ମହଙ୍ଗା ପଡ଼ିଲା ଯୌତୁକ ଦାବିରେ ହତ୍ୟା; ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡ

Published By : Prameya-News7 Bureau | December 27, 2022 IST

ଭଦ୍ରକ ୨୭/୧୨: ପତ୍ନୀ ହତ୍ୟା ଅପରାଧରେ ସ୍ୱାମୀକୁ ଆଜୀବନ କାରାଦଣ୍ଡ। ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରାକୁ ଏଭଳି ରାୟ ଦେଇଛନ୍ତି ଜିଲ୍ଲା ଅତିରିକ୍ତ ବିଚାରପତି। ସେ ଭଦ୍ରକ ଜିଲ୍ଲା ବନ୍ତ ଥାନା ତରାଗ ଗାଁର ବାସିନ୍ଦା। ଭଦ୍ରକ ଅତିରିକ୍ତ ଜିଲ୍ଲା ବିଚାରପତି ଆଶିଷ କୁମାର ତ୍ରିପାଠୀ ମଙ୍ଗଳବାର ଏଭଳି ରାୟ ଶୁଣାଇଛନ୍ତି। ଭାରତୀୟ ପିଙ୍ଗଳ କୋଡ୍‌ର ଦଫା ୩୦୨ରେ ପୂର୍ଣ୍ଣଚନ୍ଦ୍ରକୁ ଦୋଷି ସାବ୍ୟସ୍ତ କରି କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଆଦେଶ ମଧ୍ୟ ଦିଆଯାଇଛି। ଜୋରିମାନା ଅନାଦେୟ ହେଲେ ଅଧିକ ୩ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ପକ୍ଷରୁ କୁହାଯାଇଛି।

ଖବର ଅନୁସାରେ ପୂର୍ଣ୍ଣଚନ୍ଦ୍ର ରବିନ୍ଦ୍ର ବାରିକଙ୍କ ଝିଅ ମିନାକ୍ଷିଙ୍କୁ ୨୦୧୨ରେ ବାହା ହୋଇଥିଲେ। ବିବାହ ବେଳେ ଦାବିମୁତାବକ ଯୌତୁକ ଦିଆ ହୋଇଥିଲା। ଏହା ପରେ ବି ପୂର୍ଣ୍ଣଚନ୍ଦ୍ର ବାଇକ୍‌ କିଣିବାକୁ ୫୦ ହଜାର ଶ୍ୱସୁର ଘରୁ ସ୍ତ୍ରୀଙ୍କୁ ଆଣିବାକୁ କହିଥିଲେ। ମିନାକ୍ଷି ଏଥିରେ ଅରାଜି ହେବାରୁ ତାଙ୍କୁ ଶଶୁର ଘରେ ନିର୍ଯାତନା ଦେଉଥିଲେ। ୨୦୧୬ ମାର୍ଚ୍ଚ ୯ରେ ମିନାକ୍ଷିଙ୍କୁ ତାଙ୍କ ସ୍ୱାମୀ ନିଆଁ ଲଗାଇ ପୋଡ଼ି ଦେଉଥିବା ଅଭିଯୋଗ ହୋଇଥିଲା। ଏହା ଜାଣି ବାପଘର ଲୋକ ମିନାକ୍ଷିଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ପରେ ମିନକ୍ଷି ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାରକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମିନାକ୍ଷିଙ୍କ ମୃତ୍ୟୁ କାଳିନ ଜମାନ ବନ୍ଦି ରେକର୍ଡ ହୋଇଥିଲା। ପୂର୍ଣ୍ଣଚନ୍ଦ୍ର କିରୋସିନ ଢାଳି ନିଆଁ ଲଗାଇ ତାଙ୍କ ଦେହରେ ନିଆଁ ଲଗାଇଥିଲେ ବୋଲି ସେ କହିଥିଲେ। ମିନାକ୍ଷିଙ୍କ ମୃତ୍ୟୁକାଳିନ ଜମାନବନ୍ଦୀ ଆଧାରରେ ପୂର୍ଣ୍ଣଚନ୍ଦ୍ରକୁ ବିଚାରପତି ଏପରି ଦଣ୍ଡାଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.