କଟକ, ୨୫/୦୨: ଆଠଗଡ଼ ଥାନା ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତ ପଣ୍ଡା ପୋଖରୀ ନିକଟସ୍ଥ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଛଅ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।
ଘଟଣାରୁ ପ୍ରକାଶ ଯେ, ଗତ କାଲି ବିଳମ୍ବିତ ରାତିରେ ଅନୁଗୋଳରୁ ଆସୁଥିବା ଏକ ସ୍କର୍ପିଓ ଗାଡ଼ି ସହିତ ଜଗତସିଂହପୁରରୁ ବ୍ରତଘର ସାରି ଆସୁଥିବା ଏକ ବୋଲେରୋ ଗାଡ଼ିର ମୁହାଁ ମୁହିଁ ଧକ୍କା ହୋଇଥିଲା । ଏଥିରେ ସ୍କର୍ପିଓ ପଛରେ ଆସୁଥିବା ଜଣେ ବାଇକ୍ ଆରୋହୀଙ୍କ ସହିତ ବୋଲେରୋରେ ଥିବା ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି ।
ସ୍ଥାନୀୟ ଲୋକମାନଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଆହତ ମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଆଠଗଡ଼ ଡ଼ାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଚାରି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ଗୁରୁତର ଆହତ ହୋଇଥିବା ବାଇକ୍ ଆରୋହୀ ଢେଙ୍କାନାଳ ଜିଲ୍ଲାର ମହୁଲପଡାର ଦୀପୁ ବେହେରା ବୋଲି ଜଣାପଡିଛି । ବୋଲେରୋ ମଧ୍ୟରେ ଥିବା ପାଞ୍ଚ ଜଣ ମହିଳାଙ୍କ ମଧ୍ୟରୁ ଗୁରୁତର ଚାରିଜଣ ମହିଳା ହେଲେ ରୁବି ମହାପାତ୍ର, କନକ ମହାପାତ୍ର, ଡଲି ମହାପାତ୍ର ଏବଂ ମନ୍ଦାକିନୀ ସାହୁ ।
ତେବେ ଘଟଣା ସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ଦୁଇଟି ଯାକ ଗାଡି ଜବତ କରିବା ସହିତ ଏହାର ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସମୟରେ ପୁରୁଣା କଟକ-ସମ୍ବଲପୁର ରାସ୍ତା ଏକ ବ୍ୟସ୍ତ ବହୁଳ ରାସ୍ତା ପାଲଟିଛି । ପ୍ରତିଦିନ ଏହି ରାସ୍ତାରେ ଶହ ଶହ ସଂଖ୍ୟାରେ ଗାଡି ମୋଟର ଚଳାଚଳ କରୁଥିବା ବେଳେ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସେହି ଅଞ୍ଚଳକୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଘୋଷଣା କରି ଦୁର୍ଘଟଣା ରୋକିବାକୁ ସ୍ଵତନ୍ତ୍ର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।