ପ୍ରେମିକାକୁ କଥା ଦେଇଥିଲା ବୋଲି ପୋଲିସ ଗାଡିରୁ ଡେଇଁ ଖସିଗଲା…

Published By : Prameya-News7 Bureau | December 13, 2019 IST

କେନ୍ଦୁଝର ୧୩।୧୨: ପ୍ରେମିକାଙ୍କୁ ଦେଖା କରିବାକୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବାକୁ ପୋଲିସ ଗାଡିରୁ ଡେଇଁ ଚମ୍ପଟ ମାରିଲେ ଯୁବକ । କେନ୍ଦୁଝରରୁ ରାଉରକେଲା ବାଳସୁଧାର ଗୃହକୁ ଆସୁଥିବା ୯ ନାବାଳକଙ୍କ ମଧ୍ୟରୁ ଜଣେ ଚଳନ୍ତା ଗାଡିରୁ ଛୁ’ ମାରିଥିଲେ । ଏ ନେଇ ଚାନ୍ଦିପୋଷ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୁକ୍ତକୁ କେନ୍ଦୁଝରରୁ ଧରିଛି ପୋଲିସ ।

ପ୍ରେମିକାକୁ ଭେଟିବା ପାଇଁ ପୋଲିସ ସୁରକ୍ଷାବଳ ଭାଙ୍ଗି ବସ୍‌ରୁ ଚମ୍ପଟ୍‌ ମାରିଥିଲେ ଯୁବକ । ଅଭିଯୁକ୍ତର ଡାଏରୀ ଯାଞ୍ଚ ପରେ ପୋଲିସ ପ୍ରେମିକା ଘର ଆଗରେ ଜଗି ରହି ଅଭିଯୁକ୍ତକୁ ଗିରଫ କରିଛି । ତେବେ ଅଭିଯୁକ୍ତ ଜଣଙ୍କ ଜଣେ ବାଳ ଅପରାଧୀ ଭାବେ ସୁଧାର ଗୃହରେ ରହି ଆସୁଥିବା ବେଳେ ଇତିମଧ୍ୟରେ ସେ ସାବାଳକ ହୋଇ ସାରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । 

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ମସାଣୀଯୋଡି ଗ୍ରାମରେ ଏକ ହତ୍ୟାକାଣ୍ଡରେ ସଂପୃକ୍ତ ଥିଲେ ଅଭିଯୁକ୍ତ । ସେତେବେଳେ ସେ ନାବାଳକ ଥିବାରୁ ଅଦାଲତର ନିର୍ଦ୍ଦେଶ କ୍ରମେ ରାଉରକେଲା ସ୍ଥିତ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା । ସେ ସେଠାରେ ପ୍ରାୟ ୭/୮ମାସ ହେବ ରହି ଆସୁଥିଲା । ତେବେ ସୁଧାର ଗୃହରେ ଥିବାବେଳେ ନାବାଳକ ଜଣକ କେନ୍ଦୁଝର ଅଞ୍ଚଳର ଜଣେ ମହିଳାଙ୍କୁ ପ୍ରେମ କରି ବସିଥିଲା । ମହିଳା ଜଣକ ୩ଟି ଛୁଆର ମା’ । ସେ ନିଜ ଭାଇକୁ ଦେଖା କରିବାକୁ ରାଉରକେଲା ଯାଉଥିବା ସମୟରେ ଅଭିଯୁକ୍ତ ସହିତ ନିୟମିତ ଦେଖା ହେଉଥିଲା । ସେଠାରୁ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । କିଛିଦିନ ତଳେ ମହିଳା ଜଣଙ୍କ ପୁଣି ରାଉରକେଲା ଯାଇଥିଲେ । ଅଭିଯୁକ୍ତ ସହିତ ଭେଟ ହେବା ପରେ ଗୁରୁବାର ସେ କେନ୍ଦୁଝରରେ ମହିଳାଙ୍କ ଘରକୁ ପହଞ୍ଚିବ ବୋଲି ପ୍ରତିଶ୍ରୁତି ଦେଇଥିଲା ।

ବୁଧବାର ଅଭିଯୁକ୍ତର ମାମଲା ବିଚାର ଥିବାରୁ ସେ କେନ୍ଦୁଝର ଯିବ ଓ ତାଙ୍କୁ ଦେଖାକରିବ ବୋଲି କହିଥିଲା ।  ଜଣେ ନାବାଳକଙ୍କ ଶରୀର ଅସୁସ୍ଥ ଥିବାରୁ ପୁଲିସ୍‌ ଟିମ୍‌ ୯ ଜଣଙ୍କୁ ଏକ ଗାଡ଼ିରେ କେନ୍ଦୁଝର ନେଇଥିଲେ । କେନ୍ଦୁଝର କୋର୍ଟରେ ସେମାନଙ୍କୁ ହାଜର କରିବା ପରେ ସନ୍ଧ୍ୟାରେ ୯ ଜଣଙ୍କୁ ଧରି ପୁଲିସ୍‌ର ଅନ୍ୟ ଏକ ଟିମ୍‌ ରାଉରକେଲା ଫେରୁଥିଲେ । ରାତି ପ୍ରାୟ ସାଢେ ୧୦ଟାରେ ୧୪୩ ନଂ.ଜାତୀୟ ରାଜପଥର ଚମ୍ପାଝରଣ ରେଲୱେ ଓଭରବ୍ରିଜ୍‌ ଉପରେ ଗାଡ଼ିର ଗତି ମନ୍ଥର ହେବାରୁ ଏହାର ସୁଯୋଗ ନେଇ ଚଳନ୍ତା ଗାଡ଼ିର ଝରକା ଖୋଲି ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିଲା । ୮ ଜଣ ନାବାଳକଙ୍କୁ ପୋଲିସ୍‌ ଟିମ୍‌ ରାଉରକେଲା ବାଳସୁଧାର ଗୃହକୁ ହସ୍ତାନ୍ତର କରିବା ପରେ ଘଟଣାକୁ ନେଇ ଚାନ୍ଦିପୋଷ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ରାଉରକେଲାରେ ତା’ ଆସବାବପତ୍ର ଯାଞ୍ଚ କରିଥିଲା ।

ଯାଞ୍ଚ ସମୟରେ ଏକ ଡାଏରୀ ସେଠାରୁ ଜବତ ହୋଇଥିଲା । ଏହି ଡାଏରୀରେ ମହିଳାଙ୍କ ସମ୍ପର୍କରେ ସମସ୍ତ ବିଷୟକୁ ଟିକିନିଖି ଲେଖାଯାଇଥିଲା । ପୁଲିସ ମଧ୍ୟ ରାଉରକେଲାରୁ ସମସ୍ତ ତଥ୍ୟ ହାସଲ କରିବା ପରେ ମହିଳାଙ୍କ ଘର କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପଟେ ସାଦା ପୋଷାକରେ ଜଗି ରହିଥିଲା । ସନ୍ଧ୍ୟାରେ ଅଭିଯୁକ୍ତ ମହିଳାଙ୍କୁ ଦେଖା କରିବାକୁ ଯାଉଥିବା ସମୟରେ ପୋଲିସ ପଞ୍ଝାରେ ପଡି ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.