Valentine ଧରାଇ ଦେଲା,ଅପରାଧୀର ମୁଣ୍ଡ ଉପରେ ଥିଲା ୩୦ ହଜାର ଟଙ୍କାର ପୁରସ୍କାର
14/02/2020 at 5:58 PM

ଅଲୱର ୧୪।୨: ଜିଲ୍ଲାର ବହରୋଡ ପୋଲିସ ୩୦ ହଜାର ଟଙ୍କାର ଇନାମୀ ଅପରାଧୀ ବିକ୍ରାନ୍ତ ଓର୍ଫ ବିକ୍କିକୁ ଶୁକ୍ରବାର ଦିଲ୍ଲୀ କନ୍ନଟ ପାଲେସରୁ ଗିରଫ କରିଛି। ଭିଭାଡୀ ଏସପି ଡା. ଅମନଦୀପ ସିଂହ କପୁରଙ୍କ ଅନୁସାରେ ବିକ୍ରାନ୍ତ ଦିଲ୍ଲୀ କନ୍ନଟ ପାଲେସରେ ତା ଗାର୍ଲ ଫ୍ରେଣ୍ଡ ସହ ସପିଙ୍ଗ କରୁଥିବା ବେଳେ ଧରାପଡିଛି।

ଚର୍ଚ୍ଚିତ ଜସରାମ ହତ୍ୟାକାଣ୍ଡର ଅପରାଧୀଙ୍କୁ ବିକ୍ରାନ୍ତ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲା। ସେହିପରି ଗତ ନଭେମ୍ବର ୧୯ ଗୋକୁଲପୁର ଡାୟେରୀ ଗୁଳିକାଣ୍ଡ ଓ ଜନୈକ ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେଇଥିବାର ଅଭିଯୋଗ ବି ପୋଲିସ ନିକଟରେ ହୋଇଥିଲା। ଏହା ବାଦେ ତା ବିରୋଧରେ ରାଜସ୍ଥାନ ଓ ହରିୟାଣାର ବିଭିନ୍ନ ଥାନାରେ ୮ରୁ ଊର୍ଦ୍ଧ୍ୱ ସଙ୍ଗିନ ମାମଲା ଥିବାର ଏସପି କହିଛନ୍ତି। ବିକ୍ରାନ୍ତକୁ ଧରାଇ ଦେଲେ ହରିୟାଣା ସରକାର ୧୦ ହଜାର ଓ ରାଜସ୍ଥାନ ପୋଲିସ ୨୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।

ବିକ୍ରାନ୍ତକୁ ଗିରଫ କରିବା ଲାଗି ସମ୍ପୃକ୍ତ ରାଜ୍ୟ ସରକାରମାନେ ସ୍ପେଶାଲ ଟାସ୍କ ଫୋର୍ସ ଗଠନ କରିଥିବା ବେଳେ ସେ ବେସ୍ ସତର୍କ ଥିଲା। ସେ ପୋଲିସ ଚଢଉରୁ ବର୍ତ୍ତିବା ଲାଗି ଦିଲ୍ଲୀ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶରେ ଆତ୍ମଗୋପନ କରୁଥିବାରୁ ତାକୁ ଧରିବା ପକ୍ଷେ ସମ୍ଭବ ହେଉନଥିଲା। ତେବେ ଭାଲେଣ୍ଟାଇନ ଡେ ପାଳନ ଲାଗି ଦିଲ୍ଲୀକୁ ସପିଙ୍ଗ କରିବାକୁ ଆସି ପୋଲିସ ଜାଲରେ ଫଶି ଯାଇଛି।