ଭୁବନେଶ୍ୱର ୦୨/୧୨: ଡିସେମ୍ବର ଆସିଗଲା । ଏଯାଏଁ ଥଣ୍ଡା ପଡ଼ିଲାନି । ଉତ୍ତରରୁ କାଲୁଆ ପବନ ଏଯାଏଁ ବହିଲାନି । ଏବେ ବି ବିନା ପଙ୍ଖାରେ ଶୋଇ ହେଉନି । ପାଣିପାଗ ବିଭାଗର ପୂର୍ବାନୁମାନ ଯାହା, ଏ ବର୍ଷ ଶୀତ ପ୍ରକୋପ ପୂରା କମ୍ ରହିବ । ଡିସେମ୍ବରରେ ବିଶେଷ ଶୀତ ଅନୁଭୂତ ହେବାର ନାହିଁ । ଫେବ୍ରୁଆରୀ ସରିଯିବ, ହେଲେ ଦେହକୁ ଥଣ୍ଡା ଲାଗିବନି । ବରଂ ଗରମ ଲାଗିପାରେ ।
ଶୀତ ଋତୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ ଜାରି କରିଛି । ଏହି ପୂର୍ବାନୁମାନରେ ଡିସେମ୍ବରରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ସମ୍ଭାବ୍ୟ ତାପମାତ୍ରା ଓ ଶୀତ ପ୍ରକୋପ ବାବଦରେ ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି, ଚଳିତବର୍ଷ ଦେଶର ଅଧିକାଂଶ ସ୍ଥାନରେ ସର୍ବନିମ୍ନ (ରାତି) ତାପମାତ୍ରା ସ୍ୱାଭାବିକଠାରୁ ବେଶ୍ ଅଧିକ ରହିବ । ଅର୍ଥାତ୍ ଶୀତ ଗାଏବ ରହିବ ।
ଖାଲି ସେତିକି ନୁହେଁ, ଦିନ ତାପମାତ୍ରା ଦେଶର ଅଧିକାଂଶ ଅଞ୍ଚଳରେ ଯେତିକି ରହିବା କଥା, ତା’ଠାରୁ ଅଧିକ ରହିବ । ଏଥର ଉତ୍ତର, ଉତ୍ତର ପଶ୍ଚିମ, କେନ୍ଦ୍ରୀୟ, ପୂର୍ବ ଓ ଉତ୍ତର ପୂର୍ବ ଭାରତରେ ଶୀତ ଲହରୀ ଅବଧି (ଦିନ ସଂଖ୍ୟା) ଅପେକ୍ଷାକୃତ କମ୍ ରହିବା ସମ୍ଭାବନା ଅଛି । ଡିସେମ୍ବର ମାସରେ ଦେଶର ଅଧିକାଂଶ ଅଞ୍ଚଳରେ ରାତି ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ ଅଧିକ ରହିପାରେ ।
ଓଡ଼ିଶାରେ ମଧ୍ୟ ଏଥର ଥଣ୍ଡା ବିଶେଷ ପଡ଼ିବନି । ଡିସେମ୍ବରରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ ଅଧିକ ରହିବ । ଦକ୍ଷିଣ, କେନ୍ଦ୍ରୀୟ, ଉପକୂଳରେ ଶୀତ ପ୍ରଭାବ କାଁ ଭାଁ ରହିପାମେର । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବି ବିଶେଷ ଅନୁଭୂତ ହେବନି ଶୀତ । ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଏ ବର୍ଷ ଶୀତ ଲହରୀ ସଂଖ୍ୟା ମଧ୍ୟ କମ ରହିବ । ଡିସେମ୍ବରରେ କିଛି ବର୍ଷା ହୋଇପାରେ ।
wp:embed {"url":"https://www.prameyanews7.com/un-chief-antonio-guterres-sounds-alarm-says-2023-set-to-be-hottest-year-in-human-history/","type":"wp-embed","providerNameSlug":"prameya-news-7"} /wp:embedଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବାନୁସାରେ ଗତ କିଛି ବର୍ଷ ହେବ ଶୀତ ପ୍ରକୋପ କମିବାରେ ଲାଗିଛି । ଏହାର ପ୍ରମୁଖ କାରଣ ହେଉଛି ଗ୍ଲୋବାଲ୍ ୱାର୍ମିଂ (ବିଶ୍ୱ ତାପନ) । ଚଳିତବର୍ଷ ଏଲ୍-ନିନୋ ପ୍ରଭାବ ରହୁଛି । ଏହା ମଧ୍ୟ ଶୀତ କମିବାର ଆଉ ଏକ କାରଣ । ଚଳିତବର୍ଷ ଏଯାଏଁ ଶୀତ ବିଶେଷ ଅନୁଭୂତ ହୋଇନାହିଁ । ଡିସେମ୍ବରରେ ମଧ୍ୟ ଶୀତ ପ୍ରକୋପ ସମ୍ଭାବନା କମ୍ ।
ବର୍ତ୍ତମାନ ସ୍ଥିତି କହୁଛି, ଦିନ ତାପମାତ୍ରା ପ୍ରାୟ ଅଧିକାଂଶ ଅଞ୍ଚଳରେ ୩୦-୩୧ ଡିଗ୍ରୀ ସେଲସିୟସ୍ ପାଖାପାଖି ରହିଛି । ରାତି ତାପମାତ୍ରା ପ୍ରାୟତଃ ୧୮-୧୯ ଡିଗ୍ରୀ ପାଖାପାଖି କିମ୍ବା ତା’ଠାରୁ ଅଧିକ ରହୁଛି । କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୨, କେନ୍ଦୁଝର ୧୨.୮ ଡିଗ୍ରୀ ଥିବାବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ରହିଛି । ଏହା ସ୍ୱାଭାବିକଠାରୁ ଅଧିକ । ଭୁବନେଶ୍ୱର ରାତି ତାପମାତ୍ରା ୨୦ ଡିଗ୍ରୀ ପାଖାପାଖି ଥିଲା ଗୁରୁବାର ବିଳମ୍ବିତ ରାତିରେ । ଆସନ୍ତା ୪-୫ ଦିନ ଭିତରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ ।