ପୂର୍ବ ଶତ୍ରୁତାରୁ ହତ୍ୟାକରି ଯୁବକଙ୍କୁ ନଦୀରେ ଫିଙ୍ଗିଥିଲା, ଡେମୋ ଦେଖାଇଲା ଅଭିଯୁକ୍ତ
23/08/2022 at 7:21 PM

ଭଦ୍ରକ, ୨୩/୦୮: ନିଖୋଜ ଯୁବକଙ୍କ କ୍ଷତାକ୍ତ ମୃତଦେହ ମିଳିବା ଘଟଣାରେ ଧରାପଡିଲା ଅଭିଯୁକ୍ତ । କ୍ରାଇମ ସିନ୍ ରିକ୍ରିଏସନ ବେଳେ ହତ୍ୟାକାଣ୍ଡର କାହାଣୀ କହିବା ସହ ଡେମୋ ଦେଖାଇଛି ଅଭିଯୁକ୍ତ । ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅନ୍ତର୍ଗତ ଧନାଟୋଲା ଗ୍ରାମର ପ୍ରକାଶ ଚନ୍ଦ୍ର ବେହେରା ୧୭ ତାରିଖ ଠାରୁ ନିଖୋଜ ଥିଲେ। ପରେ ଭଦ୍ରକ ଦେଇ ପ୍ରବାହିତ ସାଳନ୍ଦୀ ନଦୀର ନୂଆସାହି ଆଶ୍ରମ ପଡ଼ିଆ ନିକଟରେ ଥିବା ନଦୀ କୂଳରେ ପ୍ରକାଶଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଏନେଇ ସ୍ଥାନୀୟ ଲୋକେ ପୁରୁଣା ବଜାର ପୁଲିସକୁ ଖବର ଦେଇଥିଲେ।
ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ତେବେ ପାରିପାର୍ଶ୍ୱିକ ସ୍ଥିତି ଏବଂ ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖି ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ ହୋଇଥିଲା । ପରେ ମୃତକଙ୍କ ପରିବାର ଲୋକଙ୍କ ଏତଲା ପରେ ପୋଲିସ ଘଟଣାର ପର୍ଦ୍ଦାଫାସ କରିଛି ।
ତେବେ ଏହି ହତ୍ୟାକାଣ୍ଡ ସୁପରିକଳ୍ପିତ ବୋଲି ସ୍ପଷ୍ଟ ହୋଇଛି । ଅଭିଯୁକ୍ତ ହେଉଛନ୍ତି ସେହି ଅଞ୍ଚଳର ଜଗନ୍ନାଥ ମହଲା । ପ୍ରକାଶଙ୍କ ସହ ତାଙ୍କର ପୂର୍ବ ଶତ୍ରୁତା ଥିଲା । ଘଟଣା ଦିନ ପ୍ରକାଶ ଏକା ବସିଥିବା ଖବର ପାଇ ଜଗନ୍ନାଥ ଏକ ମାରଣାସ୍ତ୍ର ଧରି ଆସିଥିଲା ଓ ପରେ ପିଟି ପିଟି ହତ୍ୟା କରିବା ପରେ ମୃତଦେକୁ ନିକଟସ୍ଥ ନଦୀକୁ ଫିଙ୍ଗି ପଳାଇ ଯାଇଥିଲା । ଏବେ ପୋଲିସ ଗିରଫ କରିବା ପରେ ଅଭିଯୁକ୍ତ ଡେମୋ ଦେଖାଇଛି । ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି ପୁରୁଣାବଜାର ପୋଲିସ ।