ନବଦାସ ହତ୍ୟା ଘଟଣା, ଅଭିଯୁକ୍ତ ଗୋପାଳର ହେବ ନାର୍କୋ ଟେଷ୍ଟ
8/02/2023 at 4:23 PM

ଝାରସୁଗୁଡା ୦୮/୦୨: ନବଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ରିମାଣ୍ଡ ଅବଧି ସରିବା ପରେ କ୍ରାଇମବ୍ରାଞ୍ଚ ଅଧିକ ୫ ଦିନ ରିମାଣ୍ଡ ନେବାକୁ କୋର୍ଟରେ ଆବେଦନ କରିଥିଲେ । କିନ୍ତୁ ଜେଏମ୍ଏଫସି କୋର୍ଟ ଏହି ମାମଲାର ଶୁଣାଣି କରି ୫ଦିନ ଅଧିକ ରିମାଣ୍ଡ ଦେବାକୁ ଅନୁମତି ଦେଇଥିଲେ । ଏଥିସହ ଗୋପାଳର ନାର୍କୋ ଟେଷ୍ଟ ପାଇଁ ଅନୁମତି ଦେଇଛନ୍ତି କୋର୍ଟ ।
ବୁଧବାର ପୁଣି ଥରେ ଜେଏମ୍ଏଫସି କୋର୍ଟରେ ରିମାଣ୍ଡ ଆବେଦନ ପାଇଁ ଦିନ ସାଢେ ୧୧ଟାରେ କ୍ରାଇମବ୍ରାଞ୍ଚ ଅଧିକାରୀ ମାନେ କୋର୍ଟରେ ପହଂଚିଥିଲେ । ଦିନ ଅଢେଇଟା ସମୟରେ ଅଭିଯୁକ୍ତ ଗୋପାଳକୁ କୋର୍ଟରେ ହାଜର କରାଯାଇଥିଲା । ସକାଳୁ ପୋଲିସ ଡ଼ିଜି ସୁନୀଲ ବଂଶଲ, ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଆଇନ ଶୃଙ୍ଖଳା ଏଡିଜି ଆର କେ ଶର୍ମା, ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ଓ ଜିଲ୍ଲା ଏସପି ଗାନ୍ଧିଛକ ହତ୍ୟାକାଣ୍ଡ ସ୍ଥଳ ପରିଦର୍ଶନ କରିବା ସହ ଗାନ୍ଧିଛକ ଫାଣ୍ଡି ପରିଦର୍ଶନ କରି ଘଟଣାର ଛାନଭିନ କରିଥିଲେ ।
ଏହାପରେ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ଘଣ୍ଟାଏରୁ ଅଧିକ ସମୟ ରୁଦ୍ଧଦ୍ୱାର ବୈଠକ କରି ନବଦାସ ହତ୍ୟାକାଣ୍ଡର ସବୁ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହ ଏହି ଘଟଣାର ତଦନ୍ତକୁ ତଦାରଖ କରୁଥିବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ହତ୍ୟାର କାରଣ ଜାଣିବାକୁ ଚେଷ୍ଟା କରିଥିଲେ ।
ପରେ ସେ ଅଭିଯୁକ୍ତ ଗୋପାଳକୁ ଦ୍ୱିତୀୟ ବାଟାଲିଅନ ପରିସରରେ ଭେଟି ତା ବୟାନ ସଂଗ୍ରହ କରିବା ସହ ତଦନ୍ତର ଅଗ୍ରଗତି ସମ୍ପର୍କରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡ଼ିଜି ଅରୁଣ ବୋଥ୍ରାଙ୍କ ସହ ଆଲୋଚନା କରିବା ପରେ ବିମାନରେ ଭୁବନେଶ୍ୱର ଫେରିଯାଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଝାରସୁଗୁଡାରେ ପୋଲିସ ଡିଜି ଓ ଅନ୍ୟ ଦୁଇ ଅତିରିକ୍ତ ଡିଜି ପହଂଚିବା ପରେ ପୁରା ତଦନ୍ତ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇଥିଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ।