ଭୁବନେଶ୍ୱର, ୧୭ ।୧୦: ରାଜଧାନୀରେ ବିଦେଶୀ ପରିବା ସମ୍ଭାର । ୟୁନିଟ-୮ ଡିଏଭି ସ୍କୁଲ ନିକଟରେ ୪୦ ପ୍ରକାରର ବିଦେଶୀ ପରିବା ବିକୁଛନ୍ତି ମାନସ ଏବଂ ତାଙ୍କ ବାପା । ବିଦେଶୀ ପରିବାରେ କ୍ୟାଲୋରୀ ଅଧିକ ଥିବାରୁ ରାଜଧାନୀ ବାସିନ୍ଦାଙ୍କ ମଧ୍ୟରେ ଏହାର ଚାହିଦା ଟିକେ ଅଧିକ । ଖାଲି ରାଜଧାନୀ ନୁହେଁ କଟକ, ଖୋର୍ଦ୍ଧା ଜଗତସିଂହପୁରରୁ ବି ଲୋକ ଆସି ଏଠାରୁ ପରିବା କିଣିନିଅନ୍ତି । ଆଉ କେହି ମୁଲଚାଲ ବି କରନ୍ତିନି ।
ୟେଲୋ କ୍ୟାପ୍ସିକମ୍, ରେଡ୍ କୋବି, ଆଭାକାଡେ, ଆମେରିକାନ୍ ପିଆଜ, ଚାଇନିଜ୍ ଧନିଆ, ବେବି କର୍ଣ୍ଣ, ଚେରି ଟମାଟୋ, ବ୍ରେଜଲି, ଆମେରିକାନ୍ ଜୁଟୁନୀ, ବେବି ପକ୍ଚୋଇ, ବ୍ରୋକୋଲି ପରି ୪୦ ପ୍ରକାରର ବିଦେଶୀ ପରିବା ଏବେ ରାଜଧାନୀ ବଜାରରେ । ୟୁନିଟ୍ ଏଇଟ୍ ଡିଏଭି ସ୍କୁଲରୁ ଟିକେ ଆଗକୁ ଗଲେ ଦେଖିବାକୁ ମିଳିବ ଏହି ବିଦେଶୀ ରଙ୍ଗୀନ ପରିବାର ସମ୍ଭାର । ମାନସ ସାହୁ ଦୀର୍ଘ ୮ ବର୍ଷ ହେଲାଣି ଏ ପରିବା ବିକୁଛନ୍ତି । ବେଙ୍ଗାଲୁରୁ, ନୂଆଦିଲ୍ଲୀ କୋଲକାତାରୁ ସେ ପରିବା ମଗାନ୍ତି । ତେବେ ଅଧିକ ନଆଣି ଅଳ୍ପ ପରିବା ଲୋକଙ୍କ ବରାଦ ମୁତାବକ ଆଣନ୍ତି । ୪ ଦିନ ପାଇଁ ୪୦ ହଜାର ଟଙ୍କାର ମାଲ୍ ମଗାନ୍ତି । ତେବେ ଲକଡାଉନ ପରଠୁ ବର୍ତ୍ତମାନ ବେପାର ଟିକେ ମାନ୍ଦା ଥିବା କହିଛନ୍ତି ମାନସ ।
{"id":346202,"sizeSlug":"large"}ଏସବୁ ବିଦେଶୀ ପରିବା ଅଧିକ କ୍ୟାଲୋରୀଯୁକ୍ତ ହୋଇଥିବାରୁ ପ୍ରତିଦିନ ଲୋକ କିଣି ନେଉଛନ୍ତି । ଭୁବନେଶ୍ବରରୁ ଆରମ୍ଭ କରି କଟକ, ଜଗତସିଂହପୁର, ଖୋର୍ଦ୍ଧାରୁ ଆସି ଲୋକମାନେ ଏଠାରୁ ପରିବା ନିଅନ୍ତି । କିଲୋ ହିସାବରେ ନୁହେଁ ଶହେ ଗ୍ରାମ୍ ହିସାବରେ ଏସବୁ ବିଦେଶୀ ପରିବା ବିକ୍ରି ହୁଏ । କାହାର ଦାମ୍ ୨୫୦ ତ ଆଉ କାହାର ଦାମ୍ ୩ଶହ ଏବଂ ୫ ଶହ ଟଙ୍କା ରହିଛି । ତେବେ ଏଠି କେହି ମୂଲଚାଲ କରନ୍ତିନି । ମାନସଙ୍କୁ ବ୍ୟବସାୟରେ ସହଯୋଗ କରନ୍ତି ତାଙ୍କ ବାପା ଉପେନ୍ଦ୍ର । ଉଭୟ ସକାଳ ୯ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବିକ୍ରି କରନ୍ତି ।
କିଛି ନିଆରା କରିବାର ନିଶା ପାଇଁ ଲାଭ କ୍ଷତି ଚିନ୍ତା ନକରି ବିଦେଶୀ ପରିବା ବିକିବାକୁ ମନସ୍ଥ କରିଥିଲେ ମାନସ । ପ୍ରଥମେ କ୍ୟାପସିକମ୍ ବେପାର କରୁଥିଲେ । ସେଥିରେ ଲାଭ ହେବା ପରେ ଏବେ ବିଦେଶୀ ପରିବା ବିକୁଛନ୍ତି ।