ରାସ୍ତାରେ ଅଟକାଇ ଝିଅକୁ କରୁଥିଲେ ହଇରାଣ, ଥାନାରେ ଅଭିଯୋଗ କରିବାରୁ ବାପାକୁ ଭୁଜାଲିରେ ଆକ୍ରମଣ
5/01/2023 at 3:36 PM

ଆନନ୍ଦପୁର: ନିଜ ଝିଅକୁ ବାଟରେ ଅଟକାଇ କମେଣ୍ଟ ମାରିବା ସହ ଅଶ୍ଳିଳ ଇଙ୍ଗିତ କରୁଥିବା ଯୁବକ ବିରୋଧରେ ବାପା ଥାନାରେ ଅଭିଯୋଗ କରିଥିଲେ। ଏହାକୁ ସହି ପାରିନଥିଲେ ଅଭିଯୁକ୍ତ ଯୁବକ। ଆଉ ଯୁବତୀଙ୍କ ବାପାଙ୍କୁ ଭୁଜାଲିରେ ଆକ୍ରମଣ କରିଛନ୍ତି। ଏଥିରେ ବାପା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘଟଣାଟି ଆନନ୍ଦପୁର ପୌରାଞ୍ଚଳ ୪ନଂ ଓ୍ବାର୍ଡ ତଳସାହିରେ ଘଟିଛି।
ସୂଚନା ଅନୁଯାୟୀ, ଗୁରୁବାର ନିଜ ଝିଅକୁ ହଇରାଣ କରୁଥିବା ଯୁବକ ବିରୋଧରେ ଆଜି ସକାଳେ ଆନନ୍ଦପୁର ଥାନାରେ ଅଭିଯୋଗ କରିଥିଲେ ଯୁବତୀଙ୍କ ବାପା କ୍ଷେତ୍ରମୋହନ। ତେବେ ଥାନା ରେ ଅଭିଯୋଗ ସମ୍ପର୍କରେ କୈଣସି ସୂତ୍ରରୁ ଖବର ପାଇ କ୍ଷେତ୍ରମୋହନଙ୍କ ଫେରିବା ବାଟକୁ ସାହି ଠାରେ ଜଗିରହିଥିଲା ଅଭିଯୁକ୍ତ। କ୍ଷେତ୍ରମୋହନ ଫେରିବା କ୍ଷଣି ଏକ ଭୁଜାଲିରେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା ଅଭିଯୁକ୍ତ ଯୁବକ। ଏହି ସମୟରେ ପାଟିତୁଣ୍ଡ ଶୁଣି ପତ୍ନୀ ପଦ୍ମାବତୀ ବାହାରି ଆସି ସ୍ବାମୀ ଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରି ସାମାନ୍ୟ ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ଆନନ୍ଦପୁର ପୋଲିସ୍ ତଦନ୍ତ ଆରମ୍ଭ କରିଛି।