ଜେଏନୟୁ କ୍ୟାମ୍ପସ୍ ପାଲଟିଲା ରଣକ୍ଷେତ୍ର, ABVP ଏବଂ ବାମ ସଂଗଠନ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସ୍ଥିତ ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଗୁରୁବାର ରାତିରେ ରଣକ୍ଷେତ୍ର ପାଲଟିଥିଲା । ଜେଏନୟୁରେ ଭାଷା ସଂସ୍ଥାନରେ ନିର୍ବାଚନ କମିଟିର ସଦସ୍ୟ ଚୟନକୁ ନେଇ ଗୁରୁବାର ରାତିରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହିଂସା ଦେଖିବାକୁ ମିଳିଛି । ଏଥିରେ କିଛି ଛାତ୍ର ଆହତ ହୋଇଛନ୍ତି । ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବିଶ୍ୱବିଦ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ ମାରପିଟରେ ଆହତ କିଛି ଛାତ୍ରଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ଏକ କଥିତ ଭିଡିଓ ସାମନାକୁ ଆସିଛି, ଏଥିରେ ଜଣେ ବ୍ୟକ୍ତି କିଛି ଛାତ୍ରଙ୍କୁ ବାଡ଼ିରେ ବାଡ଼ାଉଥିବା ଦେଖିବାକୁ ମିଳିଛୁ । ସେହିପରି ଅନ୍ୟ ଭିଡିଓରେ ଜଣେ ବ୍ୟକ୍ତ ଛାତ୍ରଙ୍କ ଉପରେ ସାଇକେଲ ଫିଙ୍ଗୁଥିବା ନଜର ଆସୁଛି । ସେହିପରି ଅନ୍ୟ ଏକ କ୍ଲିପରେ କିଛି ଜଣଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳୁଛି ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ଛଡାଉଥିବା ନଜର ଆସୁଛି ।

ପଢନ୍ତୁ: ଜେଏନୟୁରେ ଓଡ଼ିଆ ପାଠ୍ୟକ୍ରମ ପାଇଁ ପ୍ରତିଷ୍ଠା ହେବ ସ୍ୱତନ୍ତ୍ର କେନ୍ଦ୍ର, ଓଡ଼ିଆ ଭାଷାର ଗବେଷଣା ଦିଗରେ କରିବ କାମ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବଂ ବାମପନ୍ଥୀ ସଂଗଠନର ଛାତ୍ର ପରସ୍ପର ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି । ବିଶ୍ୱବିଦ୍ୟାଳୟ ପ୍ରଶାସନ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କୌଣସି ପ୍ରତିକ୍ରିୟା ଦେଇ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ ଜେଏନୟୁରେ ଛାତ୍ରଙ୍କ ମଧ୍ୟରେ ସଂଘର୍ଷର ଏହା ପ୍ରଥମ ମାମଲା ନୁହେଁ । ଗତ ଫେବ୍ରୁଆରୀ ୧୦ରେ ବି ଜେଏନୟୁ କ୍ୟାମ୍ପସରେ ଛାତ୍ର ସଂଘ ନିର୍ବାଚନ ପାଇଁ ଆୟୋଜିତ ବୈଠକରେ ଏବିଭିପି ଏବଂ ଲେପ୍ଟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଉଭୟ ପକ୍ଷରୁ କିଛି ସଦସ୍ୟ ଆହତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.