Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ପୋଲିସ୍ ହେପାଜତରେ ଅଭିଯୁକ୍ତର ମୃତ୍ୟୁ, ଦମ୍ପତିକୁ ହତ୍ୟା କରିବା ଅଭିଯୋଗରେ ହୋଇଥିଲା ଗିରଫ

30/01/2023 at 10:21 PM

କେନ୍ଦୁଝର, ୩୦/୦୧: ପୋଲିସ୍ ହେପାଜତରେ ଅଭିଯୁକ୍ତର ମୃତ୍ୟୁ। ମୃତକ ଜଣକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା, କେ ବଲାଙ୍ଗ ଥାନା ଚୋରଧରା ଅଞ୍ଚଳର ମିଲୁ ବାରିକ । ଗତ ନଭେମ୍ବର ୨୮ ତାରିଖ ରାତିରେ ବଲାଣୀ ଥାନା ଲସର୍ଦ୍ଦାରେ ଏକ ଦମ୍ପତି ଲକ୍ଷ୍ମୀଧର ଆପଟ ଓ ମଞ୍ଜୁଲତା ଆପଟଙ୍କୁ ଗୁଳି କରି ହତ୍ୟା ଘଟଣାର ଜଣେ ଅଭିଯୁକ୍ତ ଥିଲା ମିଲୁ ବାରିକ ।

ଘଟଣା ପରଠାରୁ ସେ ଫେରାର ଥିବାବେଳେ ପୋଲିସ୍ ତାକୁ ଖୋଜୁଥିଲା । ଏହି ଡବଲ ମର୍ଡର ଘଟଣାର ଅତିରିକ୍ତ ତଦନ୍ତ ଅଧିକାରୀ ତଥା ବଡ଼ବିଲ ଥାନା ଆଇ ଆଇ ସି ରାଜେନ୍ଦ୍ର ସ୍ୱାଇଁ ଗତ କାଲି ସନ୍ଧ୍ୟା ପ୍ରାୟ ୮ ଟାରେ ରୁଗୁଡ଼ି ଥାନା ଅଞ୍ଚଳରୁ ଅଭିଯୁକ୍ତ ମିଲୁ ବାରିକକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ । ମାତ୍ର ବିଳମ୍ବିତ ରାତିରେ  ଅଭିଯୁକ୍ତ ମିଲୁର ମୃତ୍ୟୁ ଘଟିଥିଲା ।

ତେବେ ଏନେଇ ମିଲୁର ପରିବାର ପୋଲିସ୍ ବିରୋଧେରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ପୋଲିସ ପ୍ରବଳ ମାଡ଼ ମାରିବା ସହିତ ଗୁଳି କରିବା ଫଳରେ ମିଲୁର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପା ଲିନୁ ବାରିକ । ମୃତକଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ମାଡ଼ ଓ କ୍ଷତ ଚିହ୍ନ ରହିଥିବା ବେଳେ, ତାଙ୍କୁ ଗୁଳି କରାଯାଉଥିବା ନେଇ ପରିବାର ଲୋକେ ସନ୍ଦେହ ବ୍ୟକ୍ତ କରିଛନ୍ତି। ନ୍ୟାୟ ପାଇଁ ସେମାନେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି।

ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି କେନ୍ଦୁଝର ପୋଲିସ୍। ଅଭିଯୁକ୍ତ ମିଲୁକୁ ରୁଗୁଡ଼ି ଥାନାରେ ପଚରାଉଚରା ବେଳେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲା। ତେଣୁ ତାଙ୍କୁ ଚିକିତ୍ସା ପାଇଁ ରାତି ୧୧ଟା ସମୟରେ ଯୋଡ଼ା ସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଚମ୍ପୁଆ ଏସଡିପିଓ ରାମରାୟ ମୁର୍ମୁ କହିଛନ୍ତି ।

ଅଭିଯୁକ୍ତକୁ ମାଡ଼ ମରାଯିବା ଏବଂ ଗୁଳି କରାଯାଇଥିବା ଅଭିଯୋଗକୁ ସେ ଅସ୍ବୀକାର କରିବା ସହିତ NHRC ଙ୍କ ଗାଇଡ୍ ଲାଇନ୍ ଅନୁସାରେ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି । ଏନେଇ ଯୋଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯିବା ସହିତ ମୃତ ଦେହର ବ୍ୟବଚ୍ଛେଦ କରାଇଛି ପୋଲିସ୍।

   Related Posts