ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, ୫୭ ନମ୍ୱର ଜାତୀୟ ରାଜପଥ ଅବରୋଧ କଲେ ଲୋକେ
23/06/2022 at 5:59 PM

ବୌଦ୍ଧ, ୨୩/୦୬: ସିଦ୍ଧପୁର ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ । ପରିବାରକୁ କ୍ଷତି ପୂରଣ ଦାବିରେ ୫୭ ନମ୍ୱର ଜାତୀୟ ରାଜପଥରେ ମୃତଦେହ ରଖି ରାଜପଥ ଅବରୋଧ କଲେ ଶତାଧିକ ଗ୍ରାମବାସୀ ।
ସୂଚନା ଅନୁଯାୟୀ ସିଦ୍ଧପୁର ଛକ ନିକଟରେ ସୋରଜ କୁମାର ମେହେର ନାମକ ଏକ ଯୁବକଙ୍କୁ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ମାରିଥିଲା । ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଜଣକ ରାସ୍ତାରେ ପଡି ରହିଥିଲେ । ପରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଯୁବକଙ୍କୁ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ମୃତଦେହ ବ୍ୟବଚ୍ଛେଦ ହେବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ମୃତଦେହ ଆଣି ୫୭ ନଂ ଜାତୀୟ ରାଜପଥରେ ରଖି କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି । ଯେଉଁ ପର୍ଯ୍ୟନ୍ତ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦିଆନଯିବ ସେ ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି । ସେପଟେ ଘଟଣା ସ୍ଥଳରେ ବାଉସୁଣୀ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଥିବା ବେଳେ ସେଠାରେ ଏ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ସୂଚନା ମିଳିଛି । ଅନ୍ୟପଟେ ରାସ୍ତା ଅବରୋଧ ଯୋଗୁଁ ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ମଟର ଅଟକି ରହିଥିବା ବେଳେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।