ଶ୍ରମ କରାଇବା ଅଭିଯୋଗରେ ଗିରଫ କରାଯାଇଛି। ଉଭୟଙ୍କୁ ଅଦାଲତରେ ହାଜର କରାଯାଇ ପରବର୍ତ୍ତୀ ଯାଞ୍ଚ ପାଇଁ ରିମାଣ୍ଡରେ ନିଆଯିବ। ଏହି ମାମଲାରେ ଅଭିଯୁକ୍ତ ବୋଲାଉଥିବା ନିତ୍ୟାନନ୍ଦକୁ ମଧ୍ୟ ପୋଲିସ୍ ପଚରାଉଚୁରା କରିବ ଏବଂ ଆବଶ୍ୟକତା ପଡ଼ିଲେ ଗିରଫ କରିବ।
ତାମିଲନାଡ଼ୁ ବାସିନ୍ଦା ଜନାର୍ଦନ ଶର୍ମା ଗତ ନଭେମ୍ବର ୧ ତାରିଖରେ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ ଯେ ହାଥିଜନ ଅଞ୍ଚଳରେ ଦିଲ୍ଲୀ ପବ୍ଲିକ୍ ସ୍କୁଲର ଜମିରେ ହୋଇଥିବା ଆଶ୍ରମ ଏବଂ ସ୍କୁଲରେ ତାଙ୍କର ୪ଜଣ ପିଲା ମଧ୍ୟରୁ ୩ଜଣଙ୍କୁ ଜବରଦସ୍ତି ରଖାଯାଇଥିଲା। ଏହା ପରେ ପୋଲିସ୍ ତାଙ୍କର ୧୪ବର୍ଷ ବୟସ୍କା ଝିଅ ଏବଂ ୧୨ବର୍ଷ ବୟସ୍କ ପୁଅଙ୍କୁ ସେଠାରୁ ମୁକ୍ତ କରାଇଥିଲେ।