ବୁଲାଣିରେ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌, ଜଣେ ଗୁରୁତର

Published By : Prameya-News7 Bureau | March 07, 2021 IST

ଆଠଗଡ଼, ୦୭/୦୩: ବାଙ୍କୀ ଥାନା ଅନ୍ତର୍ଗତ କଦଳୀ ବାଡ଼ି ବନଦୁର୍ଗା ମନ୍ଦିର ନିକଟରେ ଏକ ଚାଉଳ ବୋଝେଇ ପିକ୍ଅପ୍ ଭ୍ୟାନ ଓଲଟି ପଡିବାରୁ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ପ୍ରଥମେ ଆଠଗଡ଼ ଏବଂ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଘଟଣାରୁ ପ୍ରକାଶ ଯେ ଆଠଗଡ଼ ଷ୍ଟାଡିୟମ ପଛପଟେ ଥିବା ଶ୍ରୀୟା ଟ୍ରେଡର୍ସରୁ  ୬୮ ବସ୍ତା ଚାଉଳ ବୋଝେଇ କରି ଏକ ପିକ୍ ଅପ୍ ଭ୍ୟାନ ନଂ ଓଡି-୦୬-କେ-୯୭୧୪ ବାଙ୍କୀ ଅଞ୍ଚଳର ଦୁର୍ଗା ପୁର ଅଙ୍ଗନୱାଡି କେନ୍ଦ୍ରକୁ ଯାଉଥିଲା । ତେବେ ଦୃତ ଗତିରେ ଯାଉଥିବା ଏହି ଗାଡିଟି ଵନଦୁର୍ଗା ଠାକୁରାଣୀ ମନ୍ଦିର ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଗାଡ଼ିରେ ଯାଉଥିବା ଶ୍ରମିକ ବାପୁଜୀ ସ୍ଵାଇଁ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଆଠଗଡ଼ ଏବଂ ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ସରଣ୍ଡା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରୁ ଗାଡି ହଟାଇବା ପରେ ଏହି ରାସ୍ତା ରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା ।

ଅନ୍ୟ ପକ୍ଷରେ ଦୁର୍ଘଟଣାଗ୍ରସ୍ତ ଗାଡିଟିର ଫିଟନେସ ସାର୍ଟିଫିକେଟ ସହିତ ଅନ୍ୟାନ୍ୟ କାଗଜ ପତ୍ର ଠିକ ନଥିବା ଜଣାପଡ଼ିଛି । ତେବେ ଏ ଭଳି ବିନା ସଠିକ୍ କାଗଜ ପତ୍ରରେ କିଭଳି ଅଙ୍ଗନୱାଡି କେନ୍ଦ୍ର ମାନଙ୍କୁ ଚାଉଳ ଯୋଗାଣ ହେଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.