ପଞ୍ଜାବ ଗଭର୍ଣ୍ଣରଙ୍କ କାରକେଡରେ ଫାଟିଲା ସୁରକ୍ଷା କର୍ମୀଙ୍କ ଗାଡିର ଟାୟାର, ୩ ଆହତ

Published By : Prameya-News7 Bureau | July 24, 2024 IST

ପଠାନକୋଟ ୨୪।୭: ପଞ୍ଜାବ ସୀମାବର୍ତ୍ତୀ ଅଞ୍ଚଳକୁ ଗସ୍ତକାଳରେ ବୁଧବାର ଗଭର୍ଣ୍ଣର ବନବାରୀଲାଲ ପୁରୋହିତଙ୍କ କାରକେଡରେ ଅଘଟଣ ଘଟିଛି। ଗଭର୍ଣ୍ଣରଙ୍କ କାରକେଡରେ ଥିବା ଏକ ଗାଡିର ଟାୟାର ଫାଟିଯିବାରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଏଥିରେ ଥିବା ୨ ଜଣ ସିଆରପିଏଫ ଜବାନ ଓ ଜଣେ ଚଣ୍ଡିଗଡ଼ ପୋଲିସ ସିପାହୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଅମୃତସର ଗୁରୁ ନାନକଦେବ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ବୁଧବାର ମଧ୍ୟାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ଗଭର୍ଣ୍ଣର ପଠାନକୋଟରୁ ଅମୃତସର ଆଡକୁ ଆସୁଥିଲେ। ଏହି ଦୁର୍ଘଟଣା ଅଟାରୀ-ବାଘା ବର୍ଡର ରାସ୍ତାର ଘରିଣ୍ଡା ନିକଟରେ ହୋଇଛି। ସିଆରପିଏଫର ଆହତ ଜବାନମାନେ ହେଲେ ବିକାଶ ଉପାଧ୍ୟାୟ ଓ ରାକେଶ କୁମାର। ସେହିପରି ଚଣ୍ଡିଗଡ ପୋଲିସର କୁଶଲ ସିଂହ ମଧ୍ୟ ଆହତ ହୋଇଛନ୍ତି। ତେବେ ଆହତ ଜବାନମାନେ ଏବେ ବିପଦମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। 

ପଞ୍ଜାବ ଗଭର୍ଣ୍ଣର ବନବାରୀ ଲାଲ ପୁରୋହୀତ ଏବେ ସୀମାବର୍ତ୍ତି ଗ୍ରାମାଞ୍ଚଳ ପରିଦର୍ଶନ କରୁଛନ୍ତି। ଏହି ସବୁ ଜିଲ୍ଲା ବୁଲି ସେ ସୀମା ପରିସ୍ଥିତି ତଦାରଖ କରୁଛନ୍ତି। ଏହି ସବୁ କ୍ଷେତ୍ରରେ ଡ୍ରଗସକୁ ନେଇ ଗଭର୍ଣ୍ଣର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ରାଜ୍ୟପାଳ କହିଛନ୍ତି ଯେ ଯେଉଁ ଗ୍ରାମ ନିଶା ବିରୋଧରେ ଭଲ କାମ କରିବ ସେହି ଗ୍ରାମକୁ ପୁରସ୍କୃତ କରାଯିବ। ଏଥିରେ ପ୍ରଥମ ପୁରସ୍କାର ରାଶି ୩ଲକ୍ଷ ଟଙ୍କା ରଖା ଯାଇଥିବା ବେଳେ ଦ୍ୱିତୀୟ ପୁରସ୍କାର ୨ଲକ୍ଷ ଓ ତୃତୀୟ ପୁରସ୍କାର ୧ ଲକ୍ଷ ଟଙ୍କା ରହିଛି। ସୀମାବର୍ତ୍ତି ପଞ୍ଜାବର ଗ୍ରାମାଞ୍ଚଳରେ ନିଶା ଏବେ ସମସ୍ୟାର କାରଣ ପାଲଟିଛି। ସୀମାପାର ନିଶା କାରବାର ହେଉଥିବା ବେଳେ ଗ୍ରାମୀଣ ଯୁବକ ଏଥିରେ ପ୍ରଭାବିତ ହେଉଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.