ଭିଲାଇ ୬।୭: ଛତିଶଗଡ଼ ଭିଲାଇ ଷ୍ଟିଲ ପ୍ଲାଣ୍ଟ (ଭିଏସପି)ର ୟୁନିଭର୍ସଲ ରେଲ ମିଲ (ୟୁଆରଏମ)ରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଭିଏସପିର ଅନେକ କ୍ଷତି ହୋଇଛି। ୟୁନିଭର୍ସଲ ରେଲ ଷ୍ଟାମ୍ପିଂ ମେସିନରୁ ଛିଟକି ୧୫ ଫୁଟ ଉଚ୍ଚରେ ଥିବା କ୍ୟାବିନରେ ପଶି ଯାଇଛି। ଫଳରେ ମିଲରେ ସେତେବେଳେ କାର୍ଯ୍ୟରତ କର୍ମଚାରୀ ଦୌଡାଦୌଡି କରି ଯିଏ ଜୁଆଡେ ପଳାଇଥିଲେ। ଭିଏସପି ଦମକଳ ପହଞ୍ଚି ଗରମ ରେଳ ଧାରଣା ଯୋଗୁ କେବୁଲରେ ଲାଗିଥିବା ନିଆଁକୁ ଲିଭାଇଛି।
ୟୁଆରଏମ ଅଧିକାରୀମାନେ ସବୁ ମେସିନ ବନ୍ଦ କରିଦେଇଛନ୍ତି। ଫଳରେ ଉତ୍ପାଦନ ପ୍ରଭାବିତ ହୋଇଛି। କ୍ୟାବିନରେ ଫଶିଥିବା ରେଳ ଧାରଣାକୁ ଖଣ୍ଡ ଖଣ୍ଡ କରି କାଟି ବାହାର କରାଯାଇଛି। ତେବେ ୟୁଆରଏମରେ ଏପରି ଦୁର୍ଘଟଣା କିଛି ନୂଆ କଥା ନୁହେଁ। ଅତୀତରେ ଟେବୁଲରୁ ହଟିବା ଯୋଗୁ ରେଳ ଧାରଣା ଟେଷ୍ଟିଂ ରୁମ ପର୍ଯ୍ୟନ୍ତ ଚାଲି ଯାଇଛି। ସେତେବେଳେ ମଧ୍ୟ ୟୁଆରଏମରେ କାର୍ଯ୍ୟରତ କର୍ମଚାରୀଙ୍କ ଜୀବନ ଅଳ୍ପକେ ବର୍ତ୍ତିଥିଲା।
କୁହାଯାଉଛି ଯଦି ଷ୍ଟାମ୍ପିଂ ମେସିନରୁ ଛିଟକି ରେଳ ଧାରଣା କ୍ୟାବିନ ପର୍ଯ୍ୟନ୍ତ ଉଠି ଯାଇ ପାରୁଛି ତେବେ ଏଥି ଯୋଗୁ ବଡ଼ ଧରଣର ଜୀବନହାନୀ ହେବାର ଆଶଙ୍କା ମଧ୍ୟ ରହୁଛି। ୟୁଆରଏମ ଡିପାର୍ଟମେଣ୍ଟରେ ଏବେ ରୋଲିଂ ବନ୍ଦ ଅଛି। ଏହି ଦୁର୍ଘଟଣା ଯୋଗୁ ତାର ସମେତ ଅନେକ ସାମଗ୍ରୀ ପୋଡି ଯାଇଛି।